ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ସଂସଦରେ ଦେଶର ବଜେଟ ଉପସ୍ଥାପନ କରାଯିବା ପୂର୍ବରୁ ପ୍ରାକ୍ ବଜେଟ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କର୍ପୋରେଟ ଜଗତର ନେତୃବୃନ୍ଦଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିଛନ୍ତି। ବ୍ୟାଙ୍କିଙ୍ଗ, ଭିତ୍ତିଭୂମି, ଇସ୍ପାତ, ଯାନବାହନ, ଦୂରସଂଚାର, ଉପଭୋକ୍ତା ସାମଗ୍ରୀ, ବୟନ, ଅକ୍ଷୟ ଶକ୍ତି, ହୋଟେଲ, ମହାକାଶ ବିଜ୍ଞାନ, ସ୍ୱାସ୍ଥ୍ୟସେବା ଆଦି ଶିଳ୍ପ ସହିତ ସଂପୃକ୍ତ ପ୍ରାୟ ୨୦ଟି କମ୍ପାନୀର ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ବଜେଟ ଆଗତ କରିବା କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ଉପସ୍ଥିତ ଥିଲେ।
ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ପ୍ରାୟ ୨୦ଟି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ଠାରୁ ବିଭିନ୍ନ ପ୍ରସ୍ତାବ ଶୁଣିଥିଲେ। ଏହାପରେ ମୋଦି କହିଥିଲେ ଯେ କେନ୍ଦ୍ର ସରକାର ଅର୍ଥନୈତିକ ପ୍ରଗତିକୁ ଆଗେଇନେବା ପାଇଁ ସମସ୍ତ ପ୍ରୟାସ କରିବାକୁ ପ୍ରତିବଦ୍ଧ ଅଛନ୍ତି। ସରକାର ଶିଳ୍ପକୁ ସମର୍ଥନ କରିବାବେଳେ ଶିଳ୍ପ ଜଗତର ଯେଭଳି ଅଭିବୃଦ୍ଧି ସାଧିତ ହେବ ଏବଂ ଏହା ଦେଶରେ ନିବେଶ କରିବା ସହିତ ଦାୟିତ୍ୱ ନେଇପାରିବ, ସେଥିପ୍ରତି ମଧ୍ୟ ଶିଳ୍ପଗୁଡିକ ଦୃଷ୍ଟିଦେବା ଆବଶ୍ୟକ। ରାଷ୍ଟ୍ର ଯେଭଳି ଅଲିମ୍ପିକ୍ସରେ ପଦକ ହାସଲ କରିବାକୁ ଚାହେଁ, ସେହିଭଳି ରାଷ୍ଟ୍ର ମଧ୍ୟ ଶିଳ୍ପର ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ମଧ୍ୟରେ ଭାରତୀୟ ଶିଳ୍ପ ସ୍ଥାନ ପାଇବା ଆଶା ରଖୁଛି। ଏଥିପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି। କମ୍ପାନୀଗୁଡିକ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ତାହାସହିତ ପ୍ରାକୃତିକ କୃଷି ପଦ୍ଧତିକୁ ରୂପାନ୍ତରିତ ହେବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।



