ଆଜି ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଓ ବଦ୍ରିନାଥ ଗସ୍ତ

୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଯୋଗାଯୋଗ ପ୍ରକଳ୍ପ ଶିଳାନ୍ୟାସ କରିବେ

ଗୌରୀକୁଣ୍ଡରୁ କେଦାରନାଥ ଓ ଗୋବିନ୍ଦଘାଟରୁ ହେମକୁଣ୍ଡ ସାହେବ ପର୍ଯ୍ୟନ୍ତ ଦୁଇଟି ନୂଆ ରୋପ ୱେ ପ୍ରକଳ୍ପର ଶିଳାନ୍ୟାସ କରିବେ ଶ୍ରୀ ମୋଦୀ

ସବୁଦିନିଆ ସଡକ ସଂଯୋଗ ବୃଦ୍ଧି ପାଇଁ ପ୍ରାୟ ୧୦୦୦ କୋଟିର ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପ ଶିଳାନ୍ୟାସ 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର(ଆଜି) ଉତ୍ତରାଖଣ୍ଡ ଗସ୍ତ କରିବେ। ସେ କେଦାରନାଥ ସ୍ଥିତ ଶ୍ରୀ କେଦାରନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିବେ। ପ୍ରଧାନମନ୍ତ୍ରୀ କେଦାରନାଥ ରୋପ-ୱେ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ସେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ସମାଧି ସ୍ଥଳ ପରିଦର୍ଶନ କରିବେ । ପ୍ରଧାନମନ୍ତ୍ରୀ ମନ୍ଦାକିନୀ ଅଷ୍ଟପଥ ଓ ସରସ୍ୱତୀ ଅଷ୍ଟପଥର ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ।

ଏଠାରୁ ପ୍ରଧାନମନ୍ତ୍ରୀ ବଦ୍ରିନାଥ ଯିବେ। ପ୍ରଧାନମନ୍ତ୍ରୀ ଶ୍ରୀ ବଦ୍ରିନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିବେ। ସେ ନଦୀତଟ ବିକାଶ କାର୍ଯ୍ୟର ପ୍ରଗତି ସମୀକ୍ଷା କରିବେ ।  ପ୍ରଧାନମନ୍ତ୍ରୀ ମାନା ଗାଁରେ ରାସ୍ତା ଓ ରୋପୱେ ପ୍ରକଳ୍ପର ଶିଳାନ୍ୟାସ କରିବେ। ପରେସେ ଆଗମନ ପ୍ଲାଜା ଓ ହ୍ରଦଗୁଡିକର ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ।

prayash

କେଦାରନାଥ ରୋପ ୱେ ପ୍ରାୟ ୯.୭ କିଲୋମିଟରର ହେବ ଓ ଗୌରୀକୁଣ୍ଡ ଏବଂ କେଦାରନାଥକୁ ସଂଯୋଗ କରିବ । ଏହି ଦୁଇଟି ସ୍ଥାନକୁ ଯାତ୍ରା ପାଇଁ ଏବେ ୬ରୁ ୭ ଘଣ୍ଟା ସମୟ ଲାଗୁଥିବା ବେଳେ ରୋପୱେ ଦ୍ୱାରା ଏହି ଯାତ୍ରା ୩୦ ମିନିଟରେ ହୋଇପାରିବ । ହେମକୁଣ୍ଡ ରୋପୱେ ଗୋବିନ୍ଦଘାଟରୁ ହେମକୁଣ୍ଡ ସାହେବକୁ ସଂଯୋଗ କରିବ । ଏହାର ଦୈର୍ଘ୍ୟ ୧୨.୪ କିଲୋମିଟର ରହିବ ଓ ଏହାଦ୍ୱାରା ପୂର୍ବରୁ ଦିନକରୁ ଅଧିକ ସମୟ ଲାଗୁଥିବା ଯାତ୍ରା ଅବଧି ଏବେ ମାତ୍ର ୪୫ ମିନିଟରେ ସୀମିତ ରହିବ ।

ଏହି ରୋପୱେ ଭ୍ୟାଲି ଅଫ ଫ୍ଲାୱାର୍ସ ଜାତୀୟ ଉଦ୍ୟାନର ପ୍ରବେଶ ଦ୍ୱାର ଘଙ୍ଗାରିଆକୁ ସଂଯୋଗ କରିବ । ପ୍ରାୟ ୨୪୩୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଏହି ରୋପୱେ ସୁରକ୍ଷିତ, ନିରାପଦ ଓ ସ୍ଥାୟୀ ପରିବହନ ପ୍ରଦାନ କରୁଥିବା ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ପାଲଟିବ । ପ୍ରମୁଖ ଭିତ୍ତିଭୂମିର ବିକାଶ ଦ୍ୱାରା ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ । ଯାହାଦ୍ୱାରା ଅଞ୍ଚଳର ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ ଓ ବହୁମୁଖୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି ଗସ୍ତ ଅବସରରେ ପ୍ରାୟ ୧୦୦୦ କୋଟି ମୂଲ୍ୟର ସଡକ ସମ୍ପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ ହେବ। ଦୁଇଟି ସଡକ ସମ୍ପ୍ରସାରଣ ପ୍ରକଳ୍ପ- ମାନାରୁ ମାନାପାସ (ଏନଏଚ ୦୭) ଓ ଯୋଶୀମଠରୁ ମଲାରି (ଏନଏଚ ୧୦୭ବି) ସୀମାନ୍ତ ଅଞ୍ଚଳକୁ ଅଲୱେଦର ସଡକ ସଂଯୋଗ ପାଇଁ ଆଉ ଏକ ପଦକ୍ଷେପ ପାଲଟିବ । ସଂଯୋଗୀକରଣକୁ ପ୍ରୋତ୍ସାହିତ କରିବା ସହ ଏହି ପ୍ରକଳ୍ପଗୁଡିକ ରଣନୈତିକ ଦୃଷ୍ଟିରୁ ମଧ୍ୟ ବେଶ ଲାଭଦାୟକ ହେବେ ।

କେଦାରନାଥ ଓ ବଦ୍ରିନାଥ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ମନ୍ଦିର ମଧ୍ୟରୁ ଅନ୍ୟତମ। ଏହି ଅଞ୍ଚଳ ପବିତ୍ର ଶିଖ ପର୍ଯ୍ୟଟନ ସ୍ଥଳୀ ହେମକୁଣ୍ଡ ସାହେବ ପାଇଁ ମଧ୍ୟ ପ୍ରସିଦ୍ଧ । ଆରମ୍ଭ ହେଉଥିବା ଏହି ସଂଯୋଗୀକରଣ ପ୍ରକଳ୍ପଗୁଡିକ ଧାର୍ମିକ ମହତ୍ତ୍ୱ ଥିବା ସ୍ଥାନକୁ ସୁବିଧାରେ ପହଞ୍ଚିବା ଓ ମୈାଳିକ ଭିତ୍ତିଭୂମି ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

kalyan agarbati

Comments are closed.