ଗଛକୁ ପିଟିଲା ଜନନୀ ଏକ୍ସପ୍ରେସ, ଦୁର୍ଘଟଣା ସ୍ଥଳରେ ପ୍ରସବ କଲେ ଗର୍ଭବତୀ
ଫୁଲବାଣୀ : ଜଣେ ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନା ନେଇ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଜନନୀ ଏକ୍ସପ୍ରେସ। ଫଳରେ ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ଦୁର୍ଘଟଣା ସ୍ଥଳରେ ପ୍ରସବ କରିଛନ୍ତି ଗର୍ଭବତୀ ମହିଳା। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ। ସୂଚନା ଅନୁଯାୟୀ, ଫିରିଙ୍ଗିଆ ବ୍ଲକ ଜଜେଶପାଙ୍ଗାର ସୀତାରାମ ବେହେରାଙ୍କ ସ୍ତ୍ରୀ ସୁଭଦ୍ରା(୩୦)ଙ୍କର ଆଜି ଗର୍ଭ ଯନ୍ତ୍ରଣା ଆସିବାରୁ ଜନନୀ ଏକ୍ସପ୍ରେସକୁ ଖବର ଦିଆ ଯାଇଥିଲା। ଫିରିଙ୍ଗିଆରୁ ୧୦୨ ଆମ୍ବୁଲାନ୍ସ ଆସି ସୁଭଦ୍ରାଙ୍କୁ ମେଡିକାଲ ନେଇଥିଲା। ତେବେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଉ ପ୍ରାୟ ୨୦ କିମି ଥିବା ବେଳେ ଡିମିରିଗୁଡା ଛକଠାରେ ଆମ୍ବୁଲାନ୍ସଟି ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କଡରେ ଏକ ଶାଳ ଗଛକୁ ବାଡେଇ ହୋଇ ଯାଇଥିଲା।
ଡାକ୍ତରଖାନାରେ ପହଞ୍ଚି ନ ପାରି ସେଠାରେ ହିଁ ସୁଭଦ୍ରା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ଫିରିଙ୍ଗିଆରୁ ୧୦୮ ଆମ୍ବୁଲାନ୍ସ ଆସି ସେମାନଙ୍କୁ ମେଡିକାଲ ନେଇଥିଲା। ଉଭୟ ମା ଛୁଆ ଏବେ ସୁସ୍ଥ ଥିବା ଜଣାପଡିଛି। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିଲେ ବି ସାଙ୍ଗରେ ଥିବା ସୁଭଦ୍ରାଙ୍କ ସମ୍ପର୍କୀୟ ସାଧବାଣୀ ନାୟକ ସାମାନ୍ୟ ଆହତ ହୋଇଛନ୍ତି। ଅପରପକ୍ଷରେ ଗାଡିର ବିଅରିଙ୍ଗ ଛିଡି ଯିବାରୁ ଦୁର୍ଘଟଣା ଘଟିଥିବା ଆମ୍ବୁଲାନ୍ସ ଡ୍ରାଇଭର ରାଜୀବ ଦିଗାଲ କହିଛନ୍ତି।
Comments are closed.