ଡକାୟତି ଯୋଜନା ବେଳେ ୫ ଅଭିଯୁକ୍ତ ଗିରଫ; ଖଣ୍ଡା ଓ କଟୁରୀ ଜବତ

ପିପିଲି : ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପିପିଲି ପୁଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ଅଞ୍ଚଳର ଭାସ୍କର ପ୍ରଧାନ (୨୩), ଖଡିକେରା ଗ୍ରାମର ଗଣେଶ ମଲ୍ଲିକ ଓରଫ ଚଗଲା (୩୨), ନୂଆସାହି ଗ୍ରାମର ଉମେଶ ବଳ ଓରଫ ବାପି (୨୮), ପିପିଲିଶାସନ ଗ୍ରାମର ସୁବାଷ ମଲ୍ଲିକ (୨୬) ଓ ପୁବାଶାସନ ତୋଟାସାହି ଗ୍ରାମର ସତ୍ୟନାରାୟଣ ଭୋଇ ଓରଫ ମନ୍ତ୍ରୀ (୨୮)। ସେମାନଙ୍କ ଠାରୁ ପୁଲିସ ଗୋଟିଏ ଖଣ୍ଡା, ଗୋଟିଏ କଟୁରୀ ସମେତ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ଅପରାହ୍ନରେ ପିପିଲି କୋର୍ଟ ଚାଲାଣ କରାଯାଇଛି।

prayash

ସୂଚନା ଅନୁଯାଇ, ଗତ ୨୯ ତାରିଖ ରାତିରେ ପିପିଲି ଥାନାର ଏସ୍‍ଆଇ ଭାସ୍କର ମାଣିଆ ଅନ୍ୟ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଜାତୀୟ ରାଜପଥରେ ରାତ୍ର ପେଟ୍ରୋଲିଂ କରୁଥିବା ସମୟରେ ଡକାୟତି ଯୋଜନା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ତରାକାଜ ଛକର ଏକ ନିର୍ଜ୍ଜନ ସ୍ଥାନରେ ୫ଜଣ ଅପରାଧି ମାରଣାସ୍ତ୍ର ସହ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ସଂପର୍କରେ ଖବର ପାଇ ଶ୍ରୀ ମାଣିଆ ସଦଳବଳେ ସେଠାରେ ଚଢାଉ କରିଥିଲେ। ପୁଲିସକୁ ଦେଖି ଉପରୋକ୍ତ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ ପୁଲିସ ସେମାନଙ୍କୁ ଗୋଡାଇ ଗୋଡାଇ ଧରିବାରେ ସକ୍ଷମ ହୋଇଥିଲା।

ସେମାନଙ୍କ ଠାରୁ ଖଣ୍ଡା, କଟୁରୀ ଓ ଅନ୍ୟାନ୍ୟ ସାମଗ୍ରୀକୁ ପୁଲିସ ଜବତ କରିଥିଲା। ଗିରଫ ଅଭିଯୁକ୍ତ ସତ୍ୟନାରାୟଣ ଭୋଇ ଓରଫ ମନ୍ତ୍ରୀ (୨୮) ନାମରେ ଏହାପୂର୍ବରୁ ପିପିଲି ଥାନାରେ ୧୫ଟି ମାମଲା ରହିଥିବା ବେଳେ ଉମେଶ ନାମରେ ୪ଟି ମାମଲା, ଗଣେଶ ମଲ୍ଲିକ ନାମରେ ପିପିଲି ଓ ଡେଲାଙ୍ଗ ଥାନାରେ ଗୋଟିଏ ଲେଖାଏଁ ମାମଲା ଏବଂ ଅଭିଯୁକ୍ତ ଭାସ୍କର ଓ ସୁବାଷ ନାମରେ ପିପିଲି ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ସଂପର୍କରେ ମାମଲାର ତଦନ୍ତକାରୀ ଅଧିକାରୀ ତଥା ପିପିଲି ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି।

 

Comments are closed.