ଅକ୍ଟୋବର ୨ରୁ ଓଡ଼ିଶାରେ ପ୍ଲାଷ୍ଟିକ ନିଷିଦ୍ଧ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ଓଡ଼ିଶାରେ ପ୍ଳାଷ୍ଟିକ୍‍ ସମ୍ପୂର୍ଣ୍ଣ ନିଷେଧ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ପରେ ଓଡ଼ିଶା ଦେଶର ତୃତୀୟ ରାଜ୍ୟ ଭାବେ ପ୍ଳାଷ୍ଟିକ ନିରୋଧୀ ଅଭିଯାନରେ ସାମିଲ୍‍ ହେବାକୁ ଯାଉଛି। ଗତ ଜୁନ୍‍ ୨୫ ତାରିଖରୁ ମହାରାଷ୍ଟ୍ରରେ ପ୍ଲାଷ୍ଟିକ୍‍ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ପ୍ଳାଷ୍ଟିକ୍‍ କଟକଣା ଖୁବ୍‍ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏହିକ୍ରମରେ ଓଡ଼ିଶାରେ ପ୍ଳାଷ୍ଟିକ କଟକଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଯୁଗାନ୍ତକାରୀ ଘୋଷଣା କରିଛନ୍ତି।
‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ପୂର୍ବରୁ ଆଜି ସଚ୍ଚିବାଳୟରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ ଅବସରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବେଶ ଓ ଓଡ଼ିଶାରେ ପ୍ଳାଷ୍ଟିକ୍‍ ବ୍ୟବହାର ନିଷେଧ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ ‘ପ୍ଳାଷ୍ଟିକ୍‍ ଆମ ପରିବେଶ, ଭବିଷ୍ୟତ ପିଢ଼ି ଓ ସଭ୍ୟତା ପ୍ରତି ବିପଦ। ତେଣୁ ଓଡ଼ିଶାରୁ ପ୍ଳାଷ୍ଟିକ୍‍ ସମ୍ପୂର୍ଣ୍ଣ ନିଷେଧ ପାଇଁ ମୁୁଁ ନିଷ୍ପତ୍ତି ନେଇଛି।’
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ନିର୍ଦେଶ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଅକ୍ଟୋବର ୨ ତାରିଖରୁ ଓଡ଼ିଶାର ସମସ୍ତ ମହାନଗର ନିଗମ ଓ ପୁରୀରେ ପ୍ଲାଷ୍ଟିକ୍‍ ବ୍ୟାଗ୍‍, ପଲିଥିନ ଓ ଥରେ ମାତ୍ର ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‍ ସାମଗ୍ରୀ ସମ୍ପୂର୍ଣ୍ଣ ନିଷେଧ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତା ୨ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ପ୍ଲାଷ୍ଟିକ୍‍ ବ୍ୟବହାର ନିଷେଧ ହେବ। ଏହି ନିର୍ଦେଶ କାର୍ଯ୍ୟକାରୀ ପାଇଁ ସହରାଞ୍ଚଳରେ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ଏବଂ ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ସମଗ୍ର ରାଜ୍ୟରେ ଏହି ନିର୍ଦେଶ ଅନୁପାଳନର ତଦାରଖ ଦାୟିତ୍ୱ ଜଙ୍ଗଲ ଓ ପରିବେଶ ବିଭାଗକୁ ଦିଆଯାଇଛି। ପ୍ଳାଷ୍ଟିକ ନିଷେଧ ଅଭିଯାନରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି।
ପରିବେଶ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଜୀବଜଗତର ସୁରକ୍ଷା ପାଇଁ ଗଛର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗଛ ରହିଲେ ପରିବେଶ ଭଲ ରହିବ। ପରିବେଶ ଭଲ ରହିଲେ ଆମେ ସୁସ୍ଥ ରହି ସମାଜ ଓ ପରିବାରର ଉନ୍ନତି ପାଇଁ କାମ କରିପାରିବା। ଗଛ ସହିତ ଆମ ସଂସ୍କୃତି ଜଡ଼ିତ। ତେଣୁ ଚଳିତ ବର୍ଷା ଋତୁରେ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇ ନିଜ ପରିବାର ପରି ତାହାର ଯତ୍ନ ନେବା ଉଚିତ। ଗତ କିଛି ବର୍ଷ ଭିତରେ ରାଜ୍ୟରେ ବନୀକରଣ ହାର ଜାତୀୟ ହାରଠାରୁ ଊଦ୍ଧ୍ୱର୍ରେ ରହିଥିବାରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Leave A Reply