ପିପିଲିରେ ଶ୍ରୀବିଶ୍ୱକର୍ମା ପୂଜା
ପିପିଲି:ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଶ୍ରୀବିଶ୍ୱକର୍ମା ଦେବଙ୍କ ପୂଜା ଉତ୍ସବ ଶନିବାର ସମାରୋହରେ ପାଳିତ ହୋଇଯାଇଛି। ପିପିଲି ପୌରାଞ୍ଚଳ ସମେତ ଉତ୍ତରାବଜାର, ଗୁଡିଆପୋଖରୀ ବଜାର, ଜଇସପାଟଣା ବଜାର, ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖ ବଜାର, ଭାରତୀପୁର ଛକ, ମାଧିପୁର ବଜାର, ମଠସାହି ବଜାର, କଣ୍ଟି ବଜାର, ଜଗନ୍ନାଥପୁର ବଜାର ଠାରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଗାଡି ଚାଳକ ଓ ମାଲିକ ସଂଘ ପକ୍ଷରୁ ଏହି ଉପଲକ୍ଷେ ଆକର୍ଷଣୀୟ ତୋରଣ ସାଙ୍ଗକୁ ପୂଜାମଣ୍ଡପ ନିର୍ମାଣ କରାଯାଇଥିବା ପରିଲକ୍ଷିତ ହୋଇଛି। କୃପାଜଳ ଇଞ୍ଜିନିୟରିଂ କଲେଜରେ ମଧ୍ୟ ଅତି ଆନନ୍ଦ ଓ ଉତ୍ସାହ ସହକାରେ ଶ୍ରୀବିଶ୍ୱକର୍ମା ଦେବଙ୍କ ପୂଜାତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପିପିଲି କଲେଜର ବିଜ୍ଞାନ ବିଭାଗ, କ୍ଷେତ୍ରମୋହନ ଆଇଟିସି ଠାରେ ମଧ୍ୟ ଛାତ୍ରଛାତ୍ରୀ ମାନେ ଅତି ଆନନ୍ଦର ସହ ଏହି ପୂଜାଉତ୍ସବ ପାଳନ କରିଥିଲେ ।
ଉତ୍ତରା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ, ପିପିଲି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ, ସାତଶଙ୍ଖ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ଆର୍ଡବ୍ଲ୍ୟୁଏସ୍ଏସ୍ କାର୍ଯ୍ୟାଳୟ, ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଏସ୍ଏନ୍ଏଲ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟ ଠାରେ କର୍ମଚାରୀ ମାନେ ଶ୍ରୀବିଶ୍ୱକର୍ମା ଦେବଙ୍କ ପୂଜାଉତ୍ସବ ପାଳନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପିପିଲିର ଜୟପୁର ଛକ ନିକଟରେ ସିଦ୍ଧେଶ୍ୱର ଦେବ ରାଜମିସ୍ତ୍ରୀ ସଂଘ ପକ୍ଷରୁ ଆକର୍ଷଣୀୟ ତୋରଣ ଓ ପୂଜାମଣ୍ଡପ ନିର୍ମାଣ କରାଯାଇ ଠାକୁରଙ୍କ ପୂଜାଉତ୍ସବ ପାଳନ କରାଯାଇଥିବା ବେଳେ ସଂନ୍ଧ୍ୟାରେ ଦଶମ ବାର୍ଷିକ ଦୁଇଦିନିଆ ବିଶ୍ୱକର୍ମା ମହୋତ୍ସବ-୨୦୨୨ର ଉଦ୍ଘାଟନ ଉତ୍ସବ ଅବସରରେ ସଂବର୍ଦ୍ଧନା ସଭା ସହ ଭଜନ ଓ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା।
Comments are closed.