୨୦୫୦ରେ ପ୍ଳାଷ୍ଟିକ୍ ମାଛ!
ନୂଆଦିଲ୍ଲୀ: ଦିନକୁ ଦିନ ପ୍ଲାଷ୍ଟିକ୍ ସାମଗ୍ରୀ ଓ ପଲିଥିନ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ବର୍ଜ୍ୟ ପଲିଥିନ ଚାପରେ କେବଳ ପରିବେଶ ଭାରାକ୍ରାନ୍ତ ହେଉ ନାହିଁ ବରଂ ପ୍ରାଣୀ ଜଗତ ପାଇଁ ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଯଦି ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ୨୦୫୦ ବେଳକୁ ଆମକୁ ପ୍ଳାଷ୍ଟିକ୍ ମାଛ ଖାଇବାକୁ ପଡ଼ିପାରେ ବୋଲି ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶବିତ୍ ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି।
ପଲିଥିନ୍ରେ ଭୂପୃଷ୍ଠ ତୁଳନାରେ ଜଳଭାଗ ଅଧିକ ପ୍ରଦୂଷିତ ହୋଇଛି। ପର୍ଯ୍ୟାୟକ୍ରମେ ବର୍ଜ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ ମହାସାଗରରେ ଠୁଳ ହେଉଥିବାରୁ ମହାସାଗର ଜଳରାଶି ବିଷାକ୍ତ ହେବାରେ ଲାଗିଛି। ମହାସାଗରରେ ବାସ କରୁଥିବା ପ୍ରାଣୀଜଗତ ଏଥିଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି। ପରିବେଶବିତ୍ଙ୍କ ତଥ୍ୟ ଅନୁଯାୟୀ ବର୍ଜ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ ଯୋଗୁଁ ମହାସାଗରର ୨୬୭ଟି ପ୍ରଜାତିର ପ୍ରାଣୀଙ୍କ ଶରୀର ବିଷାକ୍ତ ପାଲଟିଛି। ସେଥିମଧ୍ୟରୁ ୮୬% ସମୁଦ୍ର କଇଁଛ, ୪୪% ସାମୁଦ୍ରିକ ପକ୍ଷୀ, ୪୩% ସ୍ତନ୍ୟପାୟୀଙ୍କ ଶରୀରରେ ବିଷକ୍ରିୟା ଦେଖାଦେଇଛି। ବାର୍ଷିକ ୮.୮ ନିୟୁତ ଟନ୍ ବର୍ଜ୍ୟ ପ୍ଳାଷ୍ଟିକ ଓ ପଲିଥିନ ସମୁଦ୍ରରେ ମିଶୁଛି। ଏବେଠାରେ ଏହାକୁ ନିୟନ୍ତ୍ରଣ କରାନଗଲେ ୨୦୫୦ ବେଳକୁ ମଣିଷମାନେ କେବଳ ପ୍ଲାଷ୍ଟିକ୍ ମାଛ ଖାଇବାକୁ ପଡ଼ିବ ବୋଲି ଆଶଙ୍କା କରାଯାଉଛି।
ଆଗରେ ଚୀନ୍
ବର୍ଜ ପ୍ଲାଷ୍ଟିକ ସୃଷ୍ଟି କରିବାରେ ସର୍ବାଗ୍ରେ ଚୀନ୍ ରହିଥିବା ବେଳେ ତା’ ପଛକୁ ଇଣ୍ଡୋନେସିଆ, ଫିଲିପାଇନ୍ସ ଆଦି କ୍ରମାନ୍ୱୟରେ ଅଛନ୍ତି। ଚୀନ୍ରୁ ବାର୍ଷିକ ୮.୮ ନିୟୁତ ଟନ୍ ପ୍ଳାଷ୍ଟିକ୍ ବର୍ଜ୍ୟ ସୃଷ୍ଟି ହେଉଥିବା ବେଳେ ସେଥିମଧ୍ୟରୁ ସମୁଦ୍ରକୁ ଯାଉଛି ହାରାହାରି ୩.୫୩ ନିୟୁତ ଟନ୍। ସେହିପରି ଇଣ୍ଡୋନେସିଆରୁ ୩.୨ ନିୟୁତ ଟନ୍, ଫିଲିପାଇନ୍ସରୁ ୧.୯ନିୟୁତ ଟନ୍, ଭିଏତନାମରୁ ୧.୮ ନିୟୁତ ଟନ୍, ଶ୍ରୀଲଙ୍କାରୁ ୧.୬ ନିୟୁତ ଟନ୍ ବର୍ଜ୍ୟ ପ୍ଲାଷ୍ଟିକ ନିର୍ଗତ ହେଉଛି।
ଭାରତର ସ୍ଥାନ
ବର୍ଜ୍ୟ ପ୍ଳାଷ୍ଟିକ ସୃଷ୍ଟି ତାଲିକାରେ ଭାରତ ବିଶ୍ୱର ୨୦ତମ ସ୍ଥାନରେ ରହିଛି। ବର୍ଷକୁ ଭାରତର ଉପକୂଳରୁ ୬ ଲକ୍ଷ ଟନ୍ ବର୍ଜ୍ୟ ପ୍ଲାଷ୍ଟିକ୍ ସୃଷ୍ଟି ହେଉଥିବା ବେଳେ ସେଥିମଧ୍ୟରୁ ୨ ଲକ୍ଷ ୪ ହଜାର ଟନ୍ ସମୁଦ୍ର ଭିତରକୁ ଯାଉଛି। ଭାରତରେ ସର୍ବାଧିକ ବର୍ଜ୍ୟସୃଷ୍ଟିକାରୀ ରାଜ୍ୟ ମଧ୍ୟରେ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି। ଦିଲ୍ଲୀରେ ବାର୍ଷିକ ୬୯୯ ଟନ୍ ବର୍ଜ୍ୟ ପ୍ଳାଷ୍ଟିକ୍ ସୃଷ୍ଟି ହେଉଥିବା ବେଳେ ତା’ ପଛକୁ ଚେନ୍ନଇରୁ ୪୩୦ ଟନ୍, ମୁମ୍ବଇରୁ ୪୦୮ ଟନ୍, ବେଙ୍ଗାଲୁରୁରୁ ୩୧୪ ଟନ୍, ହାଇଦ୍ରାବାଦରୁ ୧୯୯ଟନ୍ ବର୍ଜ୍ୟ ପ୍ଲାଷ୍ଟିକ୍ ସୃଷ୍ଟି ହେଉଛି।
ପଲିଥିନ ମୁକ୍ତ ଉଦ୍ୟମ
ପ୍ଲାଷ୍ଟିକ ଓ ପଲିଥିନ ମୁହଁରୁ ପରିବେଶ ଓ ଜୀବଜଗତର ସୁରକ୍ଷା ପାଇଁ ଆମେରିକା ସମେତ ଜାତିସଂଘ ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୧୭ରେ ନାଇରୋବିଠାରେ ପ୍ରାୟ ୨୦୦ ରାଷ୍ଟ୍ର ଏକ ମିଳିତ ରାଜିନାମାରେ ସ୍ୱାକ୍ଷର କରି ପ୍ଳାଷ୍ଟିକ୍ ବ୍ୟବହାର ହ୍ରାସ ପାଇଁ ସଂକଳ୍ପ କରିଥିଲେ। ଅବଶ୍ୟ ଏହାପୂର୍ବରୁ କେତେକ ରାଷ୍ଟ୍ର ଏ ଦିଗରେ ଉଲ୍ଲେଖନୀୟ ଓ ଫଳପ୍ରଦ ଉଦ୍ୟମ କରିଛନ୍ତି। ୨୦୦୮ରେ ଆଫ୍ରିକୀୟ ରାଷ୍ଟ ରାୱଣ୍ଡା ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ ରାଷ୍ଟ୍ର ଘୋଷିତ ହୋଇଥିବା ବେଳେ ୨୦୧୬ରେ ଫ୍ରାନ୍ସରେ ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ ଆଇନ୍ ପ୍ରଣୟନ ହୋଇଛି। ୨୦୨୦ସୁଦ୍ଧା ସେଠାରେ ପ୍ଳାଷ୍ଟିକ ସାମଗ୍ରୀ ଉତ୍ପାଦନ ଉପରେ କଟକଣା ଜାରି କରାଯାଇଥିବା ବେଳେ ୨୦୨୫ ସୁଦ୍ଧା ବ୍ୟବହାର ଅଧା ହ୍ରାସ କରିବାକୁ ନିୟମ କରାଯାଇଛି।