କାଳବୈଶାଖି ପ୍ରଭାବରେ ପିପିଲିରେ ବ୍ୟାପକ କ୍ଷୟକ୍ଷତି

ପିପିଲି:କାଳବୈଶାଖି ପ୍ରଭାବରେ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପ୍ରବଳ ବେଗରେ ପବନ ବହିବା ସହ ଘଡଘଡି ସହ ବର୍ଷା ହୋଇଥିଲା। ଫଳରେ ଅନେକ ସ୍ଥାନରେ ବଡ ବଡ ଗଛ ଭାଙ୍ଗି ଯାଇଥିବା ବେଳେ କେତେକ ଘର ଓ ଦୋକାନର ଟିଣ ଓ ଆଜବେଷ୍ଟସ ଛପର ଉଡିଯାଇଛି। ସାତଶଙ୍ଖରୁ ବଳଙ୍ଗାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଏକାଧିକ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡିଥିବା ବେଳେ ପିପିଲି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଗଛକାଟି ରାସ୍ତାକୁ ପରିସ୍କାର କରିବା ପରେ ଉକ୍ତ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା।

ଗୁରୁବାର ଅପରାହ୍ନ ୩ଟା ସମୟରେ ଆକାଶ ମେଘାଛନ୍ନ ହୋଇ ସଂପୂର୍ଣ୍ଣ ଅନ୍ଧକାର ହୋଇଯିବା ସହ ଦେଢଘଣ୍ଟା କାଳ ପ୍ରବଳମାତ୍ରାରେ ଘଡଘଡି ସହ ବର୍ଷା ପବନ ହୋଇଥିଲା। ମଙ୍ଗଳପୁର,ଦୁର୍ଗାଦାଶପୁର, ତେଇସିପୁର, ଯଶୁଆପୁର ସମେତ ରୂପଦେଇପୁର, ସରସ୍ୱତୀପୁର ଓ ରଥପୁରୁଷୋତ୍ତମପୁର ଆଦି ପଞ୍ଚାୟତ ଅଞ୍ଚଳରେ ସର୍ବାଧିକ ପବନ ବୋହିଥିଲା। ଫଳରେ ଉକ୍ତ ଅଞ୍ଚଳର ରାସ୍ତା କଡରେ ଥିବା ଅଧିକାଂଶ ଅସ୍ଥାୟୀ ଦୋକାନର ଟିଣ ଓ ଆଜବେଷ୍ଟସ ଛପର ଉଡିଯାଇଥିବା ବେଳେ ଏକାଧିକ ଦୋକାନ ଭାଙ୍ଗି ଯାଇଥିଲା। ଅନେକ ସ୍ଥାନରେ ବଡ ବଡ ଗଛର ଡାଳ ଭାଙ୍ଗି ଯାଇଥିଲା।

ବହୁ ନଡିଆ ଗଛ ଭାଙ୍ଗି ଯାଇଥିବା ବେଳେ କଦଳୀ ଓ ଅମୃତଭଣ୍ଡା ଆଦି ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପରିଲକ୍ଷିତ ହୋଇଛି। ପୋଟଳ ଗ୍ରାମରେ ଥିବା ଏକ ପାନୀୟ ଜଳ ପ୍ରସ୍ତୁତକାରୀ ସଂସ୍ଥାର ଟିଣ ଛପର ଉଡିଯାଇ ଗଛରେ ଲାଗିଥିବା ପରିଲକ୍ଷିତ ହୋଇଥିଲା। ରାସ୍ତା କଡରେ ଲାଗିଥିବା ଅଧିକାଂଶ ବିଜ୍ଞାପନ ହୋଡିଂ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ନିମାପଡାର ଦିଘାଳରୁ ପିପିଲିକୁ ସଂଯୋଗ କରୁଥିବା ୩୩କେଭି ବିଦ୍ୟୁତ ଲାଇନ୍‍ରେ ଏକାଧିକ ସ୍ଥାନରେ ଇନ୍‍ସୁଲେଟର ଫାଟି ଯିବା ସହ ବିଦ୍ୟୁତ ତାର ଉପରେ ଗଛର ଡାଳ ପଡିବା କାରଣରୁ ପିପିଲିକୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପିପିଲି ପୌରାଞ୍ଚଳ ସମେତ ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ରାଜସ, ଭାରତୀପୁର, ନୂଆଶାସନ ଆଦି ଅଞ୍ଚଳକୁ ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇନଥିବା ସୂଚନା ମିଳିଛି।

Comments are closed.