Patra electronics

ପିପିଲିରେ ୭୧.୪୬ ପ୍ରତିଶତ ମତଦାନ, ଇଭିଏମ୍‍ରେ ସିଲ୍‍ ୫୫ ପ୍ରାର୍ଥିଙ୍କ ଭାଗ୍ୟ

ପିପିଲି:ପିପିଲି ପୌରାଞ୍ଚଳର ୧୬ଟି ଯାକ ୱାର୍ଡରେ ଆଜି ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ଏହି ନିର୍ବାଚନରେ ଅଧ୍ୟକ୍ଷ ଆସନରେ ୫ଜଣ ପ୍ରାର୍ଥୀ ଓ ୧୫ଟି କାଉନ୍‍ସିଲର ଆସନରେ ୫୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସେମାନଙ୍କ ଭାଗ୍ୟ ଇଭିଏମ୍‍ରେ ସିଲ୍‍ ହୋଇଛି। ୧୬ଟି କାଉନ୍‍ସିଲର ଆସନ ମଧ୍ୟରୁ ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ୧୪ନଂ ୱାର୍ଡର କାଉନ୍‍ସିଲର ଆସନରେ ବିଜେଡିର ଲିଲିତା ପାତ୍ର ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଆଜି ସେଠାରେ କେବଳ ଅଧ୍ୟକ୍ଷ ଆସନରେ ନିର୍ବାଚନ କରାଯାଇଥିଲା। ୭୯୪୫ ଜଣ ପୁରୁଷ ଭୋଟର ଓ ୭୫୫୬ ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‍ ୧୫ ହଜାର ୫୦୧ ଜଣ ଭୋଟରଙ୍କ ମଧ୍ୟରୁ ୫୭୯୮ ଜଣ ପୁରୁଷ ଭୋଟର ଓ ୫୨୭୯ ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‍ ୧୧,୦୭୭ଜଣ ଭୋଟର ମତଦାନ କରିଥିଲେ। ମତଦାନ ହାର ୭୧.୪୬ ପ୍ରତିଶତ ହୋଇଥିବା ନିର୍ବାଚନ ଅଧିକାରୀ ସପନ କୁମାର ନନ୍ଦ ସୂଚନା ଦେଇଛନ୍ତି। ମତଦାନ ପରେ କଡା ପୁଲିସ ସୁରକ୍ଷା ମଧ୍ୟରେ ଜବାହର ବିଦ୍ୟାପୀଠ ଠାରେ କରାଯାଇଥିବା ଷ୍ଟ୍ରଙ୍ଗରୁମ୍‍ରେ ଇଭିଏମ୍‍କୁ ରଖାଯାଇଛି। ୨୬ ତାରିଖରେ ସେଠାରେ ଭୋଟ ଗଣତି ହେବାକୁ ଥିବା ବେଳେ ଏଥି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଗୁରୁବାର ସକାଳ ୮ଟା ଠାରୁ ୧୬ଟି ୱାର୍ଡର ୧୩ଟି ସ୍ଥାନରେ ଥିବା ୨୦ଟି ମତଦାନ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଥିଲା। ଦୀର୍ଘ ୯ବର୍ଷ ପରେ ଏନଏସି ନିର୍ବାଚନ ଆସିଥିବାରୁ ମତଦାନ କରିବାରେ ଭୋଟରଙ୍କ ମଧ୍ୟରେ ବେଶ୍‍ ଆଗ୍ରହ ପରିଲକ୍ଷିତ ହୋଇଥିଲା। ୧୩ନଂ ୱାର୍ଡର ଶିରିଆପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କରାଯାଇଥିବା ଗୋଟିଏ ସୁନେଲୀ ମତଦାନ କେନ୍ଦ୍ର (ପିଙ୍କ୍‍ ବୁଥ୍‍)କୁ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଥିଲା। ସେଠାରେ ଭୋଟ୍‍ଗ୍ରହଣ କାର୍ଯ୍ୟରେ ମହିଳା ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ ହୋଇଥିଲେ। ସେଠାରେ ସବୁଠାରୁ ଅଧିକ ଆକର୍ଷଣୀୟ ଥିଲା ସେଲଫି କର୍ଣ୍ଣର। ସେଲଫି କର୍ଣ୍ଣର ଠାରେ ଠିଆହୋଇ ସେଲଫି ନେବାର ମଜା ଉଠାଇଥିଲେ ମହିଳା ଓ ଯୁବତୀ ଭୋଟରମାନେ। ସେହିପରି ୧୦ନଂ ୱାର୍ଡର ପିପିଲି ମିଶନ ମଧ୍ୟ ଇଂରାଜୀ ବିଦ୍ୟାଳୟରେ କରାଯାଇଥିବା ବୁଥ୍‍କୁ ଆଦର୍ଶ ମତଦାନ କେନ୍ଦ୍ର କରାଯାଇଥିଲା। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ହୁଇଲ ଚେୟାର ଓ ର୍ୟାମ୍ପର ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କୁ ସହଯୋଗ କରିବା ପାଇଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା। ଆଜି ସକାଳେ ପୁରୀ ଏସ୍‍ପି ଡକ୍ଟର କନୱର ବିଶାଳ ସିଂହ ପିପିଲିର ବିଭିନ୍ନ ମତଦାନ କେନ୍ଦ୍ରକୁ ପରିଦର୍ଶନ କରିବା ସହ ସେଠାକାର ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଅତିରିକ୍ତ ଏସ୍‍ପି ପ୍ରଫୁଲ୍ଳ ଚନ୍ଦ୍ର ବଡଜେନା, ଏସ୍‍ଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଅଭିମନ୍ୟୁ ନାୟକ ପ୍ରମୁଖ ସମସ୍ତ ମତଦାନ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ନିର୍ବାଚନ ଅଧିକାରୀ ସପନ କୁମାର ନନ୍ଦ, ନୋଡାଲ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ ପ୍ରମୁଖ ବିଭିନ୍ନ ବୁଥ୍‍ ବୁଲି ଭୋଟିଂ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ପିପିଲି ବିଡିଓ ରଶ୍ମିତା ନାଥ, ପୁରୀ ତହସିଲଦାର ରବୀନ୍ଦ୍ର କୁମାର ପ୍ରଧାନ ଓ ପିପିଲିର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ରହିଥିଲେ। ତେବେ ମତଦାନ ସମୟରେ ୪ନଂ ଓାର୍ଡର ୪ନଂ ବୁଥରେ ପୋଲିଂ କର୍ମଚାରୀଙ୍କ ନିକଟରେ ଥିବା ରେଜିଷ୍ଟାରରେ ଟିପ ଚିହ୍ନ ମରାଯିବାକୁ ନେଇ ଚନ୍ଦ୍ରମାଧବ ମିଶ୍ର ନାମକ ଜଣେ ଭୋଟର ଦସ୍ତଖତ ପାଇଁ କହିବାରୁ ପୋଲିଂ କର୍ମଚାରୀ ମନା କରି ଟିପ ଚିହ୍ନ ଦେବାକୁ କହିଥିଲେ। ଫଳରେ ଶ୍ରୀ ମିଶ୍ର ଭୋଟ ଦେବା ପାଇଁ ରାଜି ହୋଇନଥିଲେ। ପରେ ଦସ୍ତଖତ କରିବା ପାଇଁ ପୋଲିଂ କର୍ମଚାରୀ ରାଜି ହେବାରେ ଶ୍ରୀ ମିଶ୍ର ଭୋଟ ଦେଇଥିଲେ।

Comments are closed.