ଚଳିତ ନିର୍ବାଚନ ଭାରତୀୟ ସମ୍ବିଧାନ ଉପରେ ଆସ୍ଥାର ବିଜୟ – ନରେନ୍ଦ୍ର ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏନଡିଏ କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବ। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଚଳିତ ନିର୍ବାଚନରେ ଲୋକମାନେ ବିଜେପି ଏବଂ ଏନଡିଏ ଉପରେ ପୂର୍ଣ୍ଣ ବିଶ୍ୱାସ ଦେଖାଇଛନ୍ତି। ଏହା ଭାରତୀୟ ସମ୍ବିଧାନ ଉପରେ ଆସ୍ଥାର ବିଜୟ ଏବଂ ସବକା ସାଥ, ସବକା ବିକାଶର ମନ୍ତ୍ର ବୋଲି ଶ୍ରୀ ମୋଦୀ କହିଛନ୍ତି। ଲୋକସଭା ନିର୍ବାଚନର ସଫଳ ପରିଚାଳନାରେ ସମ୍ପୃକ୍ତ ନିର୍ବାଚନ ଆୟୋଗ ଏବଂ ଅନ୍ୟମାନଙ୍କ ପ୍ରୟାସକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

ଶ୍ରୀ ମୋଦି କହିଛନ୍ତି, ଉତ୍ତମ ପ୍ରଶାସନ ଏବଂ ଓଡ଼ିଶାର ଅଭିନବ ସଂସ୍କୃତି ପାଇଁ ଏହା ଏକ ଐତିହାସିକ ବିଜୟ। ଓଡ଼ିଶାବାସୀଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ରାଜ୍ୟକୁ ପ୍ରଗତିର ନୂତନ ଶିଖରକୁ ନେଇଯିବା ଲାଗି ବିଜେପି ସବୁ ପ୍ରକାର ଉଦ୍ୟମ କରିବ ବୋଲି କହିବା ସହ ସେ କଠିନ ପରିଶ୍ରମ କରିଥିବା ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏନଡିଏ ଗଠନ ପରେ ଭାରତୀୟ ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ କୌଣସି ମେଣ୍ଟ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବ ବୋଲି ଦଳର ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ବିରୋଧୀମାନେ ନକାରାତ୍ମକ ମାନସିକତା ସହ କାମ କରୁଛନ୍ତି ଏବଂ ଗତ ପାଞ୍ଚ ବର୍ଷ ମଧ୍ୟରେ ସେମାନେ କିଛି ସକାରାତ୍ମକ ଯୋଗଦାନ ଦେଇନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

Comments are closed.