ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଚାଷୀମାନଙ୍କ ବିକଳ୍ପ ଆୟ ପନ୍ଥା ନିମନ୍ତେ ରଣନୀତି ସଫଳତା ଦେଉଛି। ଆଜି ଗୁଜରାଟର ସାବରକାଂଠା ଅନ୍ତର୍ଗତ ଗାଧୋଡ଼ା ଚୌକି ସ୍ଥିତ ସାବର ଡାଏରୀ ଠାରେ ଶ୍ରୀ ମୋଦି ଏକ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବା ସହ ସେ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ। ପ୍ରଧାନମନ୍ତ୍ରୀ ମଧ୍ୟ ସୁକନ୍ୟା ସମୃଦ୍ଧି ଯୋଜନାର ହିତାଧିକାରୀ ଓ ମହିଳାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଦୁଗ୍ଧ ଉତ୍ପାଦନକାରୀଙ୍କୁ ସମ୍ମାନିତ କରିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ସାବର ଡାଏରୀର ସମ୍ପ୍ରସାରଣ ଘଟିଛି। ଶହ ଶହ କୋଟି ଟଙ୍କାର ନୂତନ ପ୍ରକଳ୍ପ ଏଠାରେ ସ୍ଥାପିତ ହୋଇଛି। ଦୁଗ୍ଧ ଗୁଣ୍ଡ ଉତ୍ପାଦନ କାରଖାନା ସ୍ଥାପନ ସହ ସାବର ଡାଏରୀର ସାମର୍ଥ୍ୟ ଆହୁରି ବୃଦ୍ଧି ପାଇବ। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଯୋଗୁଁ ପ୍ୟାକିଂ ପଦ୍ଧତି ମଧ୍ୟ ପାଚନକ୍ରିୟା ବିହୀନ ହେବ। ସାବର ଡାଏରୀର ଅନ୍ୟତମ ପ୍ରତିଷ୍ଠାତା ଭୂରେ ଭାଇ ପଟେଲଙ୍କ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ। ପ୍ରଧାନମନ୍ତ୍ରୀ ସେ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କର ମଧ୍ୟ ସ୍ମୃତିଚାରଣ କରିଥିଲେ।
ଦୁଇ ଦଶନ୍ଧି ପୂର୍ବେ ସେ ଞ୍ଚଳର ଦାରିଦ୍ର୍ୟ ଓ ମରୁଡ଼ି ବିଷୟରେ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ। ସେ କିପରି ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଅଂଚଳର ସମସ୍ୟା ଦୂର କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ ତାହା ମାନେ ପକାଇଥିଲେ। ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ସେତେବେଳେ ପ୍ରମୁଖ କାର୍ୟ୍ୟ ଥିଲା। ସେ ମଧ୍ୟ ଗୋଖାଦ୍ୟ, ଔଷଧପତ୍ର ଓ ଆୟୁର୍ବେଦ ଉପଚାର ଜରିଆରେ ପଶୁ ସମ୍ପଦ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ଗୁଜରାଟ ଜ୍ୟୋତିଗ୍ରାମ ଯୋଜନା କିପରି ବିକାଶକୁ ତ୍ୱରାନ୍ୱିତ କରିଥିଲା ତା’ର ଅବତାରଣା କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଇ ଦଶନ୍ଧି ପୂର୍ବରୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଆଜି ଗୁଜରାଟରେ ଦୁଗ୍ଧ ବଜାର ଏକ ଲକ୍ଷ କୋଟି ଟଙ୍କାର କାରବାର କରୁଛି। ୨ଠଠ୭ ଓ ୨ଠ୧୧ରେ ସେ ଏହି ଅଞ୍ଚଳ ପରିଦର୍ଶନ ବେଳେ କିପରି ମହିଳାଙ୍କ ସହଭାଗିତା ଅଧିକ ହେବ ତା’ର ସ୍ମରଣ କରାଇ ଦେଇଥିଲେ। ଆଜି ଅଧିକାଂଶ କମିଟିରେ ମହିଳାଙ୍କ ବେଶ ଭଲ ପ୍ରତିନିଧିତ୍ୱ ରହିଛି। କ୍ଷୀର ବାବଦ ଅର୍ଥ ପଇଠ ମହିଳାଙ୍କୁ କରାଯାଇଥାଏ ବୋଲି ସେ କହିଥିଲେ।
ଶ୍ରୀ ମୋଦି କହିଥିଲେ, ଆଜି ଦେଶରେ ଦଶ ହଜାର ଚାଷୀ ଉତ୍ପାଦକ ସଂଘ ପୁରା ଦମରେ କାର୍ୟ୍ୟ କରୁଛି। ଏହି ଏଫପିଓଗୁଡ଼ିକ ଜରିଆରେ କ୍ଷୁଦ୍ର ଚାଷୀଗଣ ସିଧାସଳଖ ଖାଦ୍ୟ ପ୍ରକ୍ରିୟାକରଣ, ମୂଲ୍ୟଭିତ୍ତିକ ରପ୍ତାନୀ ଓ ଯୋଗାଣ ବ୍ୟବସ୍ଥା ସହ ଯୋଡ଼ି ହୋଇପାରୁଛନ୍ତି। ଗୁଜରାଟର ଚାଷୀମାନେ ମଧ୍ୟ ଏହାଦ୍ୱାରା ଅନେକ ଲାଭ ପାଇବେ ବୋଲି ସେ କହିଛନ୍ତି। ସେ କହିଥିଲେ ଯେ ଚାଷୀମାନଙ୍କ ଆୟ ବୃଦ୍ଧି ନିମନ୍ତେ ଗ୍ରହଣ କରାଯାଇଥିବା ବିକଳ୍ପ ରଣନୀତି ସଫଳ ହେବାକୁ ଯାଉଛି। ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ମହୁ ଉତ୍ପାଦନ ଚାଷୀମାନଙ୍କୁ ଭଲ ଆୟ ଦେଉଛି। ପ୍ରଥମ ଥର ପାଇଁ ଖଦୀ ଓ ଗ୍ରାମଦ୍ୟୋଗ କାରବାର ଏକ ଲକ୍ଷ କୋଟି ଟଙ୍କା ପାର କରିଛି । ଗ୍ରାମାଞ୍ଚଳରେ ଏହି କ୍ଷେତ୍ରରେ ଦେଢ଼ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ପେଟ୍ରୋଲରେ ଇଥାନଲ ମିଶ୍ରଣ ଚାଷୀମାନଙ୍କ ନିମନ୍ତେ ଆୟର ନୂଆ ମାର୍ଗ ଖୋଲିଛି।



