କେନାଲକୁ ଓଲଟିଲା ଅଟୋ, ଚାଳକ ମୃତ
ପିପିଲି:ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମ ଦେଇ ଯାଇଥିବା ସାକ୍ଷୀଗୋପାଳ ଶାଖା କେନାଲରେ ରବିବାର ସକାଳେ ଏକ ଅଟୋରିକ୍ସା ଓଲଟି ପଡ଼ିବାରୁ ଅଟୋ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପ୍ରଦୀପ କୁମାର ଷଡ଼ଙ୍ଗୀ (୪୨) ଓ ତାଙ୍କ ଘର ନୂଆଶାସନ ଉତ୍ତରସାହିରେ ହୋଇଥିବା ସୂଚନା ମିଳିଛି।
ସେ ଅଟୋ ଚଳାଇ କେନାଲବନ୍ଧ ରାସ୍ତାରେ ଯାଉଥିବା ବେଳେ କୌଣସି କାରଣରୁ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଯିବା ସହ କେନାଲ ମଧ୍ୟରେ ଓଲଟି ପଡ଼ିଥିଲା। କେନାଲର ପାଣି ଓ କାଦୁଅ ମଧ୍ୟରେ ଅଟୋ ତଳେ ପ୍ରଦୀପ ଚାପି ହୋଇ ରହିଥିଲେ। ପରିବାର ଲୋକେ ଓ ଗ୍ରାମବାସୀମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ମୃତକଙ୍କ ଭାଇଙ୍କ ଲିଖିତ ରିପୋର୍ଟ ଉପରେ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ୍ଆଇ ସନ୍ଦୀପ କୁମାର ଦାସ ଡାକ୍ତରଖାନାରେ ପହଞ୍ôଚ ମୃତଦେହର ପଞ୍ଚାନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲେ। ଏହି ଘଟଣାଟି ନୂଆଶାସନ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
Comments are closed.