ଶ୍ରୀଜୟଗୋପାଳ ଦେବଙ୍କ ଚମ୍ପକଦ୍ୱାଦଶୀ ପାଇଁ ଦାଣ୍ଡମୁକୁନ୍ଦପୁରରେ ପ୍ରସ୍ତୁତି ହେଉଛି ପାରମ୍ପରିକ କାଠଚକ୍ର ବାଣ

ପିପିଲି:ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୂ ଶ୍ରୀ ଶ୍ରୀ ଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଏଥିପାଇଁ ଦାଣ୍ଡମୁକୁନ୍ଦପୁର ବ୍ରାହ୍ମଣଶାସନରେ ପାରମ୍ପରିକ କାଠଚକ୍ର ବାଣ ପ୍ରସ୍ତୁତି ଜୋରଦାର ଚାଲିଥିବା ସୂଚନା ମିଳିଛି।

ପରମ୍ପରା ଅନୁଯାଇ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ପ୍ରଭୁ ଶ୍ରୀଜୟଗୋପାଳ ଦେବଙ୍କ ମନ୍ଦିର ପରିସରରେ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଚମ୍ପକଦ୍ୱାଦଶୀ ରାତ୍ରୀରେ ଏକ ସୁସଜ୍ଜିତ ବିମାନରେ ଜୟଗୋପାଳ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଶ୍ରୀନୀଳକଣ୍ଠେଶ୍ୱର ଦେବ ଓ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯିବ। ପ୍ରତ୍ୟେକ ପରିବାର ପକ୍ଷରୁ ଠାକୁର ମାନଙ୍କୁ ଦ୍ୱାରୀଭୋଗ ଅର୍ପଣ କରାଯିବା ପରେ ବିଳମ୍ବିତ ରାତ୍ରୀରେ ଠାକୁର ମାନଙ୍କୁ ଗ୍ରାମର ବାଣମରା ଛକ ଠାରେ ବିଜେ କରାଯିବ। ତ୍ରୟୋଦଶୀ ତିଥି ତଥା ଜୁନ ୨ ତାରିଖ ଶୁକ୍ରବାର ଅପରାହ୍ନରେ ଠାକୁର ମାନଙ୍କ ସମ୍ମୁଖରେ କାଠଚକ୍ର ଓ ବିଭିନ୍ନ ପ୍ରକାର ଆତସବାଜୀ ପ୍ରଦର୍ଶନ କରାଯିବ।

ବିରାଟ ଗୋଲାକାର କାଠଗଣ୍ଡିରେ ନିର୍ମିତ ଏହି କାଠଚକ୍ର ବାଣଗୁଡିକ ପ୍ରଚୁର ନିଆଁ ଓ ଧୁଆଁ ମଧ୍ୟରେ ବିରାଟ ଗର୍ଜ୍ଜନ କରି ଏକ ଲୌହଦଣ୍ଡ ଉପରେ ବୁଲିବା ଦୃଶ୍ୟକୁ ଦେଖିବା ପାଇଁ ୧୦ ହଜାରରୁ ଉର୍ଦ୍ଧ ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଏହି କାଠଚକ୍ର ବାଣ ପ୍ରସ୍ତୁତି କରିବାରେ ଗ୍ରାମବାସୀ ବ୍ୟସ୍ତ ରହିଥିବା ବେଳେ ଠାକୁରଙ୍କ ବିବାହ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି।

ଏଠାରେ ସୂଚନା ଥାଉକି, ଦାଣ୍ଡମୁକୁନ୍ଦପୁର ଗ୍ରାମର ଏହି ପ୍ରସିଦ୍ଧ ମନ୍ଦିରକୁ ଓଡିଶାର ଶେଷ ସ୍ୱାଧୀନ ନରପତି ମୁକୁନ୍ଦଦେବ ହରିଚନ୍ଦନ ୧୫୬୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ ଆରମ୍ଭ କରିଥିଲେ। ମାତ୍ର ୧୫୬୮ରେ ଗୋହିରାଟିକିରି ଯୁଦ୍ଧକ୍ଷେତ୍ରରେ ତାଙ୍କର ମୃତ୍ୟୁ ପରେ ରାଣୀ ନାଟମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କରିଥିବା ଜଣାଯାଏ। ୧୫୬୬ରୁ ୧୫୭୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ଯାତ୍ରା ଆରମ୍ଭ ହୋଇ ଦୀର୍ଘ ୪୫୨ ବର୍ଷରୁ ଉର୍ଦ୍ଧକାଳ ଧରି ପାଳିତ ହୋଇଆସୁଥିବା ଜଣାଯାଇଛି।

Comments are closed.