ପାତ୍ରପୁର: ଜରଡା ଥାନା ପାତ୍ରପୁର ବ୍ଳକ ତିତିଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ସ୍ବାମୀ ବାଇକ୍ ଯୋଗେ ବ୍ରହ୍ମପୁର ଆଲାଟ୍ରାସାଉଣ୍ଡ ପାଇଁ ଯାଉଥିବା ବେଳେ ଗୋଳନ୍ଥରା ଥାନା ଜାତୀୟ ରାଜପଥ ୧୬ ହଳଦିଆପଦର ନିକଟରେ ସଡକ ଦୁର୍ଘଟଣାରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଜଣକ ଆହତ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ସେହି ଗ୍ରାମର ପିଙ୍କି ପ୍ରଧାନ (୨୩) ଓ ଆହତ ସ୍ବାମୀ ଜଣକ ହେଲେ ରଞ୍ଜନ ପ୍ରଧାନ (୨୭)।
ଘଟଣାସ୍ଥଳରେ ଗୋଳନ୍ଥରା ପୁଲିସ ପହଞ୍ଚି ଗାଡି ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ସକାଳେ ରଞ୍ଜନ ପତ୍ନୀ ପିଙ୍କିଙ୍କୁ ବ୍ରହ୍ମପୁର ମେଡିକାଲ ନେବା ବେଳେ ହଳଦିଆପଦର ଓଭରବ୍ରିଜ ନିକଟରେ ବାଇକ୍ ପଛକୁ ଟ୍ରକ ଧକ୍କା ଦେବା ଫଳରେ ପିଙ୍କି ଛିଟିକି ପଡିବା ବେଳେ ଟ୍ରକଟି ପିଙ୍କି ଉପରେ ମାଡିଯିବା ଫଳରେ ପିଙ୍କିଙ୍କ ମୃତ୍ୟୁ ଘଟିଥିଲା। ଦୀର୍ଘଦିନ ହେଲା ହଳଦିଆପଦର ଓଭରବ୍ରିଜ କାମ ମନ୍ଥର ଗତିରେ ଚାଲିଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ବେ ତାହା କାର୍ଯ୍ୟକାରୀ କରାଯାଉ ନାହିଁ ଯାହାଦ୍ବାରା ଉକ୍ତ ସ୍ଥାନ ଡେଥ ଜୋନ ପାଲଟିଛି।



