ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ପୁରସ୍କାର ବିତରଣ, ସଚେତନତା ସମାବେଶ ଓ ପ୍ରଦର୍ଶନୀ

ଭୁବନେଶ୍ୱର: ରାଜ୍ୟ ଜଳ ସଂପଦ ବିଭାଗ ତରଫରୁ ଚଳିତ ଫେବୃୟାରୀ ମାସ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଫେବୃୟାରୀ ୧ରେ ରାଜ୍ୟରେ ୧୧୭ ଟି ଡିଭିଜନସ୍ତରରେ ପାଣି ପଂଚାୟତ ପକ୍ଷ ପାଳନର ଶୁଭାରମ୍ଭ କରାଯାଇ ୧ରୁ ୭ ତାରିଖ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଫେବୃୟାରୀ ୮ ରୁ ପାଣି ପଂଚାୟତ ପକ୍ଷର ୨ୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେରାଜ୍ୟର ୩୦ଟି ଜିଲ୍ଲାସ୍ତରରେ ପାଣି ପଂଚାୟତ ପକ୍ଷ ପାଳନ କରାଯାଇଛି । ପାଣି ପଂଚାୟତର ଭୂମିକା ସଂପର୍କରେ ସୂଚନା ଓ ସଚେତନତା ବାର୍ତ୍ତା ନେଇ ପରିକ୍ରମା କରୁଥିବା ପାଣି ପଂଚାୟତ ରଥଫେବୃୟାରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଡିଭିଜନ ଓ ଜିଲ୍ଲାର ପ୍ରମୁଖ ସ୍ଥାନ ପରିକ୍ରମା କରିବା ପରେଫେବୃୟାରୀ ୮ ତାରିଖ ସୁଦ୍ଧା ଜିଲ୍ଲା ସଦର ମହାକୁମାରେ ପହଁଚିଥିଲା । ୮ ତାରିଖରେ ପାଣି ପଂଚାୟତ ସଦସ୍ୟ, କୃଷକ ଓ ଅନ୍ୟ ସହଭାଗୀ ଅନୁଷ୍ଠାନମାନଙ୍କ ଉପସ୍ଥିତିରେ ରାଜ୍ୟର ସମସ୍ତ ଜିଲ୍ଲାସ୍ତରରେ ପାଣି ପଂଚାୟତ ସମାବେଶମାନ ଅନୁଷ୍ଠିତ ହୋଇଯାଇଛି ।
ଏହି ପରିପ୍ରେକ୍ଷୀରେ ମାନ୍ୟବର ରାଜ୍ୟ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ ଏବଂ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଂଚାୟତିରାଜ ଓ ପାନୀୟ ଜଳ ତଥା ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଯଥାକ୍ରମେ ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କୃଷକ, ପାଣି ପଂଚାୟତ ଏବଂ ଜଳ ସୁପରିଚାଳନା କ୍ଷେତ୍ରରେ କାର୍ଯ୍ୟକରୁଥିବା ସହଭାଗୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଉଦବୋଧନ ଦେଇଥିଲେ । ସେହିପରି ମାନ୍ୟବର ବିଧାୟକ, ରାଜନଗର, ବିଧାୟକ, ରାଉରକେଲା, ବିଧାୟକ ସୁନ୍ଦରଗଡ, ବିଧାୟକ, ବରଗଡ ନିଜ ନିଜ ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉତ୍ସବରେ ଯୋଗଦେଇଥିଲେ । ସେହିପରି ଅନୁଗୋଳ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ମାନ୍ୟବର ବିଧାୟକ, ଛେଣ୍ଡିପଦା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଏବଂ ବ୍ଲକ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହି କୃଷକମାନଙ୍କୁ ପାଣି ପଂଚାୟତର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଆଲୋଚନା କରିଥିଲେ । ବରଗଡ, କେନ୍ଦ୍ରାପଡା ଓ ନବରଙ୍ଗପୁର ଜିଲ୍ଲାସ୍ତରୀୟ ଉତ୍ସବରେ ସଂପୃକ୍ତ ଜିଲ୍ଲାପାଳମାନେ ଯୋଗଦେଇଥିଲେ । କନ୍ଧମାଳ ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉତ୍ସବରେ ଜିଲ୍ଲାପାଳ,କନ୍ଧମାଳଙ୍କ ସମେତ ଜିଲ୍ଲା ପାଇଁ ନିୟୋଜିତ ଜଳପ୍ରଭାରୀ , କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ସମେତ ବିଭାଗୀୟ ଉଠା ଜଳସେଚନ , ଜଳ ସେଚନ ଏବଂ ମୃତ୍ତିକା ସଂରକ୍ଷଣ ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।ସେହିପରି ଅନ୍ୟସମସ୍ତ ଜିଲ୍ଲାସ୍ତରୀୟ ଉତ୍ସବରେ ବିଭିନ୍ନ ଅତିଥି, ପାଣି ପଂଚାୟତ ସଦସ୍ୟ, କୃଷକ ଓ ସଂପୃକ୍ତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ଅଧିକାରୀମାନେ ଯୋଗଦେଇଥିଲେ ।
ପାଣି ପଂଚାୟତ ପକ୍ଷ ପାଳନ ପରିପ୍ରେକ୍ଷୀରେ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରବନ୍ଧ, କୁଇଜ୍, ବକ୍ତୃତା ଓ ପେଣ୍ଟିଂ ଆଦି ପ୍ରତିଯୋଗିତାର ପ୍ରତିଯୋଗୀମାନଙ୍କୁସମସ୍ତ ଜିଲ୍ଲାସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯାଇଥିଲା । ସବୁଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରଚାର କରାଯାଇ ପାଣି ପଂଚାୟତ ପକ୍ଷ ପାଳନର ଆଭିମୁଖ୍ୟ ସଂପର୍କରେ ସଚେତନ କରାଯାଇଥିଲା । ପାଣି ପଂଚାୟତ ଏବଂ ଜଳର ବ୍ୟବହାରିକ ପରିବର୍ତ୍ତନ ସଂପର୍କରେ ପ୍ରଚାରପତ୍ର, ପତ୍ରିକା, ସ୍ଲୋଗାନ୍ ସହ ପାଣି ପଂଚାୟତ ସଂଗୀତ ଓ ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଥିଲା । ବିଭିନ୍ନ ସ୍ଥାନରେ ପାଣି ପଂଚାୟତ ପ୍ରଦର୍ଶନୀ ସହ କୃଷି ବିଭାଗର ସହଯୋଗରେ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଓ ମେଳା ଅନୁଷ୍ଠିତ ହୋଇଥିଲା । ଜଳ ସଂପଦ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ନିୟୋଜିତ ଜଳ ପ୍ରଭାରୀମାନେ ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ପାଣି ପଂଚାୟତ ଜିଲ୍ଲାସ୍ତରୀୟ ସମାବେଶକୁ ସଫଳ କରିଥିଲେ ।
ପ୍ରକାଶ ଥାଉକି, ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା, ସହଭାଗୀ ଜଳସେଚନ ମାଧ୍ୟମରେ ତୃଣମୂଳସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି, ଜଳର ଉପଯୁକ୍ତ ବିନିଯୋଗ ନେଇ ସାମାଜିକ-ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ସଂପର୍କରେ ଜଳ ସଂପଦ ବିଭାଗ ତରଫରୁ ସଚେତନତା ରଥ ପରିକ୍ରମା ସହିତ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଓ ସଚେତନତା ସମାବେଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ପଠାଣି ରାଉତ ସୂଚନା ଅଧିକାରୀ

kalyan agarbati

Comments are closed.