ପାଟଣା: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କଂଗ୍ରେସ ସରକାର ଅମଳରେ ବର୍ତ୍ତମାନର ୨୨୦ ନମ୍ବର ଜାତୀୟ ରାଜପଥରେ ପ୍ରଥମ ଥର ପାଇଁ ବୈତରଣୀ ସେତୁ ଶ୍ରୀ ବିଶ୍ବାଳଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। ପାଟଣା ବ୍ଲକର ଭୀମକୁଣ୍ଡ ଡ଼ାକବଙ୍ଗଳାରେ ସେ ମଧ୍ୟ ଗୋଟିଏ ରାତି କଟାଇଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ପୂର୍ବତନ ବିଧାୟକ ହୃଷିକେଶ ନାଏକ, କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ, ଜିଲ୍ଲା ବିଜୁ କୃଷକ ଜନତା ସଭାପତି ଦୀପକ ରାଜ, ବିଜେଡି ଏସ.ସି ସେଲ ସଭାପତି ଭରତ ପାତ୍ର, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ସଭାପତି ତଥା ସାମ୍ବାଦିକ ନୃସିଂହନାଥ ସିଂହ, ସମାଜସେବୀ କୁଳମଣୀ ମଣ୍ଡଳ ପ୍ରମୁଖ ବହୁ ଜଣାଶୁଣା ବ୍ୟକ୍ତି ଶ୍ରୀ ବିଶ୍ବାଳଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
Popular Categories



