ବଡ ସରଗାଇଲୋ ଗ୍ରାମରେ ହତ୍ୟାକାଣ୍ଡ

0

ପିପିଲି : ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବଡସରଗାଇଲୋ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଦୁଇ ପରିବାର ମଧ୍ୟରେ ମାରପିଟ୍‍ ଘଟି ରବିନ୍ଦ୍ର ପ୍ରଧାନ(୫୫)ଙ୍କ ମୃତ୍ୟୁ ଘଟିଛି। ଦୁଇ ପରିବାରର ଛାତ ମଧ୍ୟରେ ଥିବା ଫାଙ୍କକୁ ମରାମତି କରାଯାଉଥିବା ବେଳେ ଉତ୍ତେଜନା ପ୍ରକାଶ ପାଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହାକୁ ନେଇ ଉକ୍ତ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ସାଇଣ୍ଟିଫିକ୍‍ ଟିମ୍‍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏହି ଘଟଣାରେ ପୁଲିସ ଉଭୟ ପକ୍ଷରୁ ଦୁଇଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାଇ, ବଡସରଗାଇଲୋ ଗ୍ରାମର ରବିନ୍ଦ୍ର ପ୍ରଧାନ ଓ ପଡୋଶୀ ଯଦୁମଣୀ ପତିଙ୍କ ମଧ୍ୟରେ କିଛି ବର୍ଷ ତଳୁ ସୀମା ବିବାଦ ଥିଲା। ଉଭୟେ ଛାତ ଘର ନିର୍ମାଣ କରିଥିଲେ। ତେବେ ରବିନ୍ଦ୍ରଙ୍କ ଘରର ଛାତ ଓ ଯଦୁମଣୀଙ୍କ ଛାତର କାର୍ଣ୍ଣିସ ମଧ୍ୟରେ ମାତ୍ର ୪ଆଙ୍ଗୁଳିର ଫାଙ୍କ ଥିଲା। ଫଳରେ ଉକ୍ତ ଫାଙ୍କ ଦେଇ ବର୍ଷା ଜଳ ରବିନ୍ଦ୍ରଙ୍କ ଘରର କାନ୍ଥକୁ ଓଦା କରୁଥିବା ସୂଚନା ମିଳିଛି। ଛାତର ଉକ୍ତ ଫାଙ୍କକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ତ୍ରୀବ୍ରତର ହୋଇଥିବା ବେଳେ ଆଜି ରବିନ୍ଦ୍ର ନିଜ ସାନଭାଇ ଚକ୍ରଧରଙ୍କ ସହ ମିଶି ଉକ୍ତ ଫାଙ୍କକୁ ସିମେଣ୍ଟ ଓ ବାଲି ଦ୍ୱାରା ବନ୍ଦ କରୁଥିବା ବେଳେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଉଭୟ ପରିବାର ମଧ୍ୟରେ ମାରପିଟ୍‍ ଘଟିଥିବା ବେଳେ ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ। ଅପର ଗୋଷ୍ଠିର ଆକ୍ରମଣରେ ରବିନ୍ଦ୍ରଙ୍କ ମୁଣ୍ଡ ଫାଟି ଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେଠାରୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ମୃତକଙ୍କ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଖବର ପାଇ ପିପିଲି ଏସ୍‍ଡିପିଓ ଦିଲିପ କୁମାର ତ୍ରିପାଠୀ, ଆଇଆଇସି ଶରତ କୁମାର ସାହୁ ପ୍ରମୁଖ ସାଇଣ୍ଟିଫିକ୍‍ ଟିମ୍‍ ସହ ଘଟଣା ସ୍ଥଳରେ ପହଞ୍ଚି ତନାଘନା ତଦନ୍ତ ଚଳାଇଥିଲେ। ଘଟଣା ସ୍ଥଳରୁ ପୁଲିସ ଏକ ଶାବଳ, ଇଟା ସମେତ ରକ୍ତଭିଜା ମାଟିକୁ ଜବତ କରିଛି। କ୍ୟାପିଟାଲ ହସପିଟାଲରେ ମୃତଦେହକୁ ପୁଲିସ ଜବତ କରିବା ପରେ ବ୍ୟବଚ୍ଛେଦ କରାଯାଇଥିବା ସୂଚନା ମିଳିଛି। ଏନେଇ ମୃତକଙ୍କ ଭାଇ ଚକ୍ରଧର ପ୍ରଧାନ ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଉଭୟ ପକ୍ଷରୁ ଦୁଇଜଣଙ୍କୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Leave A Reply