ତୁରନ୍ତ ଫସଲ ବୀମା ସହାୟତା ପ୍ରଦାନ ପାଇଁ ଦାବି
ଭୁବନେଶ୍ବର : କୃଷକମାନଙ୍କର ବୃହତ ସ୍ଵାର୍ଥ ଦୃଷ୍ଟିରୁ ଯଥାଶୀଘ୍ର ୨୦୨୧ ମସିହା ( ଖରିଫ ) ପ୍ରଧାନମନ୍ତ୍ରୀ ଫସଲ ବୀମା ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି। ବିଜେପି ବିଧାୟକମାନେ ଗୁରୁବାର ଅତିରିକ୍ତ ରାଜ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନରଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି।
ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ ମୋଦୀ ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏକ ଐତିହାସିକ ଯୋଜନା ବିଶେଷ ଭାବେ ବନ୍ୟା, ମରୁଡି, ବାତ୍ୟା ତଥା ପ୍ରକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଚାଷୀଙ୍କୁ ଏହି ଯୋଜନାରେ ଆର୍ଥିକ ସହାୟତା ମିଳିଥାଏ । ଦେଶରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କୃଷି, ସମବାୟ ଓ କୃଷକ କଲ୍ୟାଣ ବିଭାଗ ଦ୍ୱାରା ୫ଟି ରାଷ୍ଟ୍ରାୟତ ସାଧାରଣ ବୀମା କଂପାନୀ ସମେତ ରାଜ୍ୟ ତଥା କେନ୍ଦ୍ର ଶାସିତ ସରକାରମାନେ ପ୍ରତି ବର୍ଷ ବିଡିଂ ମାଧ୍ୟମରେ ୧୮ଟି ସାଧାରଣ ବୀମା କଂପାନୀକୁ ୩ ବର୍ଷ ପାଇଁ ସାମିଲ କରିଥାନ୍ତି । ମାତ୍ର ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବୀମା କଂପାନୀମାନେ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ଚାଷୀମାନେ ଫସଲ ବୀମା ସହାୟତା ରାଶି ପାଇବାରୁ ବଂଚିତ ରହୁଛନ୍ତି ଏବଂ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ବିଜେପି ବିଧାୟକମାନେ ଅଭିଯୋଗ କରିଛନ୍ତି । ତେଣୁ ରାଜ୍ୟରେ ଯେଉଁ ଯେଉଁ ଜିଲ୍ଲାର ଚାଷୀମାନେ ଫସଲ ବୀମା ସହାୟତା ଅର୍ଥ ପାଇବାରୁ ବର୍ତ୍ତମାନ ସୁଦ୍ଧା ବଞ୍ଚିତ ଅଛନ୍ତି । ସେମାନଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ପାଇଁ କମିଶନର ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବି କରିଛନ୍ତି।
Comments are closed.