ସମ୍ବଲପୁର : ସନାତନୀ ହିନ୍ଦୁ ସମାଜରେ ଆସ୍ଥାର ପ୍ରତୀକ ହେଉଛନ୍ତି ଗୋମାତା। ମାନବ ସମାଜକୁ ଗୋମାତାର ଅବଦାନ ଅନେକ। ଗୋମାତା ଆମ ପରିବାରର ସୁଖ, ସ୍ବାସ୍ଥ୍ୟ ଓ ସମୃଦ୍ଧିର ଆଧାର। ଗୋସେବା କେବଳ ସାମାଜିକ ଏବଂ ଆଧ୍ୟାତ୍ମିକ ବିଷୟ ନୁହେଁ, ଏହା ଆର୍ଥିକ, ପରିବେଶ ସୁରକ୍ଷା, ସାଂସ୍କୃତିକ ବିଷୟ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଂସ୍କାରରେ ଗୋସେବା ଏକ ମହତ୍ତ୍ବପୂର୍ଣ୍ଣ ତତ୍ତ୍ୱ ଥିଲା। ଓଡ଼ିଶା ସାମାଜିକ ଜୀବନରେ ଗୋମାତା ପ୍ରତି ଅନନ୍ୟ ସମ୍ପର୍କ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଜିଲାର ପୋତାପାଲିସ୍ଥିତ ‘ଶ୍ରୀକୃଷ୍ଣ ଗୋଶାଳା’ର ୧୨୫ତମ ସ୍ଥାପନ ଦିବସ ପାଳନରେ ଯୋଗଦେଇ ଶ୍ରୀ ପ୍ରଧାନ ଗୋଶାଳା ପରିସରରେ ନୂଆ ପ୍ରକଳ୍ପ ନିର୍ମାଣ ପାଇଁ ଭୂମିପୂଜନ ସହ ଶ୍ରୀରାଧାକୃଷ୍ଣ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହୋଇଥିଲେ। ୧୯୪୦ରେ ଜଣେ ବଦାନ୍ୟ ବ୍ୟକ୍ତି ଏହି ଗୋଶାଳା ପାଇଁ ୬୦ ଏକର ଜମି ଦେଇଥିବା ମନେପକାଇ ଶ୍ରୀ ପ୍ରଧାନ କହିଥିଲେ, ଆମ ଦେଶରେ ରାଷ୍ଟ୍ରୀୟ ଶିକ୍ଷାନୀତି ମାଧ୍ୟମରେ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯାଉଛି। ଜାତୀୟ ଶିକ୍ଷା ନୀତି ଗୁଣାତ୍ମକ, ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଉତ୍ତରଦାୟୀ ଭଳି ୫ଟି ସ୍ତମ୍ଭ ଉପରେ ପ୍ରସ୍ତୁତ ହୋଇଛି। ରାଜ୍ୟ ୧ କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବା ପାଇଁ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି ବୋଲି କହିଥିଲେ।
Popular Categories



