ବାହୁଡିଲେ ମହାବାହୁ
ପିପିଲି : ପିପିଲିର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ପବିତ୍ର ବାହୁଡାଯାତ୍ରା ଶନିବାର ମହାସମାରୋହରେ ସଂପନ୍ନ ହୋଇଛି ।
ପିପିଲି ପୌରାଞ୍ଚଳ ଅନ୍ତର୍ଗତ ମଢିଆଳି ସାହି ସ୍ଥିତ ମା’ ପଢେଇଶୁଣି ଠାକୁରାଣୀଙ୍କ ମନ୍ଦିର ସଂଲଗ୍ନ ମାଉସୀ ମା’ଙ୍କ ମନ୍ଦିରରେ ସକାଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବିଭିନ୍ନ ରିତୀନିତୀ ସଂପନ୍ନ କରାଯାଇଥିଲା । ମନ୍ଦିରର ମୁଖ୍ୟପୂଜକ ଲକ୍ଷ୍ମୀଧର ପଣ୍ଡାଙ୍କ ଦ୍ୱାରା ଠାକୁରଙ୍କ ମଙ୍ଗଳ ଆରତି, ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ସେନାପଟାଲାଗି, ମଙ୍ଗଳାର୍ପଣ କରାଯିବା ପରେ ପହଣ୍ଡିରେ ଅଣାଯାଇ ଠାକୁର ମାନଙ୍କୁ ରଥାରୁଢ କରାଯାଇଥିଲା । ଦଇତାସେବକ ଜୟଦେବ ମହାପାତ୍ର, ଅକ୍ଷୟ ମହାପାତ୍ର ଓ ଚନ୍ଦନ ମହାପାତ୍ର ଠାକୁରଙ୍କ ବିଭିନ୍ନ ସେବାନିତୀ କରିଥିଲେ । ସମାଜସେବୀ ପ୍ରଭାକର ପଣ୍ଡା ରଥ ଉପରେ ଠାକୁର ମାନଙ୍କର ଛେରା ପହଁରା କରିବା ପରେ ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା ।
ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ ସାଙ୍ଗକୁ ହରିବୋଲ, ହୁଳହୁଳି ଧ୍ୱନିରେ ରଥଟଣା ରାସ୍ତା ପ୍ରକମ୍ପିତ ହୋଇଥିଲା । ମା’ପଢେଇଶୁଣି ଠାକୁରାଣୀଙ୍କ ମନ୍ଦିର ଠାରୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ଅଢେଇ କିଲୋମିଟର ରାଜପଥ ଉପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ରଥକୁ ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହ ଟାଣି ନେଇଥିଲେ । ରଥ ଉପରେ ଲକ୍ଷ୍ମୀଧର ମିଶ୍ର ଡାହୁକ ରୁପେ କାର୍ଯ୍ୟ ସଂପାଦନ କରିଥିଲେ । ପିପିଲି ରଥଯାତ୍ରା ପରିଚାଳନା କମିଟିର ସଭାପତି ଇଂ ରମେଶ ଚନ୍ଦ୍ର ଶତପଥି, ଉପସଭାପତି ବାମଦେବ ମିଶ୍ର, ସଂପାଦକ ପ୍ରଭାତ କୁମାର ମହାପାତ୍ର, ରମେଶ ଚନ୍ଦ୍ର ମହାପାତ୍ର, ଉପଦେଷ୍ଠା ତଥା ବରିଷ୍ଠ ଆଡ୍ଭୋକେଟ ସୁଧିର ମହାନ୍ତି, ସୁରେନ୍ଦ୍ର ମହାପାତ୍ର, ମନ୍ଦିରର ଟ୍ରଷ୍ଟି ସୁରେଶ ଚନ୍ଦ୍ର ମହାପାତ୍ର, ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଉପଦେଷ୍ଠା ନୃସିଂହ ମହାପାତ୍ର, ସମାଜସେବୀ ମନୋଜ ପ୍ରଧାନ, ଶିକ୍ଷାବିତ୍ ସଚ୍ଚିଦାନନ୍ଦ ନାୟକ, ରଘୁନାଥ ଦାଶ, ନନ୍ଦ କିଶୋର ମହାପାତ୍ର, ପରିଚାଳନା କମିଟିର ସଭାପତି ବବୁଲ ମହାପାତ୍ର, ଉପସଭାପତି ଦେବବ୍ରତ ମହାପାତ୍ର, ସଂପାଦକ ଦେବାଶିଷ ମହାପାତ୍ର, କୋଷାଧ୍ୟକ୍ଷ ରାକେଶ ମହାପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପିପିଲି ପୁଲିସ ଉପସ୍ଥିତ ଥିବା ବେଳେ ପିପିଲି କଲେଜର ସମର ଶିକ୍ଷାର୍ଥି ବାହିନୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏଥିରେ ସକ୍ରୀୟ ସହଯୋଗ କରିଥିଲେ ।
Comments are closed.