ପିଲା ସାଲୁଙ୍କି ଡ୍ୟାମ: ପର୍ଯ୍ୟଟକଙ୍କୁ ବାଡ଼େଇ ମୁଣ୍ଡ ଫଟାଇଲେ ଅସାମାଜିକ ଯୁବକ, ଛଡ଼ାଇ ନେଲେ ମୋବାଇଲ ଫୋନ
ଫୁଲବାଣୀ:କନ୍ଧମାଳ ଜିଲା ସବୁଜ ପାହାଡ ତରୁଲତାରେ ପରିପୂର୍ଣ୍ଣ ଏବଂ ପର୍ଯ୍ୟଟନ ସ୍ଥଳ ପାଇଁ ବେଶ୍ ପ୍ରସିଦ୍ଧ। ଏଠିକାର ପରିବେଶ ମଧ୍ୟ ବେଶ୍ ମନୋରମ। ଏହାକୁ ଉପଭୋଗ କରିବା ପାଇଁ ଜିଲାରୁ ତଥା ଜିଲା ବାହାରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହେଉଛି। ପର୍ଯ୍ୟଟକ ମାନେ ବିଭିନ୍ନ ସ୍ଥାନ ବୁଲିବା ସହିତ କନ୍ଧମାଳର ଦେବଦେବୀଙ୍କୁ ଦର୍ଶନ କରନ୍ତି। ତେବେ ବିଭିନ୍ନ ପର୍ଯ୍ୟଟନସ୍ଥଳ ପରିଦର୍ଶନବେଳେ ପର୍ଯ୍ୟଟକମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ମିଳିଛି। ସେମାନଙ୍କ ସୁରକ୍ଷା ନିତାନ୍ତ ଆବଶ୍ୟକ ହୋଇପଡିଛି। ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲା ସାଳୁଙ୍କି ଡ୍ୟାମରେ ଅସାମାଜିକ ବ୍ୟକ୍ତି ଆଡ୍ଡା ଜମାଇଛନ୍ତି ଏବଂ ସେମାନେ ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ବନ୍ଧଗଡ ଅଞ୍ଚଳର କିଛି ପର୍ଯ୍ୟଟକ ମାଁ ବରାଳ ଦେବୀ ମନ୍ଦିର ଦର୍ଶନ ପରେ ପିଲା ସାଲୁଙ୍କି ଡ୍ୟାମ ବୁଲିବାକୁ ଯାଇଥିଲେ। ସେଠାରେ ବୁଲାବୁଲି କରିବା ସମୟରେ କିଛି ଅସାମାଜିକ ଯୁବକ ସେମାନଙ୍କୁ ମୁଣ୍ଡ ଫଟେଇ ମାଡ଼ ମାରିଥିଲେ ଏବଂ ସେମାନଙ୍କଠାରୁ ମୋବାଇଲ ଫୋନ୍ ଛଡ଼େଇ ନେଇଥିଲେ। ପର୍ଯ୍ୟଟକମାନେ ସେମାନଙ୍କୁ ଚିହ୍ନି ନାହାନ୍ତି। ଏଭଳି ଘଟଣା ଖାଲି କେବଳ ଶୁକ୍ରବାର ନୁହେଁ। ଏମିତି ଆଗରୁ ଅନେକ ଲୋକଙ୍କୁ ଲୁଟେରାମାନେ ଟଙ୍କା ପଇସା ଲୁଟ କରିବା ସହିତ ମାଡ଼ ମାରି ଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି। ତେଣୁ ଏବେ ଏହି ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟକମାନେ ଆସିବା ପାଇଁ ଭୟ କରୁଛନ୍ତି। ପର୍ଯ୍ୟଟକମାନେ ଏହି ପର୍ଯ୍ୟଟକ କ୍ଷେତ୍ର ପରିଦର୍ଶନ ପାଇଁସୁରକ୍ଷିତ ମନେ କରୁ ନାହାନ୍ତି। ତେଣୁ ଖଜୁରିପଡ଼ା ଥାନା କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଆବଶ୍ୟକ ପଦେକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
Comments are closed.