ପିପିଲି: ରଙ୍ଗୀନ ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଥିବା ନବରଙ୍ଗପୁର ଜିଲାର ଜନଜାତି ମହିଳା ଓ ପୁରୁଷ କୃଷିଜିବୀଙ୍କ ପାଇଁ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ଠାରେ ଏକ ୩ଦିନିଆ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ଏସ୍.ଟି.ସି କାର୍ଯ୍ୟକ୍ରମ ଜରିଆରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ନବରଙ୍ଗପୁର ଜିଲାର ଉମରକୋଟ, ନବରଙ୍ଗପୁର, ନନ୍ଦାହାଣ୍ଡି, ତେନ୍ତୁଳିକୁଣ୍ଡି ବ୍ଲକର ୨୧ ଜଣ ଜନଜାତି ମହିଳା ଓ ୧୦ ଜଣ ପୁରୁଷ କୃଷିଜିବୀଙ୍କୁ ରଙ୍ଗୀନମାଛ ଚାଷ, ପ୍ରଜନନ, ରଙ୍ଗୀନମାଛ ଫାର୍ମ ପ୍ରତିଷ୍ଠା, ଆକ୍ୱାରିୟମ ନିର୍ମାଣ, ବ୍ୟବସାୟ କୌଶଳ ଓ ବଜାର ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରାଯାଉଛି। ପ୍ରଶିକ୍ଷଣ ପରେ ପ୍ରଶିକ୍ଷାର୍ଥୀକୁ ରଙ୍ଗୀନମାଛ ଚାଷ ନିମନ୍ତେ ଆବଶ୍ୟକୀୟ ଉପାଦାନ ପ୍ରଦାନ କରାଯିବାକୁ ଥିବା ବେଳେ ଏହି କୃଷକମାନଙ୍କୁ ଅଧିକ ଜ୍ଞାନକୌଶଳ ପ୍ରଦାନ ପାଇଁ ନବରଙ୍ଗପୁର ଜିଲାର ୨ ଜଣ ସହାୟକ କୃଷି ଅଧିକାରୀଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ସୂଚନା ମିଳିଛି।
ସିଫା ପରିସରରେ ଆୟୋଜିତ ଏହାର ଉଦ୍ଘାଟନୀ ଉତ୍ସବରେ ସିଫାର ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିବା ଅବସରରେ ଦେବଗଡ ଜିଲାର ‘ଲାଣ୍ଡିଝରି ରଙ୍ଗୀନ ମାଛ ଗାଁ’ ର ଉଦାହରଣ ଦେଇ ନବରଙ୍ଗପୁରରେ ଏହାକୁ ସଫଳ କରି ଦୃଷ୍ଟାନ୍ତ ସୃଷ୍ଟି କରିବାକୁ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। ଏସ୍.ଟି.ସି କାର୍ଯ୍ୟକ୍ରମର ଚେୟାରମ୍ୟାନ ଡ଼ଃ ପି. ରାଉତରାୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିବା ସହ ଏହାର ସଫଳତା କାମନା କରିଥିଲେ। କୃଷିବିଜ୍ଞାନ କେନ୍ଦ୍ର-ଖୋର୍ଦ୍ଧାର ମୁଖ୍ୟ ଡ଼ଃ ଏସ୍.ଏସ୍. ଗିରି, ସିଫାର ମୁଖ୍ୟ ପ୍ରଶାସକ ବି.କେ.ସିହ୍ନା ପ୍ରମୁଖ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ସିଫା ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏସ୍.ଟି.ସି ନବରଙ୍ଗପୁର ଟିମ୍ର ଚେୟାରମ୍ୟାନ୍ ଡ଼ଃ ଏନ.କେ. ବାରିକ ନବରଙ୍ଗପୁର ଜିଲାରେ ପ୍ରତିଷ୍ଠିତ ରଙ୍ଗୀନ ମାଛ ଚାଷ ଗାଁ ଉପରେ ଆଲୋକପାତ କରିଥିବା ବେଳେ ଡ଼ଃ ସୁନିଲ ଆଇଲ୍ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।



