Patra electronics

ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ଭାଙ୍ଗିଲା ମଞ୍ଚ, ୪ ଛାତ୍ରୀ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଡିଣ୍ଡିରାଗାଁଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଏକ ବଡ଼ଧରଣର ଅଘଟଣ ଘଟିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ମଞ୍ଚ ଭାଙ୍ଗିଯିବାରୁ ୪ ଜଣ ଛାତ୍ରୀ ଆହତ ହୋଇଛନ୍ତି।

ଗୁରୁବାର ଡିଣ୍ଡିରାଗାଁ ଆଦର୍ଶ ବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ବିଦ୍ୟାଳୟ ଅଧ୍ୟକ୍ଷ ଉତ୍ତମ କହଁରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ, ଫିରିଙ୍ଗିଆ ଉନ୍ନୀତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ପୁନମ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅଶୋକ କୁମାର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଞ୍ଜୟ କୁମାର ଦିଗାଲଙ୍କ ସହ ଅନ୍ୟମାନେ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ପ୍ରଥମ ଅଧିବେଶନର ସଭା କାର୍ଯ୍ୟ ହୋଇଥିଲା। ୨ୟ ଅଧିବେଶନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୨ରୁ ୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିସାରିବା ପରେ ଖଜୁରୀପଡ଼ା ବ୍ଲକ ଦୁତିମେଣ୍ଡି ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନେ ମଞ୍ଚରେ ନୃତ୍ୟ ପରିବେଷଣ କରୁଥିଲେ। ଏହି ସମୟରେ ହଠାତ ମଞ୍ଚଟି ଭାଙ୍ଗିଯାଇଥିଲା। ଫଳରେ ମଞ୍ଚରେ ନୃତ୍ୟ କରୁଥିବା ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର ଆହତ ହୋଇଥିଲେ। ଜଣେ ଛାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଅନ୍ୟଜଣେ ଛାତ୍ରୀଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଆହତ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିବା ବେଳେ ଦୁଇଜଣ ଛାତ୍ରୀଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ମତ ଦେଇଛନ୍ତି।

Comments are closed.