ପିପିଲିରେ ୨୩୯୩ ଛାତ୍ରଛାତ୍ରୀ ଦେଲେ ମାଟ୍ରିକ ପରୀକ୍ଷା, ୧୪ ଅନୁପସ୍ଥିତ

ପିପିଲି: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ପିପିଲି ବ୍ଲକରେ ପରୀକ୍ଷାର୍ଥୀମାନେ ବେଶ୍ ଉତ୍ସାହର ସହ ପରୀକ୍ଷା ଦେଉଥିବା ସୂଚନା ମିଳିଛି।
ପିପିଲି ବ୍ଲକ ଅଞ୍ଚଳରେ ମୋଟ୍ ୧୧ଗୋଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବାବେଳେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଜବାହର ବିଦ୍ୟାପୀଠକୁ ବ୍ଲକର ନୋଡାଲ ସେଣ୍ଟର କରାଯାଇଛି। ଆଜି ପ୍ରଥମ ଦିନରେ ବ୍ଲକର ୨୪୦୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୩୯୩ଜଣ ପରୀକ୍ଷାର୍ଥୀ ମାତୃଭାଷା ବିଷୟରେ ପରୀକ୍ଷା ଦେଇଥିବାବେଳେ ୧୪ଜଣ ଅନୁପସ୍ଥିତ ଥିବା ସଂପର୍କରେ ଜବାହର ବିଦ୍ୟାପୀଠର ପ୍ରଧାନଶିକ୍ଷକ ତଥା ନୋଡାଲ ଇନଚାର୍ଜ ପୀତବାସ ସେଠୀ ସୂଚନା ଦେଇଛନ୍ତି। ଏହି ନୋଡାଲ କେନ୍ଦ୍ରର ଷ୍ଟ୍ରଙ୍ଗରୁମ୍ରେ ପ୍ରଶ୍ନପତ୍ରକୁ ରଖାଯାଇଥିବାବେଳେ ସେଠାରେ ୨୪ ଘଣ୍ଟିଆ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ନିଆଯାଇ ପରୀକ୍ଷା କେନ୍ଦ୍ରଗୁଡିକରେ ପହଞ୍ଚାଯାଉଛି। ଏଥିପାଇଁ ସ୍ୱତନ୍ତ୍ର ଭାବେ ୨ଟି ଟିମ୍ ଗଠନ କରାଯାଇଛି। ଏହି ଟିମ ଗୁଡିକୁ ଆବଣ୍ଟିତ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବା ଓ ପରୀକ୍ଷା ପରେ ସେଠାରୁ ଉତ୍ତର ଖାତା ଆଣି ନୋଡାଲ ସେଣ୍ଟରରେ ପହଞ୍ଚାଇବା ଦାୟିତ୍ୱ ଦିଆଯାଇଛି। ନୋଡାଲ ସେଣ୍ଟରରେ ଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ମଧ୍ୟରେ ଉତ୍ତର ଖାତାକୁ ରଖାଯାଇଛି। ପିପିଲି ବ୍ଲକର ମୋଟ୍ ୨୪୦୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୨୫୯ ଜଣ ଛାତ୍ର ଓ ୧୧୪୮ ଜଣ ଛାତ୍ରୀ ଥିବା ବେଳେ ଆଜି ପ୍ରଥମ ଦିନରେ ୧୨୫୩ ଜଣ ଛାତ୍ର ଓ ୧୧୪୦ ଜଣ ଛାତ୍ରୀଙ୍କୁ ମିଶାଇ ମୋଟ୍ ୨୩୯୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ୬ଜଣ ଛାତ୍ର ଓ ୮ଜଣ ଛାତ୍ରୀଙ୍କୁ ମିଶାଇ ମୋଟ୍ ୧୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିଛି।
Comments are closed.