ସମ୍ବଲପୁର ମହାନଗର ନିଗମରେ ପେନସନ ଅଦାଲତ ଅନୁଷ୍ଠିତ

ସମ୍ବଲପୁର – ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମ୍ବଲପୁର ମହାନଗର ନିଗମର ନବନିର୍ମିତ ଦୁର୍ଗାପାଲି ସ୍ଥିତ କାର୍ଯ୍ୟାଳୟରେ ‘ପେନସନ ଅଦାଲତ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିତ୍ତୀୟ ପରାମର୍ଶଦାତା ତଥା ସଚିବ ସଞ୍ଜୟ ପରମାଣିକ, ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ ସାହୁ, ଯୁଗ୍ମ ସଚିବ ଶାରଦା ପଣ୍ଡା, ଅତିରିକ୍ତ କମିଶନର ଏଞ୍ଜେଲିନା ପ୍ରଧାନ ଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଏହି ପେନସନ ଅଦାଲତରେ ୪୦ ଜଣ ଅବସରପ୍ରାପ୍ତ କର୍ମଚାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମହାନଗର କମିଶନର ପ୍ରଦୀପ ସାହୁ ସମସ୍ତଙ୍କୁ ସମ୍ବୋଧନ କରି କହିଥିଲେ ଯେ, ସମ୍ବଲପୁର ମହାନଗର ନିଗମର ଇତିହାସରେ ଏଭଳି ପେନସନ ଅଦାଲତ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଛି ।

 

prayash

ଯୁଗ୍ମ ସଚିବ ଶାରଦା ପଣ୍ଡା କହିଥିଲେ ଯେ, ଏହି ପେନସନ ଅଦାଲତର ଲାଭ ସମସ୍ତ ଅଂଶଗ୍ରହଣକାରୀ ଉଠାଇବା ଉଚିତ ଏବଂ ଯଦି ସେମାନଙ୍କ ବାକିଆ ପାଉଣା ଥିବ ତାହା ହେଲେ ତାକୁ କର୍ମଚାରୀ ମାନଙ୍କୁ ପ୍ରଦାନ କରାଯିବ । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସଚିବ ଓ ଯୁଗ୍ମ ସଚିବ ୧୬ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସେମାନଙ୍କର ପେନସନ କାଗଜ ପ୍ରଦାନ କରିଥିବା ବେଳେ ୭ମ ବେତନ ଲାଗୁ ପରେ ବାକିଆ ଥିବା ପାଉଣାକୁ ପ୍ରଦାନ ନିମନ୍ତେ ୧୦ ଜଣ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶାନାମା ପ୍ରଦାନ କରିଥିଲେ । ସେହିଭଳି କମିଶନର ସାହୁ ଆଗାମୀ ଦିନରେ ୩୦ ଜଣ ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ବାକିଆ ଥିବା ୧ କୋଟି ୭ ଲକ୍ଷ ୭୮ ହଜାର ୫୭୯ ଟଙ୍କା, ୩୦ ଜଣଙ୍କର ଅବ୍ୟବହୃତ ଛୁଟି ପାଇଁ ୮୧ ଲକ୍ଷ ୩୦ ହଜାର ୨୧୦ ଟଙ୍କା, ୭୬ ଜଣଙ୍କ ବିଭିନ୍ନ ବାକିଆ ପାଉଣା ବାବଦରେ ୧ କୋଟି ୨୭ ଲକ୍ଷ ୭୦ ହଜାର ୫୩୮ ଟଙ୍କା ଓ ୮ମ ବେତନ କମିଶନରର ପେନସନ ଲାଗୁ ପରେ ବାକିଆ ଥିବା ୪୯୪ ଅବସରପ୍ରାପ୍ତ କର୍ମଚାରୀ ଙ୍କ ୪ କୋଟି ୩୬ ଲକ୍ଷ ୯୯ ହଜାର ୬୫୯ ଟଙ୍କା ଖୁବ ଶିଘ୍ର ପ୍ରଦାନ କରାଯିବ ବୋଲି କହିଥିଲେ । ଏହି ଅବସରରେ ଡେପୁଟି କମିଶନର ଓ ଅନ୍ୟ ଅଧିକାରୀ ମାନେ ୨୪ ଜଣ ଅବସରପ୍ରାପ୍ତ କର୍ମଚାରୀ ଙ୍କ ଅଭିଯୋଗ ଶୁଣିବା ପରେ ଆଗାମୀ ୧୫ ଦିନ ମଧ୍ୟରେ ସେଗୁଡିକର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ପେନସନ ଅଦାଲତ ଦ୍ୱାରା ମହାନଗର ନିଗମରୁ ଅବସର ନେଇଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଅନେକ ଦିନରୁ ବାକିଆ ପଡିଥିବା ପାଉଣା ଗୁଡିକ ମିଳବା ଆଶା ଉଜ୍ୱଳ ହୋଇଛି ।

Comments are closed.