ପିପିଲି: ରାଜ୍ୟର ଜଣାଶୁଣା ମାନବାଧିକାର କର୍ମୀ ଶ୍ରୀଅଖଣ୍ଡ ଆନ୍ତର୍ଜାତୀୟ ପବ୍ଲିକ ପିସ୍ ଆୱାର୍ଡ ବିଜେତା ହୋଇଛନ୍ତି। ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ କାନାଡାର ପବ୍ଲିକ ପିସ୍ ପ୍ରାଇଜ୍ କମିଟି ପକ୍ଷରୁ ୨୦୨୦-୨୧ ବର୍ଷ ପାଇଁ ସମଗ୍ର ଭାରତରୁ ଶ୍ରୀଅଖଣ୍ଡଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ଏହି ପୁରସ୍କାର ମିଳିଛି। ଶାନ୍ତି ଓ ନ୍ୟାୟ ପାଇଁ କାମ କରୁଥିବା ବ୍ୟକ୍ତି ଓ ସଂଗଠକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ମହାମାରୀ କରୋନାର ଅନିଶ୍ଚିତତା ସତ୍ତ୍ବେ ଏହି ଶାନ୍ତି ପୁରସ୍କାର ପାଇଁ କାନାଡା, କଲମ୍ବିଆ, ଭାରତ, ଡେମୋକ୍ରାଟିକ ରିପବ୍ଲିକ ଅଫ୍ କଙ୍ଗୋ (ଡିଆର୍ସି) ଏବଂ ପାକିସ୍ଥାନ ସମେତ ୫ଟି ଦେଶର ବ୍ୟକ୍ତି ଓ ସଂଗଠକମାନେ ଫାଇନାଲିଷ୍ଟ ଭାବେ ଯୋଗ୍ୟତା ହାସଲ କରିଥିଲେ।
ମାନବିକ ଅଧିକାରର ସୁରକ୍ଷା ଓ ପ୍ରସାର ଦିଗରେ ଶ୍ରୀଅଖଣ୍ଡ ଗତ ଦଶଦ୍ଧି ଧରି ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଛନ୍ତି। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ମାନବିକ ଅଧିକାର ଉଲଂଘନ ପ୍ରସଙ୍ଗ ଗୁଡିକ ରାଜ୍ୟ ଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଉପସ୍ଥାପନ କରି ଲୋକଙ୍କୁ ନ୍ୟାୟ ଦେବାକୁ ସେ ନିଜର ଚେଷ୍ଟା ଜାରି ରଖିବା ସହ ମାନବିକ ଅଧିକାର ଉଲଂଘନ ମାମଲାରେ ପୀଡିତ କିମ୍ବା ତାଙ୍କ ପରିବାରକୁ ମାଗଣାରେ ଆଇନଗତ ସହାୟତା ପ୍ରଦାନ କରି ଆସୁଛନ୍ତି। ଇତିମଧ୍ୟରେ ସେ ରାଜ୍ୟ ଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ୧ହଜାରରୁ ଉର୍ଦ୍ଧ ମାମଲା ଦାୟର କରିଥିବା ବେଳେ ତାଙ୍କ ହସ୍ତକ୍ଷେପ ଦ୍ୱାରା ୧୦ହଜାରରୁ ଉର୍ଦ୍ଧ ବ୍ୟକ୍ତି ସିଧାସଳଖ ଉପକୃତ ହୋଇଥିବା ସୂଚନା ମିଳିଛି। ଏହି ଆନ୍ତର୍ଜାତୀୟ ପୁରସ୍କାର ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଲମ୍ବିବାରେ ଲାଗିଛି।



