ଦେଶରେ ଜଳକୃଷି ଉତ୍ପାଦନ ବୃଦ୍ଧିରେ ସିଫାର ଭୂମିକା ଗୁରୁତ୍ୱପୂର୍ଣ୍ଣ
ସିଫାର ୩୫ତମ ସ୍ୱନକ୍ଷତ୍ର ଦିବସ ପାଳିତ
ପିପିଲି: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ର ୩୫ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ସମଗ୍ର ଦେଶରେ ମତ୍ସ୍ୟ ଗବେଷଣା କ୍ଷେତ୍ରରେ ସିଫା ଉଲ୍ଲେଖନୀୟ ସ୍ଥାନ ହାସଲ କରିଥିବା ବେଳେ ଦେଶରେ ଜଳକୃଷି ଉତ୍ପାଦନ ବୃଦ୍ଧିରେ ସିଫାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।
ଏହି ଅବସରରେ ସିଫାର ନିର୍ଦ୍ଦେଶକ ଡ.ସରୋଜ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସିଫାର ପୂର୍ବତନ ନିର୍ଦ୍ଦେଶକ ତଥା ବ୍ୟାଙ୍କକ୍ ସ୍ଥିତ “ନାକା’ର ମହାନିର୍ଦ୍ଦେଶକ ଡ଼ଃ ଆମ୍ବେକର ଇ. ଏକନାଥ ଯୋଗଦେଇ ସିଫା ଭଳି ଗବେଷଣା ଅନୁଷ୍ଠାନ ଗୁଡିକର ଉଦ୍ୟମରେ ମତ୍ସ୍ୟଚାଷ କ୍ଷେତ୍ରରେ ଦେଶ ଆଜି ଅନେକ ସଫଳତା ହାସଲ କରିଥିବା ପ୍ରକାଶ କରିଥିଲେ। କ୍ଷୁଦ୍ର ଚାଷୀ, କୃଷି ଉଦ୍ୟୋଗୀ, ବ୍ୟବସାୟୀ ଓ ଗ୍ରାହକଙ୍କ ନିକଟରେ ସିଫାର ଗବେଷଣାଲବ୍ଧ ଜ୍ଞାନ ପହଞ୍ଚିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ସିଫା ଦ୍ୱାରା କରାଯାଉଥିବା ଗବେଷଣା ଗୁଡିକର ଭୂୟସି ପ୍ରଶଂସା କରିବା ସହିତ ପାରସ୍ୱରିକ ଲାଭ ପାଇଁ ସିଫା ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ର ଓ ଅଧ୍ୟାପକ ମାନଙ୍କର ଜ୍ଞାନ ବିନିମୟ ହେବା ଉଚିତ ବୋଲି କହିଥିଲେ। ଗବେଷଣା ସହିତ ମାଛଚାଷୀଙ୍କ ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ସିଫାର ବୈଜ୍ଞାନିକମାନଙ୍କୁ ସେ ପରାମର୍ଶ ଦେବା ସହ ମଧୁରଜଳ କୃଷିର ବିକାଶ କ୍ଷେତ୍ରରେ ସିଫାର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ।
ଅନ୍ୟତମ ଅତିଥି ଭାବେ କେନ୍ଦ୍ରୀୟ ଆନ୍ତଃଜଳ ମତ୍ସ୍ୟ ଗବେଷଣା ସଂସ୍ଥା (ସିଫ୍ରି)ର ନିର୍ଦ୍ଦେଶକ ଡ଼ଃ ବସନ୍ତ କୁମାର ଦାସ ଯୋଗଦେଇ ସାମାଜିକ ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ଲୋକଙ୍କ ପାଖରେ ଗବେଷଣାଲବ୍ଧ ଜ୍ଞାନ ପହଞ୍ଚିପାରିଲେ ଦେଶରୁ ଦାରିଦ୍ର୍ୟତା ଏବଂ କୁପୋଷଣ କମିପାରିବ ଏବଂ ଏଥିପାଇଁ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଜଳକୃଷିର ଉନ୍ନତି ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସିଫାର ନିର୍ଦ୍ଦେଶକ ସରୋଜ କୁମାର ସ୍ୱାଇଁ ନିଜ ବକ୍ତବ୍ୟରେ କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଓ ରାଜ୍ୟର ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟରେ ବିଜ୍ଞାନ ଭିତ୍ତିକ ଜଳକୃଷି କ୍ଷେତ୍ରରେ ସିଫାର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ମତ୍ସ୍ୟସେତୁ ଆପ୍ର ୩୨ହଜାର ବ୍ୟବହାରକାରୀ ସୃଷ୍ଟି ହୋଇଥିବା ଏବଂ ଏହାକୁ ଉନ୍ନତ କରାଯାଇ କୃଷକ, ହିତାଧିକାରୀଙ୍କ ନିମନ୍ତେ ବଜାର ଓ ଅନ୍ୟାନ୍ୟ ସୁବିଧା ଥିବା ଫିଚର ଯୋଗାଇ ଦିଆଯାଇଥିବା ସଂପର୍କରେ ସେ ସୂଚନା ଦେଇଥିଲେ। କୃଷକମାନଙ୍କର ବିଭିନ୍ନ ସମସ୍ୟାର ସରଳ ସମାଧାନ ପାଇଁ ନିକଟ ଭବିଷ୍ୟତରେ ଏକ ଚାରବୋଟ୍ ଲୋକାର୍ପଣ କରାଯିବ ବୋଲି ଡ. ସ୍ୱାଇଁ ସୂଚନା ଦେଇଥିଲେ। ସିଫା ପକ୍ଷରୁ ହିତାଧିକାରୀମାନଙ୍କୁ କ୍ଷେତ୍ରୀୟ ପ୍ରଦର୍ଶନ, ପ୍ରଶିକ୍ଷଣ ଓ ପୋଷଣୀୟ ମଧୁରଜଳ କୃଷି ସମ୍ବନ୍ଧରେ ବାସ୍ତବ ଜ୍ଞାନ ପ୍ରଦାନ କରାଯାଉଥିବା ସେ ପ୍ରକାଶ କରିଥିଲେ । ସିଫାର ମୁଖ୍ୟ ପ୍ରଶାସକ ବି.କେ ସିହ୍ନା ନିଜର ବକ୍ତବ୍ୟରେ ଦେଶର ମଧୁରଜଳ ମତ୍ସ୍ୟ ସଂପଦ ବିକାଶ କ୍ଷେତ୍ରରେ ସିଫାର ଅବଦାନ ସଂପର୍କରେ ଆଲୋକପାତ କରିବା ସହ ୧୯୮୭ ମସିହା ଅପ୍ରେଲ ୧ ତାରିଖରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିବା ସଂପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବୈଜ୍ଞାନିକ, କର୍ମଚାରୀ ଏବଂ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା। ଏଥିସହ ସିଫା ପକ୍ଷରୁ ପ୍ରକାଶିତ ୪ଟି ପ୍ରକାଶନକୁ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିୱା, ଚେସ୍, ଏନ୍ଏଫ୍ଡିବି ର ପ୍ରତିନିଧିଙ୍କ ସମେତ ସିଫାର ଅନେକ ପ୍ରାକ୍ତନ ବୈଜ୍ଞାନିକ ଓ କର୍ମଚାରୀମାନେ ଯୋଗଦେଇ ନିଜନିଜର ସୁଚିନ୍ତିତ ପରାମର୍ଶ ଉପସ୍ଥାପନ କରିଥିଲେ। ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବୈଷୟିକ ଅଧିକାରୀ ଦୁର୍ଗାପ୍ରସାଦ ରଥ ଓ ଶିଶିର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।
Comments are closed.