ପିଡିପିରେ ବିଦ୍ରୋହ; ସରକାର ଗଠନ ଯୋଜନାରେ ବିଜେପି
ଶ୍ରୀନଗର : କ୍ଷମତାଚ୍ୟୂତ ହେବା ପରେ ପିପୁଲ୍ସ ଡେମୋକ୍ରାଟି୍ ପାର୍ଟି (ପିଡିପି)ରେ ବିଦ୍ରୋହ ଦେଖାଦେଇଛି। ପାର୍ଟିର ମୁଖ୍ୟ ମେହବୁବା ମୁଫତିଙ୍କୁ ପାର୍ଟି ଚଳାଇବାକୁ ‘ଅଯୋଗ୍ୟ’ ଦର୍ଶାଇ ନେତୃତ୍ୱ ପରିବର୍ତ୍ତନ ପାଇଁ ଦଳ ଭିତରେ ସ୍ୱର ଉଠିଛି। ଏହି ପରିପ୍ରେକ୍ଷୀରେ ପାର୍ଟି ବିଭାଜନ ଆଡ଼କୁ ମୁହାଁଉଥିବା ସାମ୍ପ୍ରତିକ ଘଟଣାପ୍ରବାହ ସ୍ପଷ୍ଟ କରିଛି। ଏହାକୁ ଏକ ବଡ଼ ସୁଯୋଗ ମନେକରି ବିଜେପି ପୁନର୍ବାର ରାଜ୍ୟରେ କ୍ଷମତା ଦଖଲ ପାଇଁ ଯୋଜନା ଚଳାଇଛି। ପିଡିପିର ବିଭାଜିତ ଗୋଷ୍ଠୀଙ୍କୁ ନେଇ ପୁଣି ସରକାର ଗଠନ ପାଇଁ ବିଜେପି ଭିତିରିଆ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। ଅମରନାଥ ଯାତ୍ରା ପରେ ବିଜେପି ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଥିବା ସୂଚନା ମିଳିଛି। ଯାତ୍ରା ଶେଷ ହେବା ମାତ୍ରେ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦଳ ଦାବି ରଖିବ ବୋଲି ଜଣାପଡ଼ିଛି। ସମ୍ଭବତଃ ଅଗଷ୍ଟ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବିଜେପି ସରକାର ଗଠନ ପାଇଁ ଦାବି ଜଣାଇବ ବୋଲି ଆପାତତଃ ସ୍ଥିର ହୋଇଛି।
ପିଡିପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଇମ୍ରାନ୍ ଆନ୍ସାରୀ ସୋମବାର ଖୋଲାଖୋଲି ଭାବେ ମେହବୁବାଙ୍କୁ ସମାଲୋଚନା କରିଛନ୍ତି। ସେ ମେଣ୍ଟ ସରକାର ଭାଙ୍ଗିବା ପାଇଁ ମେହବୁବାଙ୍କୁ ଦାୟୀ କରିବା ସହ ତାଙ୍କୁ ଦଳ ତଥା ସରକାରର ନେତୃତ୍ୱ ନେବା ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ ବୋଲି କହିଛନ୍ତି। ସେ ଦଳ ପରିଚାଳନାକୁ ସମ୍ପୂର୍ଣ୍ଣ ପାରିବାରିକ ଡ୍ରାମା ବୋଲି ଅଭିହିତ କରିବା ସହ ରାଜ୍ୟର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆସିଥିବା ବିପୁଳ ଅର୍ଥର ସୁବିନିଯୋଗ କରିବାରେ ବ୍ୟର୍ଥ ହୋଇଥିବା ଇମ୍ରାନ ଆରୋପ ଆଣିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଦଳର ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ଆନ୍ସାରୀ ଏକୁଟିଆ ଏଭଳି ବିଦ୍ରୋହ ପାଇଁ ସାହସ ଜୁଟାଇବା କଷ୍ଟକର ହୋଇଥିବାରୁ ତାଙ୍କ ପଛରେ ନିଶ୍ଚୟ କିଛି ବିଧାୟକ ତଥା ଦଳୀୟ ନେତାଙ୍କର ସମର୍ଥନ ଥାଇପାରେ ବୋଲି ତଥ୍ୟାଭିଜ୍ଞ ମହଲ ମନେ କରୁଛନ୍ତି।
ବିଜେପି ସଭାପତି ଅମିତ ଶାହା ନିକଟରେ ଜାମ୍ମୁ-କାଶ୍ମୀର ଗସ୍ତବେଳେ ଜାମ୍ମୁ ଓ ଲଦାଖ ଅଞ୍ଚଳ ପ୍ରତି ପିଡିପି ଅବହେଳା କରୁଥିବାର ଅଭିଯୋଗ ଆଣିଥିଲେ। ଏହି ପରିପ୍ରେକ୍ଷୀରେ ନ୍ୟାସନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା କହିଥିଲେ ଯେ ବିଜେପି ଗଳା ବାଟ ଦେଇ ରାଜ୍ୟରେ ପୁନର୍ବାର କ୍ଷମତାକୁ ଫେରିବା ଯୋଜନା କରୁଛି। ଇମ୍ରାନଙ୍କ ବିଦ୍ରୋହ ପରେ ଏହା ଏବେ ସ୍ପଷ୍ଟ ହେବାକୁ ଯାଉଛି। ତା’ଛଡ଼ା ପିଡିପି ସହିତ ମିଶି ସରକାର ଗଠନ କରିବା ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୁଇ ଦିନ ପୂର୍ବେ କଂଗ୍ରେସ ନେତାମାନେ ଖଣ୍ଡନ କରିଥିବାରୁ ପିଡିପିକୁ ବିଭାଜିତ କରି ବିଜେପି ସରକାର ଗଠନ ଉଦ୍ୟମ ଚଳାଇଥିବାକୁ ଅବିଶ୍ୱାସ କରିହେଉ ନାହିଁ।
ଉଲ୍ଲେଖଯୋଗ୍ୟ କି ରାଜ୍ୟ ବିଧାନସଭାର ମୋଟ ୮୯ ଆସନରୁ ବିଜେପିର ସଦସ୍ୟ ସଂଖ୍ୟା ୨୫ ଥିବାବେଳେ ପିଡିପି ପାଖରେ ୨୮ ରହିଛି। ସେହିଭଳି କଂଗ୍ରେସ ପାଖରେ ୧୨ ଓ ନ୍ୟାସନାଲ କନ୍ଫରେନ୍ସ ପାଖରେ ୧୫ ସଦସ୍ୟ ଅଛନ୍ତି। ସରକାର ଗଠନ ପାଇଁ ୪୪ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି। ବିଜେପି ଯଦି ପିଡିପିରେ ବିଭାଜନ ଘଟାଇବାରେ ସମର୍ଥ ହୁଏ ତାହାହେଲେ ସବୁ ଅସମ୍ଭବ ସମ୍ଭବ ହୋଇପାରିବ। ଆବଶ୍ୟକ କ୍ଷେତ୍ରରେ କଗ୍ରେସ ଓ ନ୍ୟାସନାଲ କନ୍ଫରେନ୍ସର କିଛି ବିଧାୟକ ସମର୍ଥନ କରିବେ ବୋଲି ମଧ୍ୟ ସୂଚନା ମିଳିଛି। ବିଧାନସଭାର କାର୍ଯ୍ୟକାଳ ଆହୁରି ପ୍ରାୟ ଦୁଇ ବର୍ଷ ବାକି ଥିବାରୁ ବର୍ତ୍ତମାନ ପରିସ୍ଥିତିରେ କେହି ନିର୍ବାଚନ ଚାହୁଁ ନାହାନ୍ତି। ଏହାଛଡ଼ା ରାଜ୍ୟପାଳ ଶାସନକୁ ମଧ୍ୟ ଅନେକ ପସନ୍ଦ କରୁ ନାହାନ୍ତି; ଯାହା କି ବିଜେପିକୁ ସୁଯୋଗ ଦେଇଛି।
ମିଳିଥିବା ସୂଚନାନୁଯାୟୀ, ଜାମ୍ମୁ-କାଶ୍ମୀର ଦାୟିତ୍ୱରେ ଥିବା ବିଜେପି ସାଧାରଣ ସମ୍ପାଦକ ରାମ ମାଧବ ଇତିମଧ୍ୟରେ ରାଜ୍ୟ ବିଜେପି ସଭାପତି ରବୀନ୍ଦ୍ର ରାଇନା ଓ ବରିଷ୍ଠ ନେତା କବିନ୍ଦ୍ର ଗୁପ୍ତା ଏକାଧିକ ୈଠକରେ ଉପନୀତ ହୋଇ ଯୋଜନାକୁ ସଫଳ କରିବା ପ୍ରୟାସରେ ଅଛନ୍ତି। ସେମାନେ ପିଡିପିର ଅସନ୍ତୁଷ୍ଟ ନେତାଙ୍କୁ ନିଜ ସପକ୍ଷରେ ମନାଇବାରେ ଅନେକାଂଶରେ ସଫଳ ହୋଇଛନ୍ତି। ରାମ ମାଧବ ବିଜେପି ବିଧାୟକ ସାଜାଦ ଲୋନ୍ଙ୍କ ଘରେ ସରକାର ଗଠନ ନେଇ ଆଲୋଚନା ଚଳାଇଥିବାର ଖବର ପ୍ରକାଶ ପାଇଛି। ଏହାକୁ ନିଜେ ଲୋନ୍ ମଧ୍ୟ ସ୍ୱୀକାର କରିଛନ୍ତି। ଏହାଛଡ଼ା ମାଧବ ଗତ ୨୭ତାରିଖରେ ରାଜ୍ୟପାଳଙ୍କୁ ଭେଟିଥିବାରୁ ଏଭଳି ଆଲୋଚନା ସରଗରମ ହୋଇଛି। ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଅମରନାଥ ଯାତ୍ରା ଚାଲିଥିବାରୁ ଏଥିରେ ବିଭ୍ରାଟ କେହି ଚାହୁଁ ନାହାନ୍ତି; ତେଣୁ ଯାତ୍ରା ପରେ ଯାହା କିଛି କରାଯିବ ବୋଲି ସମସ୍ତେ ଏକରକମ ମନ ସ୍ଥିର କରିଛନ୍ତି।