କାର୍‌‌ ଧକ୍କାରେ ବୋଲବମ ଭକ୍ତଙ୍କ ଗୋଡ କଟିଲା

ପିପିଲି:କାର୍‌‌ ଧକ୍କାରେ ଜଣେ ବୋଲବମ ଭକ୍ତଙ୍କ ଗୋଡ କଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପିପିଲି ଥାନା ଅନ୍ତର୍ଗତ କୁଳଶିଖରପାଟଣା ଗ୍ରାମ୍ୟଛକ ଠାରେ। ଆହତ ବୋଲବମ ଭକ୍ତଙ୍କ ନାମ ସରୋଜ କୁମାର ସାହୁ (୨୬) ଓ ତାଙ୍କ ଘର ପୁରୀ ସଦର ଥାନା ଅଧିନ ବ୍ରହ୍ମଗିରି ବ୍ଲକର କପିଳେଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ ଅମୁରୀ ବନସ୍ତପଦା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାଇ, ସରୋଜ ଓ ତାଙ୍କର ସାଥୀମାନେ ଗତ ଗୁରୁବାର ସଂନ୍ଧ୍ୟାରେ କଟକ ଗଡଗଡିଆ ଘାଟରୁ ଜଳଭାର ନେଇ ପୁରୀ ଶ୍ରୀଲୋକନାଥଙ୍କ ମନ୍ଦିର ଅଭିମୁଖେ ଯାଉଥିବା ବେଳେ ଶନିବାର ଦିନ ପିପିଲି ନିକଟବର୍ତ୍ତୀ କୁଳଶିଖରପାଟଣା ଗ୍ରାମ୍ୟଛକ ଠାରେ ବିଶ୍ରାମ ନେଇଥିଲେ। ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ଉକ୍ତ କୁଳଶିଖରପାଟଣା ଗ୍ରାମ୍ୟ ଛକ ଠାରେ ଥିବା ଏକ କଲଭର୍ଟ ପ୍ରାଚୀର ଉପରେ ସରୋଜ ଓ ତାଙ୍କର ଅନ୍ୟ ଦୁଇଜଣ ସାଙ୍ଗ ତଳକୁ ଗୋଡ ଓହଳାଇ ବସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ପୁରୀ ଦିଗରୁ ଦୃତ ଗତିରେ ଆସୁଥିବା ଏକ କାର୍‌‌ କୁଳଶିଖରପାଟଣା ଗ୍ରାମ୍ୟରାସ୍ତାରେ ଯିବାପାଇଁ ହଠାତ୍‌‌ କାର୍‌‌କୁ ବେପରୁଆ ଭାବେ ବୁଲାଇବା ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ କାର୍‌‌ଟି ଉକ୍ତ କଲଭର୍ଟ ପ୍ରାଚୀର ସହ ଧକ୍କା ଲାଗିଥିଲା। ପ୍ରାଚୀର ଉପରେ ବସିଥିବା ସରୋଜଙ୍କ ବାମ ଗୋଡରେ କାର୍‌‌ର ସମ୍ମୁଖ ଭାଗ ଖୁବ୍‌‌ ଜୋର୍‌‌ରେ ଧକ୍କା ଲାଗିବା ଫଳରେ ତାଙ୍କ ଗୋଡର ଗୋଇଠି ଠାରୁ ପାଦ ସଂପୂର୍ଣ୍ଣ କଟିଯାଇଥିଲା।

ଏଥିସହ ଉକ୍ତ ପ୍ରାଚୀରଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ସେଠାରେ ଥିବା ଅନ୍ୟଜଣେ ବୋଲବମ ଭକ୍ତ ମଳୟ ପ୍ରଧାନ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଯୁବ ସମାଜସେବୀ ବିଜୟରତ୍ନ ଜେନା ତୁରନ୍ତ ଉଭୟଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ସରୋଜଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‌‌ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଉକ୍ତ କଟା ପାଦକୁ ଅତି ଯତ୍ନର ସହ ସରୋଜଙ୍କ ସହ ପଠାଯାଇଛି। ଏହାକୁ ନେଇ ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ପିପିଲି ଥାନା ଏସ୍‌‌ଆଇ ରାଜନ ବିଶୋଇ ଘଟଣାସ୍ଥଳରେ ପହଞ୍ôଚ ଟ୍ରାଫିକ ସମସ୍ୟା ଦୂର କରିବା ସହ ଦୁର୍ଘଟଣା ଘଟାଇଥିବା କାର୍‌‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Comments are closed.