୨୦୨୫ ଶେଷ ସୁଦ୍ଧା ସମ୍ବଲପୁରକୁ ଯକ୍ଷ୍ମା ମୁକ୍ତ କରିବା: ଧର୍ମେନ୍ଦ୍ର ପ୍ରଧାନ

‘ସୁଶାସନ ଦିବସ’ ଅବସରରେ ସମ୍ବଲପୁରରେ ଯକ୍ଷ୍ମା ପୀଡିତଙ୍କୁ ପୁଷ୍ଟି କିଟ୍ ବିତରଣ

ସମ୍ବଲପୁର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ତଥା ସୁଶାସନ ଦିବସରେ ସମ୍ବଲପୁର ଜିଲ୍ଲାର ସରକାରୀ ସ୍ତରରେ ପଞ୍ଜୀକୃତ ଯକ୍ଷ୍ମା ପୀଡ଼ିତଙ୍କୁ ମାସିକ ପୁଷ୍ଟି କିଟ୍ ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସମ୍ବଲପୁରକୁ ୨୦୨୫ ଡିସେମ୍ବର ସୁଦ୍ଧା ଯକ୍ଷ୍ମା ମୁକ୍ତ କରିବା ପାଇଁ ସମବେତ ଜନସାଧାରଣଙ୍କୁ ଶପଥ ପାଠ କରାଇବା ସହ ସଂକଳ୍ପ ନେବାକୁ ସେ ଆହ୍ୱାନ କରିଛନ୍ତି।

ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଟିବି ବା ଯକ୍ଷ୍ମା ଏକ ସଂକ୍ରାମକ ରୋଗ ନୁହେଁ। ପରିବେଶ ପ୍ରଦୂଷଣ, ଦାରିଦ୍ର୍ୟ ଓ ସଚେତନତା ଅଭାବରୁ ଲୋକମାନେ ଏହି ରୋଗର ଶିକାର ହୋଇଥାନ୍ତି। ସମ୍ବଲପୁର ଜିଲ୍ଲାରେ ସରକାରୀ ପଞ୍ଜିକୃତ ହୋଇଥିବା ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ୧୪୩୫ । ତନ୍ମଧ୍ୟରୁ ୧୧୮୫ ଜଣ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା କରାଯାଉଛି। ଅଧିକ ୨୫୦ ରୋଗୀ ଏହି ସଂଖ୍ୟାରେ ଯୋଡି ହୋଇଛନ୍ତି। ତେବେ ପୁଷ୍ଟିକର ଖାଦ୍ୟ, ଆଧୁନିକ ଚିକିତ୍ସା ଏବଂ ଜନ ଭାଗିଦାରୀ ବଳରେ ଯକ୍ଷ୍ମାର ସମ୍ପୂର୍ଣ୍ଣ ବିଲୋପ କରାଯାଇପାରିବ। ଏଥିପାଇଁ ରୋଗୀଙ୍କୁ ଧୈର୍ଯ୍ୟ ଧରି ସାହସର ସହ ଏହି ରୋଗର ମୁକାବିଲା କରିବାକୁ ପଡିବ। ସମ୍ବଲପୁର ସମେତ ସମଗ୍ର ଓଡ଼ିଶାକୁ ଟିବି ମୁକ୍ତ କରାଇବା ପାଇଁ ପଡିବ। ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସୁବଜ ପରିବେଶ ସୃଷ୍ଟି କରିବାକୁ ହେବ।

ଶ୍ର ପ୍ରଧାନ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଏଥିପାଇଁ ପାରଦର୍ଶୀ ଭାବରେ ପୋର୍ଟାଲର ବ୍ୟବସ୍ଥା ସହ ବିଭିନ୍ନ ଯୋଜନା କରନ୍ତୁ । ଅନ୍ୟର ସେବା କରିବାର ମନୋଭାବ ରହିଲେ ହିଁ ଆମର ସମାଜକୁ ସୁସ୍ଥ କରିବାର ମୂଳ ଲକ୍ଷ୍ୟ ସାଧିତ ହୋଇପାରିବ।  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସମ୍ବଲପୁର ଏବଂ ଓଡ଼ିଶା ସମେତ ଭାରତକୁ ସଂପୂର୍ଣ୍ଣ ଭାବରେ ଟିବି ମୁକ୍ତ କରିବା ପାଇଁ “ଟିବି ମୁକ୍ତ ଭାରତ ଅଭିଯାନ”ରେ ସାମିଲ ହେବା ଏବଂ ଯକ୍ଷ୍ମା ରୋଗ ଦୂର କରିବା ପାଇଁ ଆମର ଯୋଗଦାନ ଦେବା । ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କ ପାଖରେ ପୀଡିତଙ୍କ ଆଶୁ ଆରୋଗ୍ୟ ଓ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଲାଭ ସହ ପାରିବାରିକ ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି।

Comments are closed.