ରାନୁ ମଣ୍ଡଳଙ୍କ ନକଲ କରି ପୁଣି ଫଶିଲେ ପପୁ

ଭୁବନେଶ୍ୱର : ଓଡ଼ିଆ ହାସ୍ୟାଭିନେତା ତତ୍ବପ୍ରକାଶ ଶତପଥୀ ଓରଫ୍ ପପୁ ପମ୍‌ପମ୍‌ଙ୍କର ବିବାଦ ଘେରରେ ରହିବା ବୋଧ ହୁଏ ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଗଲାଣି। ଗୋଟିଏ ବିବାଦ ଶେଷ ନହେଉଣୁ ଏବେ ସେ ଆଉ ଏକ ବିବାଦକୁ ନେଇ ଖୁବ୍ ସମାଲୋଚିତ ହେଉଛନ୍ତି। ଷ୍ଟେସନରେ ଗୀତ ଗାଇ ରାତାରାତି ବଲିଉଡ଼ ଯାଏ ପହଞ୍ଚିଥିବା ରାନୁ ମଣ୍ଡଳଙ୍କର ପପୁ ନକଲ କରୁଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏଥିରେ ସେ ରାନୁଙ୍କ ବେଶ ଧରି ତାଙ୍କ ଶୈଳୀରେ ଗୀତ ଗାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦେଖି ଲୋକେ ପପୁଙ୍କୁ ତୀବ୍ର ନିନ୍ଦା କରିବା ସହ ଏହା ରାନୁଙ୍କ ପାଇଁ ଏକ ଅପମାନ ବୋଲି କହିଛନ୍ତି। କେହିକେହି ଏପରି ମଧ୍ୟ ଲେଖିଛନ୍ତି ଯେ, ପୁପୁ କେବେ ସୁଧୁରିବେନି। ପପୁଙ୍କ ଏହି ଭଡିଓକୁ ନେଇ ସମାଜସେବୀ ଲିଙ୍କନ୍‌ ସୁବୁଦ୍ଧି କହିଛନ୍ତି, ‘ପୁପୁଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକତା ଅଛି। ସେ ଶୀଘ୍ର ନିଜର ଚିକିତ୍ସା କରାନ୍ତୁ’।

ଅନ୍ୟପକ୍ଷରେ ରାନୁଙ୍କୁ ଅସମ୍ମାନିତ କରିବାକୁ ସେ ତାଙ୍କର ନକଲ କରି ନାହାନ୍ତି ବୋଲି ପପୁ ଗଣମାଧ୍ୟମକୁ ସଫେଇ ଦେଇଛନ୍ତି। ବରଂ ରାନୁଙ୍କ ଲୋକପ୍ରିୟତା ବଢାଇବା ପାଇଁ ସେ ଏହି ଭିଡିଓ କରିଥିବା କହିଛନ୍ତି। ଏହାସହ ସେ ରାନୁଙ୍କ ପ୍ରତିଭାକୁ ଖୁବ୍ ସମ୍ମାନ କରୁଛନ୍ତି ବୋଲି ପପୁ ମତବ୍ୟକ୍ତ କରିଛନ୍ତି।

ପ୍ରକାଶଯୋଗ୍ୟ, ନିକଟରେ ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ହିମେଶ୍ ରେଶମିଆଁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ହାପି ହାର୍ଡି ଆଣ୍ଡ ହୀର୍’ରେ ରାନୁଙ୍କୁ କଣ୍ଠଦାନ କରିବାର ସୁଯୋଗ ଦେଇଛନ୍ତି। ଆଉ ତାଙ୍କ ଗୀତ ରେକର୍ଡିଂ ବେଳର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଛି। ପପୁ ତାଙ୍କର ସେହି ଭିଡିଓକୁ ନକଲ କରିଛନ୍ତି। ସେହିପରି ପପୁଙ୍କ ପାଖରେ ଜଣେ ବ୍ୟକ୍ତି ଠିଆ ହୋଇ ହିମେଶ ରେଶମିଆଁଙ୍କର ନକଲ ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ନିଜ ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ପପୁ ବିବାଦ ଘେରକୁ ଆସିଥିଲେ।

Comments are closed.