ଧୋନିଙ୍କ ଫାର୍ମହାଉସ ପରିଦର୍ଶନ କରିପାରିବେ ରାଞ୍ଚିବାସୀ

ରାଞ୍ଚି  : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ରାଞ୍ଚି ନିକଟସ୍ଥ ଚାମ୍ପୋ ନାମକ ଏକ ସ୍ଥାନରେ ୪୩ ଏକର ବିଶିଷ୍ଟ ଫାର୍ମ ହାଉସ ରହିଛି। ହୋଲି ଅବସରରେ ରାଞ୍ଚିବାସୀ ଗୁରୁ, ଶୁକ୍ର ଓ ଶନିବାର ଦିନ ଏହି ଫାର୍ମ ହାଉସ ବୁଲି ଦେଖିବାର ସୁଯୋଗ ପାଇବେ ବୋଲି ଜଣାପଡ଼ିଛି।
ଏହି ୩ଦିନ ରାଞ୍ଚିବାସୀ ଧୋନିଙ୍କ ଫାର୍ମହାଉସ ବୁଲି ଦେଖିବା ସହ ସେଠାରୁ ପନିପରିବା ଓ ଷ୍ଟ୍ରବେରି କିଣି ପାରିବେ। ମିଳିଥିବା ସୂଚନାନୁଯାୟୀ ୨୫୦ ଗ୍ରାମ୍‌ ଷ୍ଟ୍ରବେରି ପ୍ୟାକେଟ୍‌ର ଦାମ୍‌ ୫୦ ଟଙ୍କା ରଖାଯାଇଛି। ଭାରତ ପାଇଁ ଦୀର୍ଘଦିନ କ୍ରିକେଟ୍‌ ଖେଳିବା ପରେ ଧୋନି ନିଜ ସହରରେ ଏକ ବିଶାଳ ଫାର୍ମହାଉସ ନିର୍ମାଣ କରିଛନ୍ତି। ଏଠାରେ ଷ୍ଟ୍ରବେରି, ପପେୟା, ପିଜୁଳି, ତରଭୁଜ ସହ ଅନେକ ରକମର ପନିପରିବା ଚାଷ କରାଯାଉଛି। ଏହାବାଦ୍‌ ଏହି ଫାର୍ମହାଉସରେ ଧୋନି ଗହମ ଓ ମାଛ ଚାଷ ମଧ୍ୟ କରୁଛନ୍ତି। ଏହି ଫାର୍ମହାଉସ ଦାୟିତ୍ବରେ ଥିବା ରୋହନ କୁମାର ଗଣମାଧ୍ୟମକୁ କହିଛନ୍ତି ଧୋନିଙ୍କ ଚାଷ ପ୍ରତି ଅହେତୁକ ଦୁର୍ବଳତା ରହିଛି। ସେ ଅନେକଥର ଏହି ଫାର୍ମହାଉସକୁ ଆସି ସମୟ ଅତିବାହିତ କରିଥାନ୍ତି। ସୂଚନାଥାଉକି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ମଧ୍ୟ ଧୋନି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଦଳ ଚେନ୍ନଇ ସୁପର କିଙ୍ଗ୍‌ସର ଅଧିନାୟକ ଭାବେ ଦାୟିତ୍ବ ନିର୍ବାହ କରି ଆସୁଛନ୍ତି। ଧୋନିଙ୍କ ନେତୃତ୍ବରେ ଚେନ୍ନଇ ଦଳ ୨୦୨୧ରେ ଆଇପିଏଲ୍‌ ଚମ୍ପିଆନ୍‌ ହୋଇଥିଲା। ଆଉ ଅଳ୍ପଦିନ ପରେ ଆଇପିଏଲ୍‌ର ଚଳିତ ସଂସ୍କରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଧୋନି ଏଥିରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.