www.samajalive.in
Saturday, December 6, 2025
17.1 C
Bhubaneswar

୯ କିମି ପିଠିରେ ବୋହିଲେ, ବଞ୍ଚିଲାନି ମା’

ଫୁଲବାଣୀ : ଗାଁକୁ ରାସ୍ତା ନାହିଁ। ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ୯ କିମି ଦୂରରେ ଅଟକି ରହିଲା। ଧୀରେ ଧୀରେ କିନ୍ତୁ ମା’ଙ୍କ ଦେହରେ ସାପ କାମୁଡ଼ାର ବିଷ ଚରି ଯାଉଥାଏ। ତେଣୁ ପାଳି କରି ମା’ଙ୍କୁ ୯ କିମି ରାସ୍ତା ପୁଅ ଓ ଝିଅ ପିଠିରେ ବୋହି ବୋହି ନେଲେ। ବହୁ କଷ୍ଟ କରି ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚାଇଲେ, କିନ୍ତୁ ମା’ଙ୍କ ଜୀବନ ବଞ୍ଚାଇ ପାରିଲେନି। ଏହା ହେଉଛି ସର୍ପ ଦଂଶନରେ ଗୁରୁତର ହୋଇ ପଡିଥିବା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର ଡିମିରିପଡା ଗ୍ରାମର ଜଣେ ବିଧବାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପୁଅଝିଅ କରିଥିବା ସଂଘର୍ଷର କାହାଣୀ। ଏହା ସହିତ ଜଣାପଡି ଯାଇଛି ଗ୍ରାମାଞ୍ଚଳର ବାସ୍ତବତାର ଚିତ୍ର। ରାସ୍ତା ସମସ୍ୟା କାରଣରୁ ଠିକଣା ସମୟରେ ଡାକ୍ତରଖାନା ଯାଇନପାରିବାରୁ ସାପ କାମୁଡ଼ାରେ ଗୁରୁତର ଜଣେ ବିଧବାଙ୍କ ଜୀବନ ଚାଲିଯାଇଛି। ଖବର ଅନୁସାରେ, ଗୁରୁବାର ରାତିରେ ଜନୈକ ମହିଳା ବଲମାଡୁ ମାଝୀ ଘରେ ଶୋଇଥିବାବେଳେ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଘନ ଅନ୍ଧକାର ରାତି ସାଙ୍ଗକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ତାଙ୍କୁ ଡାକ୍ତରଖାନା ନେବା ସମ୍ଭବ ହୋଇନଥିଲା। ତେଣୁ ପରିବାର ଲୋକେ ଆଜି ସକାଳେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଗ୍ରାମର ପହଞ୍ଚି ପାରିନଥିଲା। ଗ୍ରାମଠାରୁ ପ୍ରାୟ ୯ କିଲୋମିଟର ଦୂର ପିକୁସିଠାରେ ଆମ୍ବୁଲାନ୍ସ ଅଟକି ଯାଇଥିଲା। ଏଣେ ସର୍ପାଘାତରେ ଗୁରୁତର ଆକ୍ରାନ୍ତ ମା’ ବଲମାଡୁ ମାଝୀଙ୍କୁ ବଡ଼ ପୁଅ ବେଣୁଧର ମାଝୀ କିଛି ବାଟ ବୋହି ଆଣିବା ପରେ ସାନ ଝିଅ ରଜନୀ ମାଝୀ ପିଠିରେ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ତେବେ ଡାକ୍ତର ବଲମାଡ଼ୁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକେ ତୁମୁଡ଼ିବନ୍ଧ ଥାନାରେ ଏତଲା ଦେଇଛନ୍ତି। ପୁଲିସ‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଞ୍ଚଳବାସୀ ବାରମ୍ବାର ରାସ୍ତା ନିର୍ମାଣ ପାଇଁ ବାବୁମାନଙ୍କୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। କନ୍ଧମାଳ ଜିଲାର ୧୭୧ ପଞ୍ଚାୟତର ୨୫୦୦ରୁ ଅଧିକ ଗ୍ରାମ ମଧ୍ୟରୁ ପ୍ରାୟ ୫୦୦ରୁ ଅଧିକ ଗ୍ରାମକୁ ଯାତାୟାତ ପାଇଁ ସବୁଦିନିଆ ରାସ୍ତା ନଥିବାରୁ ଏଭଳି ଘଟଣା ନିତିଦିନିଆ ଘଟୁଛି। ଗମନାଗମନ ସୁବିଧା ନଥିବାରୁ କନ୍ଧମାଳ ଜିଲାରେ ମାସକୁ ପ୍ରାୟ ୫ ରୁ ୭ଜଣ ଗର୍ଭବତୀ ମଧ୍ୟ ଠିକ୍‍ ଭାବେ ସ୍ବାସ୍ଥ୍ୟ ସେବା ପାଇନପାରି କେତେବେଳେ ବାଟରେ ତ ପୁଣି କେତେବେଳେ ଅଟୋରେ ଓ ଆଉ କେତେବେଳେ ଜଙ୍ଗଲ ମଧ୍ୟ ପ୍ରସବ କରୁଥିବାର ମଧ୍ୟ ନଜିର ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories