୩୫ (କ) ଉଚ୍ଛେଦ ହେଲେ ତ୍ରିରଙ୍ଗା ଛାଡ଼ିଦେବେ କାଶ୍ମୀରବାସୀ: ମେହବୁବା ମୁଫତି

0

ଶ୍ରୀନଗର : ଜାମ୍ମୁ- କାଶ୍ମୀରବାସୀଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ସମ୍ବିଧାନିକ ଧାରା ୩୫ (କ) ଉଚ୍ଛେଦ ହେଲେ ଜାମ୍ମୁ କାଶ୍ମୀରବାସୀ ତ୍ରିରଙ୍ଗାକୁ ଛାଡ଼ି ଅନ୍ୟ ପତାକା ଧରିନେବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ନେତ୍ରୀ ମେହବୁବା ମୁଫତି ଚେତାବନୀ ଦେଇଛନ୍ତି। ସେ ଧମକପୂର୍ଣ୍ଣ କଣ୍ଠରେ କହିଛନ୍ତି ଯେ ୩୫ (କ) ଉଚ୍ଛେଦ ପାଇଁ ଚେଷ୍ଟା କରନାହିଁ, ନହେଲେ ୧୯୪୭ ପରଠାରୁ ଯାହା ଦେଖିନ ତାହା ଦେଖିବ। ସେହିପରି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲା ମୋଦୀ ସରକାରଙ୍କୁ ଜାମ୍ମୁ କାଶ୍ମୀରରେ ନିର୍ବାଚନ କରି ଦେଖାଇବାକୁ ଆହ୍ୱାନ ଦେଇଛନ୍ତି। ବିଚ୍ଛିନ୍ନତାବାଦୀ ଏବଂ ଆତଙ୍କବାଦୀଙ୍କଠାରୁ ମୋଦୀ ହାରିଗଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ୫ ବର୍ଷ ପରେ ନିର୍ଦ୍ଧାରିତ ସମୟରେ ନିର୍ବାଚନ କରି ଦେଖାନ୍ତୁ ବୋଲି ସେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ ସର୍ବୋଚ୍ଚ ଅଦାଲତାରେ ଜାମ୍ମୁ କାଶ୍ମୀରରେ ସମ୍ପତ୍ତି କ୍ରୟ କରିବା ତଥା ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତି ପାଇବା ନେଇ ରାଜ୍ୟର ସ୍ଥାୟୀ ବାସିନ୍ଦାଙ୍କୁ ଅନୁମତି ପ୍ରଦାନ କରୁଥିବା ଭାରତୀୟ ସମ୍ବିଧାନର ଧାରା ୩୫(କ) ଉଚ୍ଛେଦ ସମ୍ବନ୍ଧୀୟ ମାମଲାର ଶୁଣାଣି ଫେବୃଆରୀ ୨୬ରୁ ୨୮ ତାରିଖ ମଧ୍ୟରେ ହେବ। ଏହା ପୂର୍ବରୁ ଜାମ୍ମୁ କାଶ୍ମୀର ନେତାମାନେ ଧମକପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି । ତେବେ ଏହି ଧମକ ଅଦାଲତର ଶୁଣାଣିକୁ ପ୍ରଭାବିତ କରିବ ନାହିଁ ବୋଲି କୁହାଯାଇଛି ।

prayash

ଧାରା ୩୫ (କ) କ୍ରମେ ଅନ୍ୟ ଅଞ୍ଚଳର ଲୋକେ ଜାମ୍ମୁ-କାଶ୍ମୀରରେ ସ୍ଥାୟୀ ଭାବେ ବସବାସ ତଥା ଜମିବାଡ଼ି କ୍ରୟ କରିପାରିବେ ନାହିଁ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଛାତ୍ରବୃତ୍ତି ଓ ସରକାରୀ ନିଯୁକ୍ତି ମଧ୍ୟ ପାଇବେ ନାହିଁ। ଏହି ଧାରାର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୪ଟି ମାମଲା ରୁଜୁ ହୋଇଛି। ଅଣ-ସରକାରୀ ସଂସ୍ଥା ‘ଉଇ ଦ ସିଟିଜେନ୍‍’ ପକ୍ଷରୁ ରୁଜୁ ୩ଟି ମାମଲାରେ ଦର୍ଶାଯାଇଛି ଯେ ୧୯୫୪ରେ ଧାରା ୩୫ (କ)କୁ ରାଷ୍ଟ୍ରପତିଙ୍କ ନିର୍ଦେଶକ୍ରମେ ଜାମ୍ମୁ-କାଶ୍ମୀରରେ ପ୍ରଣୟନ କରାଯାଇଥିଲା; କିନ୍ତୁ ଏହା ପୂର୍ବରୁ ଧାରାଟିକୁ ସଂସଦରେ ଉପସ୍ଥାପନ କରାଯାଇ ନ ଥିଲା। ଏହି ଧାରାକୁ ଜାମ୍ମୁ-କାଶ୍ମୀରରେ ପ୍ରଣୟନ ଯୋଗ୍ୟ ସାମ୍ବିଧାନିକ ନିର୍ଦେଶ-୧୯୫୪ ଅଧୀନରେ ଏକ ସଂଶୋଧିତ ଧାରା ରୂପେ ଉଲ୍ଲେଖ କରା ନ ଯାଇ କେବଳ ଏକ ‘ଅନୁବନ୍ଧ’ ଭାବେ ଦର୍ଶାଯାଇଛି। ଏହା ରାଜ୍ୟ ତଥା ରାଜ୍ୟ ବାହାରର ବାସିନ୍ଦା ଏବଂ ରାଜ୍ୟର ଯୁବକ ଓ ଯୁବତୀଙ୍କ ମଧ୍ୟରେ ପକ୍ଷପାତିତା କରୁଛି। ରାଜ୍ୟର କୌଣସି ଯୁବତୀ ରାଜ୍ୟ ବାହାରର ଯୁବକଙ୍କୁ ବିବାହ କଲେ ସେମାନଙ୍କ ସନ୍ତାନ ପୈତୃକ ସମ୍ପତ୍ତିର ହକଦାର ହୋଇପାରୁ ନାହାନ୍ତି, ଅଥଚ ରାଜ୍ୟର ଯୁବକ ବାହାରର ଯୁବତୀଙ୍କୁ ବିବାହ କରିବା ସ୍ଥଳେ ଏଭଳି ଘଟୁ ନାହିଁ। ଏଣୁ ଏହି ଧାରାକୁ ଅସାମ୍ବିଧାନିକ ଘୋଷଣା କରିବାକୁ ସଂସ୍ଥା ୨୦୧୪ରେ ରୁଜୁ କରିଥିବା ମୁଖ୍ୟ ଆବେଦନରେ ଦର୍ଶାଇଛି। ଅନ୍ୟପଟେ ଏହି ଧାରାର ସୁରକ୍ଷା ଦିଗରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ନିମନ୍ତେ ଜାମ୍ମୁ-କାଶ୍ମୀର ଓକିଲ ସଂଘ ପକ୍ଷରୁ ଅନ୍ୟ ଏକ ଆବେଦନ କରାଯାଇଛି। ଏହି ଧାରା ଉଚ୍ଛେଦ ଦ୍ୱାରା ଦକ୍ଷିଣପନ୍ଥୀମାନେ ରାଜ୍ୟରେ କାୟା ବିସ୍ତାର ସହ ଏହାର ସ୍ଥିତି ପରିବର୍ତ୍ତନର ସୁଯୋଗ ପାଇବେ ବୋଲି ବିଚ୍ଛିନ୍ନତାବାଦୀଙ୍କ ସହ ଜାମ୍ମୁ କାଶ୍ମୀର ନେତାମାନେ କହୁଛନ୍ତି ।

Leave A Reply