ଠଣଠଣା ଗ୍ରୀଡ୍‌‌ରୁ ପିପିଲିକୁ ବିଦ୍ୟୁତ ସରବରାହ କେବେ ?

କାମରେ ଆସୁନି ୩୮ କୋଟି ବ୍ୟୟରେ ନିର୍ମିତ ୧୩୨/୩୩ କେଭି ବିଦ୍ୟୁତ୍‌‌ ଗ୍ରୀଡ

ପିପିଲି: ପିପିଲି ଓ ସତ୍ୟବାଦୀ ଅଞ୍ଚଳର ଲକ୍ଷାଧିକ ବିଦ୍ୟୁତ ଉପଭୋକ୍ତାଙ୍କ ଦୀର୍ଘ ୩୭ବର୍ଷର ବିଦ୍ୟୁତ୍‌‌ ସମସ୍ୟା ଦୂର କରିବା ପାଇଁ ପିପିଲିର ମଙ୍ଗଳପୁର ନିକଟ ଠଣଠଣାଠାରେ ନିର୍ମିତ ୧୩୨/୩୩ କେଭି ବିଦ୍ୟୁତ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ ଅଦ୍ୟାବଧି ଲୋକଙ୍କ ସେବାରେ ଲାଗିପାରିନାହିଁ। ଦୀର୍ଘ ୩ବର୍ଷ ତଳୁ କାର୍ଯ୍ୟକ୍ଷମ ହୋଇଥିବା ଏହି ଗ୍ରୀଡ୍‌‌ରୁ ଜଣେ ମଧ୍ୟ ଉପଭୋକ୍ତା ଉପକୃତ ହୋଇପାରିନାହାନ୍ତି। ଯେଉଁ ମହତ ଲକ୍ଷ୍ୟନେଇ ୩୮କୋଟି ଟଙ୍କା ବ୍ୟୟରେ ଏହି ବିଦ୍ୟୁତ ଗ୍ରୀଡ୍‌‌ ପ୍ରତିଷ୍ଠା କରାଯାଇଥିଲା, ତାହାର ସଫଳ ରୂପାୟନ ଅଦ୍ୟାବଧି ହୋଇପାରିନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ସରକାରୀ ଉଦାସିନତା ଓ ବିଭାଗୀୟ ଅବହେଳା ଯୋଗୁଁ ଏଯାବତ୍‌‌ ପିପିଲି ବିଦ୍ୟୁତ ସବ୍‌‌ଡିଭିଜନକୁ ଏହି ଗ୍ରୀଡ୍‌‌ରୁ ୩୩ କେଭି ବିଦ୍ୟୁତ ସଂଯୋଗ ହୋଇପାରିନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଏକ ବଡ଼ଧରଣର ଜନ ଆନ୍ଦୋଳନ ମୁଣ୍ଡ ଟେକୁଥିବା ସୂଚନା ମିଳିଛି।

ପିପିଲି ବିଦ୍ୟୁତ୍‌‌ ସବ୍‌‌ଡିଭିଜନକୁ ନିମାପଡ଼ାର ଦିଘାଳଠାରେ ଥିବା ୧୩୨/୩୩ କେଭି ବିଦ୍ୟୁତ୍‌‌ ଗ୍ରୀଡ୍‌‌ରୁ ଦୀର୍ଘ ୨୮ କିଲୋମିଟର ଅତିକ୍ରମ କରି ୩୬୨ଟି ଖୁଣ୍ଟିରେ ୩୩କେଭି ବିଦ୍ୟୁତ୍‌‌ ଆସୁଛି। ତେବେ ବର୍ଷା ଏବଂ ଅନ୍ୟାନ୍ୟ ଦୁର୍ବିପାକ ସମୟରେ ସୃଷ୍ଟି ହେଉଥିବା ବିଦ୍ୟୁତ୍‌‌ ବିଭ୍ରାଟର ମରାମତି ପାଇଁ ସମୟ ସାପେକ୍ଷ ହେବା ଯୋଗୁଁ ପିପିଲି ବିଦ୍ୟୁତ୍‌‌ ଅଞ୍ଚଳର ୩୨ହଜାରରୁ ଊର୍ଦ୍ଧ୍ବ ବିଦ୍ୟୁତ୍‌‌ ଉପଭୋକ୍ତାମାନେ ବହୁ ସମୟରେ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ବିଦ୍ୟୁତ୍‌‌ ଉପଭୋକ୍ତାଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ତେବେ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ୨୦୧୨ ମସିହାରେ ତତ୍‌‌କାଳୀନ ବିଧାୟକ ପ୍ରଦୀପ ମହାରଥୀଙ୍କ ଉଦ୍ୟମରେ ପିପିଲିର ମଙ୍ଗଳପୁର ନିକଟ ଠଣଠଣାଠାରେ ଏକ ୧୩୨/୩୩ କେଭି କ୍ଷମତା ସଂପନ୍ନ ବିଦ୍ୟୁତ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିବା ସହ ଏଥିପାଇଁ ୩୮କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ୨୦୧୬ ମସିହାରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ(ଓପିଟିସିଏଲ) ପକ୍ଷରୁ ସାଢେ ୫ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ହରିୟାଣାର ଗୁରୁଗ୍ରାମ ସ୍ଥିତ ଫ୍ଲୋମୋର ଲିମିଟେଡ୍‌‌ ନାମକ ଏକ ସଂସ୍ଥାକୁ ପ୍ରଦାନ କରାଯିବା ସହ ସେହି ବର୍ଷଠାରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ ଗତ ୨୦୧୯ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ୨୦୨୦ ଜୁନ ୨୫ ତାରିଖରେ ଏହି ଗ୍ରୀଡ୍‌‌କୁ ୧୩୨ କେଭି ବିଦ୍ୟୁତ୍‌‌ ଯୋଗାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। ସେହିବର୍ଷ ନଭେମ୍ବର ୬ ତାରିଖରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏହି ଗ୍ରୀଡ୍‌‌କୁ ଓପିଟିସିଏଲକୁ ହସ୍ତାନ୍ତର କରାଯାଇଥିଲା। ସେଠାରେ ଥିବା ୫ଟି ୩୩କେଭି ଫିଡର ସାହାର୍ଯ୍ୟରେ ସମଗ୍ର ପିପିଲି ବ୍ଳକ, ସତ୍ୟବାଦୀ ବ୍ଲକ ସମେତ ନିକଟବର୍ତ୍ତି ମଙ୍ଗଳପୁର ଝିଲିମିଲିପାଟଣା ଓ ବଳଙ୍ଗା ଅଞ୍ଚଳକୁ ୩୩ କେଭି ବିଦ୍ୟୁତ୍‌‌ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ପିପିଲି ବିଦ୍ୟୁତ୍‌‌ ସବ୍‌‌ଡିଭିଜନ ଓ ସତ୍ୟବାଦୀ ବିଦ୍ୟୁତ୍‌‌ ସବ୍‌‌ଡିଭିଜନର ଲକ୍ଷାଧିକ ବିଦ୍ୟୁତ୍‌‌ ଉପଭୋକ୍ତା ଏହାଦ୍ୱାର ଉପକୃତ ହେବାର ଯୋଜନା ଥିଲା। ଏହା ଦ୍ୱାରା ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ଦୀର୍ଘ ୩୭ବର୍ଷ ଧରି ଲାଗି ରହିଥିବା ବିଦ୍ୟୁତ୍‌‌ ସମସ୍ୟାର ସ୍ଥାୟୀ ପ୍ରତିକାର ହେବା ସହ ଆସନ୍ତା ୩୦ବର୍ଷ ପର୍ଯ୍ୟନ୍ତ କୌଣସି ବିଦ୍ୟୁତ୍‌‌ ସମସ୍ୟା ରହିବ ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଗ୍ରୀଡ୍‌‌ କାର୍ଯ୍ୟକ୍ଷମ ହେବାର ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଜଣେ ମଧ୍ୟ ଉପଭୋକ୍ତା ଏହି ଗ୍ରୀଡ୍‌‌ରୁ ଉପକୃତ ହୋଇପାରିନାହାନ୍ତି। ସବୁଠାରୁ ଦୁଃଖର ବିଷୟ ହେଉଛି, ଏହି ଗ୍ରୀଡ୍‌‌ରୁ ପିପିଲି ସମେତ ନିକଟବର୍ତ୍ତି ମଙ୍ଗଳପୁର ଝିଲିମିଲିପାଟଣା ଠାରେ ଥିବା ୩୩/୧୧ କେଭି ବିଦ୍ୟୁତ୍‌‌ ସବ୍‌‌ଷ୍ଟେସନକୁ ୩୩କେଭି ଲାଇନ ସଂଯୋଗ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇପାରିନାହିଁ। ଏହି ୩୩କେଭି ଲାଇନ ସଂଯୋଗ ପାଇଁ ଆବଶ୍ୟକ ଅର୍ଥର ବ୍ୟବସ୍ଥା ହୋଇପାରୁନଥିବାରୁ ୩୮କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଗ୍ରୀଡ୍‌‌ଟି ଲୋକଙ୍କ କାମରେ ଲାଗିପାରୁନାହିଁ। ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ୨୮ କିଲୋମିଟର ଦୂରରେ ଥିବା ନିମାପଡ଼ାର ଦିଘାଳ ଗ୍ରୀଡ୍‌‌ରୁ ପିପିଲିକୁ ଆସିଥିବା ୩୩କେଭି ଲାଇନ୍‌‌ରୁ ପିପିଲି ସମେତ ତ୍ରାହିଅତ୍ୟୁତନଗର, ଗରପଦା ଓ ମଙ୍ଗଳପୁର ଝିଲିମିଲିପାଟଣା ଠାରେ ଥିବା ୩୩/୧୧ କେଭି ସବ୍‌‌ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି। ଫଳରେ ପିପିଲିର ୩୩କେଭି ଫିଡରର ଦୈର୍ଘ୍ୟ ବୃଦ୍ଧି ହେବା ସାଙ୍ଗକୁ ଲୋଡ୍‌‌ ବୃଦ୍ଧି ଯୋଗୁଁ ପିପିଲି ଅଞ୍ଚଳରେ ଅଧିକାଂଶ ସମୟ ବିଦ୍ୟୁତ୍‌‌ ସେବା ବ୍ୟାହତ ହେଉଥିବା ସୂଚନା ମିଳିଛି।

ଠଣାଠଣା ସ୍ଥିତ ନବନିର୍ମିତ ୧୩୨/୩୩ କେଭି ଗ୍ରୀଡ୍‌‌ରୁ ମାତ୍ର ଦେଢ କିଲୋମିଟର ଦୂରରେ ଝିଲିମିଲିପାଟଣା ଠାରେ ଥିବା ୩୩/୧୧ କେଭି ସବ୍‌‌ଷ୍ଟେସନ ଦେଇ ପିପିଲିକୁ ୩୩ କେଭି ଲାଇନ ସଂଯୋଗ ହୋଇପାରିଲେ ପିପିଲି ଅଞ୍ଚଳର ଦୀର୍ଘ ୩୭ ବର୍ଷର ବିଦ୍ୟୁତ ସମସ୍ୟା ଦୂର ହୋଇପାରନ୍ତା ଓ ପିପିଲିବାସୀ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇପାରନ୍ତେ। ତେବେ ଟାଟା ପାୱାର ଭଳି ଏକ ପ୍ରତିଷ୍ଠିତ ଘରୋଇ ସଂସ୍ଥା ତତ୍ତ୍ୱାବଧାନରେ ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବିଦ୍ୟୁତ ବିଭାଗ ପରିଚାଳିତ ହେଉଥିବା ବେଳେ ପିପିଲି ଭଳି ଏକ ବିଶ୍ୱ ପ୍ରସିଦ୍ଧ ତଥା ପ୍ରତିଷ୍ଠିତ ଅଞ୍ଚଳକୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ଦିଗରେ କମ୍ପାନୀ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ସହ ଠଣଠଣାଠାରେ ପ୍ରତିଷ୍ଠିତ ୧୩୨/୩୩ କେଭି ଗ୍ରୀଡ୍‌‌ରୁ ମଙ୍ଗଳପୁର ଝିଲିମିଲିପାଟଣା ଦେଇ ପିପିଲିକୁ ୩୩ କେଭି ଲାଇନ ସଂଯୋଗ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି।

Comments are closed.