ଭୁବନେଶ୍ବର: ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ସମସ୍ତଙ୍କ ଭାଗିଦାରି ରହିଥାଏ। କୌଣସି ବ୍ୟକ୍ତି ବା ଗୋଷ୍ଠୀ ନୁହଁନ୍ତି, ସମସ୍ତ ବ୍ୟକ୍ତି ହିଁ ରାଷ୍ଟ୍ରର ସାର୍ମଭୌମ କ୍ଷମତାର ଅଧିକାରୀ। ପ୍ରତ୍ୟେକ ନାଗରିକର ରାଷ୍ଟ୍ର ପରିଚାଳନାରେ ଅଂଶ ଗ୍ରହଣ କରିବାର ଅଧିକାର ରହିଛି। କିନ୍ତୁ ବ୍ୟାପକ ଦୃଷ୍ଟିକୋଣରୁ ବିଚାର କଲେ ଗଣତନ୍ତ୍ର କେବଳ ଗୋଟିଏ ଶାସନ ବ୍ୟବସ୍ଥା ନୁହେଁ, ଏହା ଏକ ଆଦର୍ଶ ସମାଜ ବ୍ୟବସ୍ଥା ଏବଂ ଜୀବନମାର୍ଗ। ରାଜନୈତିକ ଅର୍ଥରେ ଏହାକୁ ଆମେ ଏକ ପ୍ରତିନିଧିମୂଳକ ଏବଂ ଦାୟିତ୍ବଶୀଳ ସରକାର କହିପାରିବା। ମାତ୍ର ଅର୍ଥନୈତିକ ତଥା ସାମାଜିକ ସାମ୍ୟ ବିନା ଗଣତନ୍ତ୍ରର ପ୍ରକୃତ ସ୍ବରୂପ ଉପଲବ୍ଧ କରିହେବ ନାହିଁ। ଭାରତୀୟ ଗଣତନ୍ତ୍ରରେ ଗଣତାନ୍ତ୍ରିକ ମୂଲ୍ୟବୋଧ ସମୟାନୁକ୍ରମେ ପରିବର୍ତ୍ତନଶୀଳ ହୋଇଛି ବୋଲି ବାଚସ୍ପତି ଡ,ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ‘ଭାରତରେ ରାଜନୀତି ଓ ବିକାଶ: ପ୍ରସଙ୍ଗ ଓ ଆହ୍ବାନ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଏବଂ ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ୨୯ତମ ଅଧିବେଶନକୁ ଉଦ୍ଘାଟନ କରି ବାଚସ୍ପତି ଶ୍ରୀ ପାତ୍ର ଗଣତନ୍ତ୍ର ଓ ସମାଜବାଦ ଉପରେ ବକ୍ତବ୍ୟ ରଖିଥିଲେ। ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଭାରତୀୟ ଗଣତନ୍ତ୍ର ପ୍ରତି ଅବଦାନ ଏବଂ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ସମୟରେ ଗଣତନ୍ତ୍ରରେ ସୃଷ୍ଟି ହୋଇଥିବା ବିପଦ ସମ୍ପର୍କରେ ଆଲୋକପାତ କରିଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ମଣିଷ ଓ ରାଜନୀତି ବିଜ୍ଞାନ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ରାଜନୀତି ବିଜ୍ଞାନ ବିନା ମଣିଷର ଅସ୍ତିତ୍ବ ନାହିଁ। ତେଣୁ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ରାଜନୀତି ବିଜ୍ଞାନ ଶିକ୍ଷକମାନେ ଅଧିକ ଗବେଷଣା କରିବାକୁ କୁଳପତି ଆହ୍ବାନ ଦେଇଥିଲେ।
ପ୍ରଫେସର ଅମୀୟ ପରିଚ୍ଛାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କଲିକତା ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର ଦୀପଙ୍କର ସିହ୍ନା ଯୋଗଦେଇ ସମାଜ ସହ ରାଜନୀତି ବିଜ୍ଞାନର ସଂଯୋଗ ଉପରେ ଆଲୋଚନା କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏବଂ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ଆଭାସୀ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏହି ଅବସରରେ ଓଡ଼ିଶା, ସମାଜ, ରାଜନୀତି ଓ ଅର୍ଥନୀତି ଉପରେ ଆୟୋଜିତ ପାଠଚକ୍ରରେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଫେସର ଅମରେଶ୍ବର ମିଶ୍ର, ସୁଧାକର ପଣ୍ଡା, ବିଷ୍ଣୁଚରଣ ଚୌଧୁରୀ, ଅନୁପ କୁମାର ଦାଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ରମାଦେବୀ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡ.ମାନସ ବେହେରା, ପ୍ରଫେସର ଚିନ୍ତାମଣୀ ମହାପାତ୍ର, ଉମାକାନ୍ତ ମିଶ୍ର, ପ୍ରତୀପ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ତଥା ଜାତୀୟ ଆଲୋଚନାଚକ୍ରର ସାଂଗଠନିକ ସମ୍ପାଦିକା ଡ.ସ୍ମିତା ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଯୁଗ୍ମ ସାଙ୍ଗଠନିକ ସମ୍ପାଦିକା ଡ. ସୀମା ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସହକାରୀ ପ୍ରଫେସର ସ୍ୱପ୍ନା ପ୍ରଭୁ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଆଲୋଚନା ସମ୍ବନ୍ଧୀୟ ସଂକ୍ଷିପ୍ତ ବିବରଣୀ ପୁସ୍ତିକା ଏବଂ ଜର୍ଣ୍ଣାଲ ଉନ୍ମୋଚିତ ହୋଇଥିଲା। ଏହାସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ କରାଯାଇଥିଲା।



