ଚାଇନା ପାରା ବ୍ୟାଡ୍‌ମିଣ୍ଟନ୍‌: ଡବଲ୍‌ ସ୍ବର୍ଣ୍ଣ ଜିତିଲେ ପ୍ରମୋଦ

୯ ମାସରେ ୧୧ ସ୍ବର୍ଣ୍ଣ

ଭୁବନେଶ୍ବର: ବିଶ୍ବର ୧ ନମ୍ବର ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଚଳିତବର୍ଷ ଆନ୍ତର୍ଜାତିକ ସ୍ତରରେ ୧୧ଶ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଚୀନ୍‌ର ଝେଜିଆଙ୍ଗ୍‌ରେ ଖେଳା ଯାଇଥିବା ଅନ୍ତର୍ଜାତୀୟ ଚୀନ୍ ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ପ୍ରମୋଦ ଉଭୟ ସିଙ୍ଗଲ୍‌ସ ଓ ଡବଲ୍‌ସ ବିଭାଗରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି।
ରବିବାର ଖେଳା ଯାଇଥିବା ସିଙ୍ଗଲ୍‌ସ ଫାଇନାଲରେ ପ୍ରମୋଦ ୨୧-୨୧, ୨୧-୧୩ ଓ ୨୧-୧୪ରେ ଇଂଲଣ୍ଡର ଡାନିଏଲ ବିଥୋଲିଙ୍କୁ ପରାସ୍ତ କରିଛନ୍ତି। ବିଶ୍ବର ଶୀର୍ଷ ମାନ୍ୟତାପ୍ରାପ୍ତ ପାରା ବ୍ୟାଡ୍‌ମିଣ୍ଟନ୍ ଖେଳାଳି ପ୍ରମୋଦ ଓ ୨ୟ ସିଡ୍‌ ବିଥୋଲିଙ୍କ ମଧ୍ୟରେ ମ୍ୟାଚ ପ୍ରଥମ ରାଉଣ୍ଡ ୨୧-୨୧ ବରାବର ରହିଥିଲା। ପ୍ରମୋଦ ୨ୟ ଓ ୩ୟ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚକୁ ଜିତିବାରେ ସକ୍ଷମ ହୋଇଥିଲେ। ସେହିପରି ଡବଲ୍‌ସ ବିଭାଗ ଫାଇନାଲରେ ପ୍ରମୋଦ ଓ ମନୋଜ ସରକାର ଯୋଡ଼ି ୧୮-୨୧, ୨୧-୧୬ ଓ ୨୧-୧୫ ରେ ନିଜ ଦେଶର ବିକ୍ରମ ଓ ସୁହାସ ଯୋଡ଼ିଙ୍କୁ ପରାସ୍ତକରି ଚମ୍ପିଆନ ହୋଇଛନ୍ତି। ପ୍ରମୋଦ ଏହି ଟାଇଟଲ ସହ ୬୦୯୦ ପଏଣ୍ଟ ହାସଲ କରି ୨୦୨୦ ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପଏଣ୍ଟ ଦୌଡ଼ରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ପ୍ରମୋଦ ୨୦୧୯ରେ ଏପର୍ଯ୍ୟନ୍ତ ଖେଳିଥିବା ୯ ଟି ପ୍ରତିଯୋଗିତାରୁ ସିଙ୍ଗଲ୍‌ସ ଓ ଡବଲ୍‌ସ ବିଭାଗରେ ୧୧ଟି ସ୍ବର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେଥିମଧ୍ୟରୁ ଇଣ୍ଡୋନେସିଆର ଜାକର୍ତ୍ତାରେ ଖେଳା ଯାଇଥିବା ବିଶ୍ବ ପାରା ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌ରେ ସିଙ୍ଗଲ୍‌ସ ଓ ଡବଲ୍‌ସ ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରି ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଥିଲେ। ଏହି ସଫଳତା ଲାଗି ପ୍ରଶିକ୍ଷକ ଶିବପ୍ରସାଦ ଦାସ ଓ ଓଡ଼ିଶା ପାରା ପ୍ଲେୟର୍ସ ଫୋରମ ପକ୍ଷରୁ ସୁନୀଲ କୁମାର ପ୍ରଧାନ, ରାଖାଲ କୁମାର ସେଠୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

kalyan agarbati

Comments are closed.