www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଚାରକରୁ ପ୍ରଧାନମନ୍ତ୍ରୀ: ୭୫ ବର୍ଷରେ ନୂଆ ଭାରତର ସ୍ଥପତି ନରେନ୍ଦ୍ର ମୋଦୀ

ଡ଼େସ୍କ: ୨୦୦୧ ମସିହାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରଠାରୁ ନରେନ୍ଦ୍ର ମୋଦୀ ୭୫ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷ ଏବଂ ନିର୍ବାଚିତ ପଦପଦବୀରେ ୨୪ ବର୍ଷରେ ପଦାର୍ପଣ କରିବା ସହ ଭାରତର ଶ୍ରେଷ୍ଠ ରାଜନୈତିକ ବ୍ୟକ୍ତିତ୍ୱ ହୋଇ ରହିଛନ୍ତି। ଜଣେ ରାଜନେତା ଏବଂ ଜନ ବ୍ୟକ୍ତିତ୍ୱ ଭାବରେ ମୋଦୀଙ୍କ ରାଜନୈତିକ ଯାତ୍ରା ବିଷୟରେ ଯଦିଓ ବହୁତ କିଛି ଲେଖାଯାଇଛି, ଜଣେ ଆରଏସଏସ ପ୍ରଚାରକ ଏବଂ ତା’ପରେ ଜଣେ ବିଜେପି ନେତା ଭାବରେ ତାଙ୍କର ପ୍ରାରମ୍ଭିକ ଯାତ୍ରା ବିଷୟରେ ତୁଳନାତ୍ମକ ଭାବରେ କମ୍ ଲେଖାଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଉଠାଇବା ପରେ ନରେନ୍ଦ୍ର ମୋଦୀଙ୍କ ନାମ ପ୍ରଥମେ ଏକ ଇଂରାଜୀ ଖବରକାଗଜରେ ପ୍ରକାଶ ପାଇଥିଲା। ଜରୁରୀକାଳୀନ ପରିସ୍ଥିତି ପରେ ଇନ୍ଦିରା ଗାନ୍ଧୀ ଏବଂ କଂଗ୍ରେସ କ୍ଷମତାରୁ ହଟି ଯାଇଥିଲେ। ମୋରାରଜୀ ଦେଶାଇ ଦିଲ୍ଲୀରେ ସଂଯୁକ୍ତ ଜନତା ଦଳର ନେତୃତ୍ୱ ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ବ ତୁଲାଉଥିବା ବେଳେ ବାବୁଭାଇ ପଟେଲ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିଲେ, ଯିଏ ରାଜ୍ୟର ପ୍ରଥମ ଅଣ-କଂଗ୍ରେସ ସରକାରର ନେତୃତ୍ୱ ନେଉଥିଲେ। ଯୁବକ ନରେନ୍ଦ୍ର ମୋଦୀଙ୍କୁ ଦୂରଦର୍ଶନରେ ‘ଯୁବଦର୍ଶନ’ ନାମକ ଏକ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଟିଭି ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଥିଲା। ଦଳଗତ ଆଲୋଚନାର ବିଷୟବସ୍ତୁ ଥିଲା ‘ଜରୁରୀକାଳୀନ ପରିସ୍ଥିତି ସମୟରେ ଯୁବ ସଂଘର୍ଷ’।

- Advertisement -

ଦୂରଦର୍ଶନ ଆଲୋଚନାକୁ ଗୁଜୁରାଟର ସାମାଜିକ କର୍ମୀ ଅଳକା ଦେଶାଇ ପରିଚାଳନା କରିଥିଲେ ଏବଂ ପ୍ୟାନେଲରେ ଥିଲେ ନରେନ୍ଦ୍ର ମୋଦୀ, ପ୍ରବୀଣ ଟଙ୍କ ଏବଂ କୀର୍ତ୍ତିଦା ମେହେଟା। ସେହି ସମୟରେ ଇଂରାଜୀ ଖବରକାଗଜଗୁଡ଼ିକ ଭାରତର ଏକମାତ୍ର ଟିଭି ଷ୍ଟେସନ ଦୂରଦର୍ଶନର କାର୍ଯ୍ୟକ୍ରମର ପ୍ରତିଦିନ ତାଲିକା ପ୍ରକାଶ କରୁଥିଲେ। ୧୯୭୮ ମସିହା ମଇ ୨୩ ରାତି ୮ଟା ୩୦ରେ ପ୍ରସାରିତ ଏହି ଟିଭି ଆଲୋଚନା ଉପରେ ଏକ ସୂଚନା ଦୈନିକ ଇଂରାଜୀ ସମ୍ବାଦପତ୍ର “ଦ ଟାଇମ୍ସ ଅଫ୍ ଇଣ୍ଡିଆ”ର ‘ଟେଲିଭିଜନ’ ବିଭାଗରେ ପ୍ରକାଶିତ ହୋଇଥିଲା। ଏହା ପ୍ରଥମ ଥର ଥିଲା ଯେତେବେଳେ ନରେନ୍ଦ୍ର ମୋଦୀଙ୍କ ନାମ ଏକ ଖବରକାଗଜରେ ପ୍ରକାଶିତ ହୋଇଥିଲା।

ମଚ୍ଛୁ ନଦୀ ବନ୍ଧ ଭୁଶୁଡ଼ିବା ପରେ ଗୁଜୁରାଟର ମୋର୍ବିରେ ରିଲିଫ୍ କାର୍ଯ୍ୟ ସମୟରେ ନରେନ୍ଦ୍ର ମୋଦୀଙ୍କ ନାମ ଦ୍ୱିତୀୟ ଥର ପାଇଁ ଏକ ଖବରକାଗଜ ଲେଖାରେ ପ୍ରକାଶ ପାଇଥିଲା। ୧୯୭୯ ଅଗଷ୍ଟ ୧୧ରେ ମଚ୍ଛୁ ନଦୀ ଉପରେ ଥିବା ମଚ୍ଛୁ-୨ ବନ୍ଧ ଭୁଷୁଡି ପଡିବା ଫଳରେ ମୋର୍ବି ସହର ଦେଇ ପ୍ରବଳ ପାଣି ପ୍ରବାହିତ ହୋଇଥିଲା। ଏହା ବିସ୍ତୃତ ଅଞ୍ଚଳକୁ ବୁଡ଼ାଇ ଦେଇଥିଲା, ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଏବଂ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

ଏହି ଦୁଃଖଦ ବନ୍ଧ ଭୁଶୁଡିବା ଘଟନା ଭାରତର ସବୁଠାରୁ ଭୟଙ୍କର ବିପର୍ଯ୍ୟୟ ମଧ୍ୟରୁ ଗୋଟିଏ ଥିଲା, ଏବଂ ମୋଦୀ ସେତେବେଳେ ଆରଏସଏସ ପ୍ରଚାରକ ଭାବରେ ତାଙ୍କର ଭୂମିକା ନେଇ ଖବରକାଗଜ ପୃଷ୍ଠାରେ ପ୍ରକାଶ ପାଇଥିଲେ। ସେ ସଂଘ ପାଇଁ ରିଲିଫ୍ ପ୍ରୟାସର ସମନ୍ୱୟ କରୁଥିଲେ। ବନ୍ଧ ଭୁଶୁଡିବାର ଗୋଟିଏ ମାସ ପରେ, ଦ ଟାଇମ୍ସ ଅଫ୍ ଇଣ୍ଡିଆ ୧୯୭୯ ସେପ୍ଟେମ୍ବର ୩୦ରେ ରିପୋର୍ଟ କରିଥିଲା ଯେ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଆରଏସଏସ ଦ୍ୱାରା ଗଠିତ କମିଟିର ନରେନ୍ଦ୍ର ମୋଦୀ ମୋରବି ଏବଂ ଏହାର ଆଖପାଖ ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ପାଇଁ ଆରଏସଏସର ମହାରାଷ୍ଟ୍ର ଶାଖାରୁ ୫ ଲକ୍ଷ ଟଙ୍କାର ଚେକ୍ ପାଇଥିଲେ।

ଏହି ଅବସରରେ ଭାଷଣ ଦେଇ, ଗୁଜରାଟରେ ମୋଦୀଙ୍କ ନେତୃତ୍ୱାଧୀନ ଆରଏସଏସ ସମିତିର କୋଷାଧ୍ୟକ୍ଷ ରବିଭାଇ ଶାହ କିପରି ମୋଦୀଙ୍କ ନେତୃତ୍ୱରେ ରିଲିଫ୍ କାର୍ଯ୍ୟ ପାଇଁ ୧୪ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି ତାହା ବର୍ଣ୍ଣନା କରିଥିଲେ। ଏଥିରେ ୧୦୦ଟି ଘର ନିର୍ମାଣ, ତିନୋଟି ଗ୍ରାମକୁ ପୋଷ୍ୟ ଭାବରେ ଗ୍ରହଣ କରିବା, ମାଗଣା ଚିକିତ୍ସା ସହାୟତା ପ୍ରଦାନ କରିବା ଏବଂ ବିପର୍ଯ୍ୟୟ ପୀଡିତଙ୍କ ପାଇଁ ଖାଦ୍ୟଶସ୍ୟ ଏବଂ ପୋଷାକ ବଣ୍ଟନ କରିବା ଅନ୍ତର୍ଭୁକ୍ତ ଥିଲା।

୧୯୮୮ ମସିହାରେ ଜଣେ ରାଜନେତା ଭାବରେ ନରେନ୍ଦ୍ର ମୋଦୀଙ୍କ ନାମ ପ୍ରଥମେ ଏକ ଖବରକାଗଜରେ ପ୍ରକାଶ ପାଇଥିଲା। ସେହି ସମୟରେ, ସେ ଗୁଜୁରାଟ ବିଜେପିର ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଗୁଜୁରାଟରେ ଚାଷୀଙ୍କ ଦାବି ଉପରେ କଂଗ୍ରେସ ବିରୋଧୀ ରାସ୍ତା-ରୋକୋ ଆନ୍ଦୋଳନର ସଂଗଠକ ଥିଲେ।
ସେ ସମ୍ପ୍ରତି ଆରଏସଏସରୁ ବିଜେପିକୁ ଆସିଥିଲେ ଏବଂ ଅମରସିଂହ ଚୌଧୁରୀଙ୍କ କଂଗ୍ରେସ ସରକାର ବିରୁଦ୍ଧରେ କୃଷକଙ୍କ ଦାବିକୁ ସମର୍ଥନ କରି ଅହମଦାବାଦରେ ଦଳ ଦ୍ୱାରା ଆୟୋଜିତ ରାସ୍ତା-ରୋକୋ ଆନ୍ଦୋଳନ ସହିତ ଜଡିତ ତାଙ୍କ ନାମ ଖବରକାଗଜରେ ପ୍ରକାଶ ପାଇଥିଲା।

ସେତେବେଳେ ରାଜ୍ୟ ବାହାରେ ବହୁତ ଲୋକ ମୋଦୀଙ୍କ ବିଷୟରେ ଶୁଣି ନଥିଲେ। ଗୁଜରାଟ ବିଜେପିର ସାଧାରଣ ସମ୍ପାଦକ ଭାବରେ, କୃଷକ ଆନ୍ଦୋଳନ ଉପରେ ଖବରକାଗଜ ରିପୋର୍ଟରେ ମୋଦୀଙ୍କ ନାମ ପ୍ରକାଶିତ ହୋଇଥିଲା। ପ୍ରତିବାଦର ଅଂଶ ସ୍ୱରୂପ ରାଜ୍ୟର ୫୦ ହଜାରରୁ ଅଧିକ ବିଜେପି କର୍ମୀଙ୍କୁ ଗିରଫ କରାଯାଇଥିଲା ଓ ସେମାନଙ୍କ ମଧ୍ୟରେ ଆଗରେ ଥିଲେ ନରେନ୍ଦ୍ର ମୋଦୀ।

ଜଣେ ରାଜନୈତିକ ନେତା ଭାବରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମ ବ୍ୟାପକ ଜାତୀୟ ସ୍ୱୀକୃତି ସେତେବେଳେ ମିଳିଥିଲା ଯେତେବେଳେ ସେ ୧୯୯୦ ମସିହାରେ ଲାଲକୃଷ୍ଣ ଆଡଭାନୀଙ୍କ ଦ୍ୱାରା ଆୟୋଜିତ ସୋମନାଥ ଯାତ୍ରାର ଗୁଜରାଟ ପର୍ଯ୍ୟାୟର ପ୍ରମୁଖ ଆୟୋଜକ ଦାୟିତ୍ବରେ ଥିଲେ। ବିଜେପି ସେ ପର୍ଯ୍ୟନ୍ତ ଗୁଜରାଟରେ କ୍ଷମତା ହାସଲ କରିପାରି ନଥିଲା, କିନ୍ତୁ ଯାତ୍ରାର ସୋମନାଥ-ଗାନ୍ଧୀନଗର ପର୍ଯ୍ୟାୟରେ ମୋଦୀଙ୍କ ଭୂମିକାକୁ ଏକ ଖବରକାଗଜ ରିପୋର୍ଟରେ ତାଙ୍କୁ ‘ଗୁଜରାଟରେ ବିଜେପିର ଅଦ୍ଭୁତ ଅଭିବୃଦ୍ଧିର ସ୍ଥପତି’ ଭାବରେ ଉଲ୍ଲେଖ କରିସାରିଥିଲା।

୧୯୯୫ ମସିହାରେ ବିଜେପି ପ୍ରଥମ ଥର ପାଇଁ ଗୁଜୁରାଟରେ କ୍ଷମତାକୁ ଆସିଥିଲା। ଦଳ ୧୨୧ଟି ଆସନ ଜିତିଥିଲା ଏବଂ କେଶୁଭାଇ ପଟେଲ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୋଦୀ ଥିଲେ ସେହି ବିଜୟର ପ୍ରମୁଖ ସ୍ଥପତି ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories