ଶୀତକାଳୀନ ପାରାଲିମ୍ପିକ୍‌ସରୁ ରୁଷ, ବେଲାରୁଷ କ୍ରୀଡ଼ାବିତ୍‌ ବାସନ୍ଦ

ବେଜିଂ: ଶୁକ୍ରବାରଠାରୁ ବେଜିଂରେ ଶୀତକାଳୀନ ପାରାଲିମ୍ପିକ୍‌ସ ଆୟୋଜନ ହେଉଛି। ୟୁକ୍ରେନ୍ ଉପ‌ରେ ରୁଷର ଆକ୍ରମଣ ପରେ ରୁଷ ଓ ବେଲାରୁଷର ପ୍ରତିଯୋଗୀଙ୍କୁ ଏହି ପାରାଲିମ୍ପିକ୍‌ସରୁ ବାସନ୍ଦ କରିଛି ଆନ୍ତର୍ଜାତିକ ପାରାଲିମ୍ପିକ୍‌ କମିଟି (ଆଇପିସି)। ଦିନକ ତଳେ ଆଇପିସି କହିଥିଲା ଯେ ରୁଷ ଓ ବେଲାରୁଷର ପ୍ରତିଯୋଗୀ ନିରପେକ୍ଷ ନାମରେ ଖେଳିବେ। ସେମାନେ ପାରାଲିମ୍ପିକ୍‌ସ ପତାକା ଅଧୀନରେ ଭାଗନେବେ ଏବଂ ସେମାନଙ୍କ ନାମ ପଦକ ତାଲିକାରେ ଉଲ୍ଲେଖ ରହିବ ନାହିଁ। ହେଲେ ଏହାକୁ ମଧ୍ୟ ସାରାବିଶ୍ବରେ ବିରୋଧ କରାଯାଇ ରୁଷ ଓ ବେଲାରୁଷର କ୍ରୀଡ଼ାବିତ୍‌ଙ୍କୁ ବେଜିଂ ଶୀତକାଳୀନ ପାରାଲମ୍ପିକ୍‌ସରୁ ସମ୍ପୂର୍ଣ୍ଣ ବାସନ୍ଦ କରିବାକୁ ଦାବି ହୋଇଥିଲା। ଶେଷରେ କ୍ରୀଡ଼ା ଦୁନିଆର ଦାବି ଆଗରେ ଆପିସିକୁ ମୁଣ୍ଡ ନୁଆଁଇବାକୁ ପଡ଼ିଛି। ଗୁରୁବାର ଏକ ପ୍ରେସ୍ ବିଜ୍ଞପ୍ତି ଦ୍ବାରା ଆଇପିସି ଜଣାଇଛନ୍ତି, ଆମ ପରିଚାଳନା ବୋର୍ଡର ଏକ ଜରୁରୀ ବୈଠକ ବସିଥିଲା। ସମସ୍ତେ ରୁଷ ଓ ବେଲାରୁଷର କ୍ରୀଡ଼ାବିତ୍‌ଙ୍କୁ ବେଜିଂ ଶୀତକାଳୀନ ପାରାଲିମ୍ପିକ୍‌ସରେ ପ୍ରବେଶ ବିରୋଧରେ ମତପୋଷଣ କରିଥିଲେ। ବେଜିଂ ଶୀତକାଳୀନ ପାରାଲିମ୍ପିକ୍‌ସ ଆରମ୍ଭହେବାର ଦିନକ ପୂର୍ବରୁ ରୁଷ ଓ ବେଲାରୁଷର ପ୍ରତିଯୋଗୀଙ୍କୁ ବାସନ୍ଦ କରିବା ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟିହୋଇଛି। କାରଣ ରୁଷର ୭୧ ଜଣିଆ କ୍ରୀଡ଼ାବିତ୍‌ ଦଳ ଏବେ ବେଜିଂରେ ଅଛନ୍ତି।

kalyan agarbati

Comments are closed.