ପିପିଲି ବରାଗଡ ଗ୍ରାମରୁ ୫ମାସର ଶିଶୁକନ୍ୟା ଉଦ୍ଧାର
ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ବରାଗଡ ଗ୍ରାମରୁ ଏକ ୫ମାସର ଶିଶୁକନ୍ୟାକୁ ବୁଧବାର ଉଦ୍ଧାର କରାଯାଇଛି। ଉକ୍ତ ଗ୍ରାମର ୯ନମ୍ବର ୱାର୍ଡର ଜନୈକ ବାସିନ୍ଦା ଉକ୍ତ ଶିଶୁକନ୍ୟାକୁ ନିଜପାଖରେ ରଖିଥିଲେ। ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁରୀ ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ଼ଃ ଅଜିତ କୁମାର ମହାପାତ୍ରଙ୍କ ନିର୍ଦେଶକ୍ରମେ ଜିଲା ଓ ବ୍ଲକ ପ୍ରଶାସନର ଏକ ଯୁଗ୍ମ କମିଟି ପିପିଲି ପୁଲିସ ସହ ଘଟଣାସ୍ଥଳକୁ ଯାଇ ଶିଶୁଟିକୁ ଉଦ୍ଧାର କରିଥିଲେ। ଉକ୍ତ ଶିଶୁକନ୍ୟାର ଯତ୍ନ ଓ ସୁରକ୍ଷା ପାଇଁ କଣାସସ୍ଥିତ ସ୍ୱତନ୍ତ୍ର ପୋଷ୍ୟ ଗ୍ରହଣ ଅନୁଷ୍ଠାନରେ ରଖାଯାଇଛି।
ଉଦ୍ଧାର କାର୍ଯ୍ୟରେ ଶିଶୁ ମଙ୍ଗଳ କମିଟି, ଚାଇଲ୍ଡ ହେଲ୍ପଲାଇନ୍, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ପିପିଲି ସିଡିପିଓ କାର୍ଯ୍ୟାଳୟର କର୍ମଚାରୀ, ରୁଚିକା ସମାଜମଙ୍ଗଳ ସଂସ୍ଥାର କର୍ମକର୍ତ୍ତା ପ୍ରମୁଖ ସାମିଲ ଥିଲେ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଶିଶୁକନ୍ୟାଟିର ସର୍ବୋତ୍ତମ ସ୍ୱାର୍ଥ ସାଧନ ନିମିତ୍ତ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡ଼ଃ ମହାପାତ୍ର ପ୍ରକାଶ କରିଛନ୍ତି। ପିଲାମାନଙ୍କୁ ବେଆଇନ ଭାବେ ନିଜ ପାଖରେ ରଖିବା ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ତ୍ରିପାଠୀ କହିଛନ୍ତି। ଅସୁରକ୍ଷିତ ପରିସ୍ଥିତିରେ ଅଥବା ଅଲୋଡା ଅବସ୍ଥାରେ ଯଦି କେହି କୌଣସି ଶିଶୁଙ୍କୁ ପାଆନ୍ତି, ତେବେ ତୁରନ୍ତ ସେ ସଂପର୍କରେ ଚାଇଲ୍ଡ ହେଲ୍ପଲାଇନର ଦେୟମୁକ୍ତ ନମ୍ବର ୧୦୯୮, ଜିଲା ପ୍ରଶାସନ, ବ୍ଲକ ପ୍ରଶାସନ, ଅଙ୍ଗନୱାଡି କର୍ମୀ କିମ୍ବା ସ୍ଥାନୀୟ ସରପଞ୍ଚଙ୍କ ସହିତ ଯୋଗଯୋଗ କଲେ ଆଇନଗତ ମାଧ୍ୟମରେ ସେମାନଙ୍କ ଯତ୍ନ ଓ ସୁରକ୍ଷାକୁ ସୁବ୍ୟବସ୍ଥିତ କରାଯାଇପାରିବ ବୋଲି ତ୍ରିପାଠୀ କହିଛନ୍ତି।
Comments are closed.