କିଷାନ୍ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ : କଥା ହେବେ ନବରଙ୍ଗପୁର ଚାଷୀଙ୍କ ସହ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିବେ। ଏହି କାର୍ୟ୍ୟକ୍ରମରେ ପି.ଏମ୍. କିଷାନ ଯୋଜନା ଅଧୀନରେ ପୂର୍ବରୁ ମନୋନୀତ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ପ୍ରଥମ କିସ୍ତିରେ ଦୁଇ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଇ-ହସ୍ତାନ୍ତର ମାଧ୍ୟମରେ ଜମା କରାଯିବ। ଏହାଛଡ଼ା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର କେତେକ ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କ ସହିତ ମତବିନିମୟ କରିବା ସହିତ ଅନ୍ୟ କେତେକ କୃତି ଚାଷୀଙ୍କୁ ମାନପତ୍ର ପ୍ରଦାନ କରିବେ। ୨୦୧୯ ଫେବୃଆରୀ ପହିଲାରେ ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆଗତ କରାଯାଇଥିବା ଅନ୍ତରିଣ ବଜେଟ୍ରେ ପି.ଏମ୍ କିଷାନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧି କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଦେଶର ୧୨ କୋଟିରୁ ଊର୍ଦ୍ଧ୍ବ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇପାରିବେ। ଏଥିଲାଗି କେନ୍ଦ୍ର ସରକାର ଶତପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦେବେ। ଏହି ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଚାଷୀ ଚିହ୍ନଟ କରି ସେମାନଙ୍କ ତାଲିକା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ। ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର କାର୍ୟ୍ୟକ୍ରମ ରହିଛି। ଏଥିସହ ଶ୍ରୀ ମୋଦି ଏକ ଜନସମାବେଶରେ ମଧ୍ୟ ଉଦ୍ବୋଧନ ଦେବେ।
ଏହି ଅବସରରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର କୃଷକଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ କଥା ହେବେ। ନବରଙ୍ଗପୁର ନୂଆ ବସଷ୍ଟାଣ୍ଡରେ ଏ ନେଇ ଆୟୋଜନ କରାଯାଇଥିବା ଜଣାପଡିଛି।