ଟୁଟିକୋରିନରେ ହିଂସାତ୍ମକ ବିକ୍ଷୋଭ, ପୁଲିସ୍ ଗୁଳିରେ ୯ ମୃତ
ଚେନ୍ନଇ : ତାମିଲନାଡୁ ଟୁଟିକୋରିନ ଜିଲା ଥୁଟୁକୁଡ଼ିସ୍ଥିିତ ବେଦାନ୍ତ ଲିମିଟେଡ୍ର ଷ୍ଟେରଲାଇଟ୍ କପର କାରଖାନା ବନ୍ଦ ଦାବିରେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ପୁଲିସ୍ ଗୁଳି ଓ ଲାଠି ମାଡ଼ କରିବାରୁ ଅନ୍ୟୁନ୍ ୯ ବିକ୍ଷେଭାକାରୀ ପ୍ରାଣ ହରାଇଛନ୍ତି ଓ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। କରଖାନା ଯୋଗୁଁ ବାୟୁ ପ୍ରଦୂଷିତ ହେଉଛି ଓ ଲୋକେ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଛନ୍ତି ବୋଲି ଅଭିଯୋଗ ହୋଇଆସୁଥିଲା। ବାର୍ଷିକ ୪୦,୦୦୦ ଟନ୍ ଉତ୍ପାଦନ କ୍ଷମତାଧାରୀ ଷ୍ଟେରଲାଇଟ୍ କାରଖାନା ନିକଟରେ ଆବଶ୍ୟକ୍ ଅନୁମତି ଅଛି ଓ ଏହା କୌଣସି ଆଇନ ଉଲ୍ଲଙ୍ଘନ କରୁନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ନିକଟରେ କମ୍ପାନୀ କାରଖାନା ସମ୍ପ୍ରସାରଣ ପାଇଁ ଘୋଷଣା କରିବା ପରେ ସ୍ଥାନୀୟ ଲୋକେ ଏହାର ବିରୋଧ କରିଥିଲେ। ସହସ୍ରାଧିକ ସ୍ଥାନୀୟ ଲୋକେ, ସାମାଜିକ କର୍ମୀ ଷ୍ଟେରଲାଇଟ୍ କାରଖାନା ସମ୍ପ୍ରସାରଣକୁ ବିରୋଧ କରି ପ୍ରଦର୍ଶନ କରିଆସୁଥିଲେ। ମଙ୍ଗଳବାର ସେମାନେ କାରଖାନା ବନ୍ଦ ଦାବିରେ ଜିଲାପାଳଙ୍କ ଅଫିସ୍ ଘେରାଉ କରିବେ ବୋଲି ଘୋଷଣା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ଅଫିସ୍ ଆଗରେ ୧୪୪ ଧାରା ଜାରି କରାଯାଇଥିଲା। ଘୋଷଣା ଅନୁସାରେ ମଙ୍ଗଳବାର ସକାଳେ ପ୍ରାୟ ୨୦ ହଜାର ଲୋକେ ଓ ସାମାଜିକ କର୍ମୀ ପ୍ଲାକାର୍ଡ, କଳାପତାକା ଧରି ମାଦାଥୁର ଗ୍ରାମ ଚର୍ଚ୍ଚ ନିକଟରେ ଏକତ୍ରିତ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ୧୪୪ ଧାରା ଉଲ୍ଳଙ୍ଘନ କରି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ବିକ୍ଷୋଭକାରୀ ପୁଲିସ୍ ବ୍ୟାରିକେଡ ଭାଙ୍ଗି ଆଗକୁ ବଢିବା ପାଇଁ ଚେଷ୍ଟା କରିବା ସହ ପୁଲିସ୍ ଉପରକୁ ପଥର ଓ ଢେଲା ମାଡ଼ କରିଥିଲେ। ବିକ୍ଷୋଭକାରୀଙ୍କ ଘଉଡ଼ାଇବା ପାଇଁ ପୁଲିସ୍ ବାହିନୀ ପ୍ରଥମେ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ମାଡ଼ କରିଥିଲେ। ମାତ୍ର ବିକ୍ଷୋଭକାରୀମାନେ ସେଠାରେ ଥିବା ଦୋକାନ ଓ ଗାଡ଼ିମୋଟର, ସରକାରୀ ସମ୍ପତି ଭଙ୍ଗାରୁଜା କରିବା ସହ କେତେକ ଗାଡ଼ିରେ ନିଅାଁ ଲଗାଇ ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ପୁଲିସ୍ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ଏଥିରେ ଅନ୍ୟୁନ୍ ୯ ଜଣ ପ୍ରାଣ ହରାଇଛନ୍ତି ଓ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ତାମିଲନାଡୁର ଟୁଟିକୋରିନ ଜିଲା ସମେତ ମଦୁରାଇ, ରାମନାଥପୁରମ, ଥାନି, ଡିଡିଙ୍ଗୁଲ ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି। କେବେଳ ଟିଟିକୋରିନ ଜିଲାରେ ୨୦୦୦ରୁ ଅଧିକ ପୁଲିସ୍ କର୍ମୀ ମୁତୟନ ହୋଇଛନ୍ତି। ଡିଏମ୍କେ କାର୍ଯ୍ୟକାରୀ ସଭାପତି ତଥା ବିରୋଧୀ ଦଳ ନେତା ଏମ୍.କେ ଷ୍ଟାଲିନ୍, ଅଭିନେତା ଏବଂ ରାଜନତୋ କମଲ ହାସନ ପୁଲିସ୍ କାର୍ଯ୍ୟାନୁଷ୍ଠାନର ଘୋର ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ତାମିଲନାଡୁ ମନ୍ତ୍ରୀ ଜୟକୁମାର କହିଛନ୍ତି ଯେ ଗୁଳି ଚଳାଇବା ବ୍ୟତୀତ ପୁଲିସ୍ ପାଖରେ ଆଉ କୌଣସି ବିକଳ୍ପ ନଥିଲା। ଉଲ୍ଲେଖ ଯେ ପ୍ରାୟ ୧୦୦ ଦିନ ଧରି ଷ୍ଟେରଲାଇଟ୍ କାରଖାନା ବିରୋଧୀ ଆନ୍ଦୋଜନ ଜାରି ରହିଛି ।