www.samajalive.in
Monday, December 15, 2025
17.1 C
Bhubaneswar

ପଞ୍ଚାୟତ ନିର୍ବାଚନ: ଜିଲା ପରିଷଦ ଲଢେଇରେ ଦୁଇ ବ୍ଲକ ଅଧ୍ୟକ୍ଷ, ଯୋଗ୍ୟତା ପରଖୁଛନ୍ତି ଭୋଟର

ବୌଦ୍ଧ : ବୌଦ୍ଧଜିଲାରେ ପଞ୍ଚାୟତ ନିର୍ବାଚନର ସରଗରମ ଜୋର ଧରିଥିବାବେଳେ ଭୋଟରମାନେ ପ୍ରାର୍ଥୀମାନଙ୍କ ଯୋଗ୍ୟତାକୁ ନେଇ ମଧ୍ୟ ଆଲୋଚନା କରୁଥିବା ଦେଖାଯାଉଛି। ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିବା ଏଠାରେ ସାଧାରଣ ଘଟଣା ହୋଇସାରିଥିବାବେଳେ ପ୍ରାର୍ଥୀଙ୍କ ଯୋଗ୍ୟତା ମଧ୍ୟ ଫଳାଫଳକୁ ବହୁଳ ଭାବରେ ପ୍ରଭାବିତ କରୁଛି। ଜିଲା ପରିଷଦର ସମସ୍ତ ଦଳୀୟ ପ୍ରାର୍ଥୀଙ୍କ ଯୋଗ୍ୟତା ଦେଖିବାକୁ ଗଲେ ବିଜେଡିର ଦୁଇଜଣ ପ୍ରାର୍ଥୀଙ୍କର ପୂର୍ବରୁ ରାଜନୈତିକ କ୍ଷମତାର ଅନୁଭବ ରହିଛି। ୩ ନମ୍ବର ଜୋନ ପାଇଁ ବିଜେଡିର ପ୍ରାର୍ଥୀ ହୋଇଥିବା ଶଙ୍କର୍ଷଣ ପ୍ରଧାନଙ୍କୁ ଏଥର ପଞ୍ଚାୟତ ନିର୍ବାଚନରେ ହେଭିୱେଟ ନେତା ଭାବରେ ପରିଗଣିତ କରାଯାଉଅଛି। ସେ ପୂର୍ବରୁ କଣ୍ଟାମାଳ ବ୍ଲକର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନିର୍ବାହ କରିସାରିଥିବାବେଳେ ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କର ପତ୍ନୀ ଯାଜ୍ଞେଶ୍ୱରୀ ପ୍ରଧାନଙ୍କୁ ମଧ୍ୟ ବ୍ଲକ ଅଧ୍ୟକ୍ଷା କରାଇପାରିଥିଲେ। ଶଙ୍କର୍ଷଣ ବ୍ଲକ ଅଧ୍ୟକ୍ଷ ସହିତ ଦୁଇଟି ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବରେ ଆଶାୟୀଙ୍କ ଦୌଡରେ ରହିଥିଲେ। ତେଣୁ ଜିଲାପରିଷଦର ବିଜୟ ହୁଏତ ତାଙ୍କର ଭବିଷ୍ୟତ ରାଜନୈତିକ ଜୀବନ ପାଇଁ ରାସ୍ତା ଖୋଲିଦେଇପାରେ ସେଥିପାଇଁ ସେ ଅଧିକ ବ୍ୟବଧାନରେ ବିରୋଧୀଙ୍କୁ ପରାଜିତ କରିବାକୁ ଦିନରାତି ଏକ କରିଦେଇଥିବା ଦେଖାଯାଉଛି। ତେଣୁ ତାଙ୍କର ରାଜନୈତିକ ଅନୁଭବର ଫାଇଦା ଜିଲା ପରିଷଦରେ ବିଜେଡି ପାଇଁ ସହଜ ବିଜୟ ଆଣିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଅଛି। ସେହିପରି ଏଥର ପଞ୍ଚାୟତ ନିର୍ବାଚନରେ ଅନ୍ୟତମ ହେଭିୱେଟ୍ ନେତା ଭାବରେ ହରଭଙ୍ଗା ବ୍ଲକର ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କୁ ବିଜେଡି ପକ୍ଷରୁ ବହୁ ଚର୍ଚ୍ଚିତ ୭ ନମ୍ବର ଜିଲାପରିଷଦ ଜୋନ ପାଇଁ ପ୍ରାର୍ଥୀ କରାଯାଇଛି। ବିଶ୍ୱଜିତ ପୂର୍ବରୁ ସରପଞ୍ଚ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିବା ରାଜନୈତିକ ଅଭିଜ୍ଞତା ରହିଛି।

 

- Advertisement -

ତେଣୁ ବିରୋଧୀଙ୍କ ବିପକ୍ଷରେ ସଫଳ ଗୋଟିଚାଳନା କରି ସେ ଦଳ ପାଇଁ ସହଜ ବିଜୟ ଆଣିବେ ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି। ତେବେ ୭ ନମ୍ବର ଜୋନକୁ ବିଜେଡିର ଗଡ କୁହାଯାଉଥିବାବେଳେ ଗତ ପଞ୍ଚାୟତ ନିର୍ବାଚନରେ ଏହି ଜୋନରେ ବିଜେଡି ପ୍ରାର୍ଥୀ ପରାଜିତ ହେବା ବିଜେଡିକୁ ଶକ୍ତ ଧକ୍କା ଦେଇଥିଲା। ତେଣୁ ଏହି ଜୋନ ପାଇଁ ପ୍ରାର୍ଥୀ ଚୟନ ସମୟରେ ବିଜେଡି ପକ୍ଷରୁ ବାରମ୍ବାର ସମୀକ୍ଷା ଓ ବୈଠକ କରାଯାଇ ସମସ୍ତ ଆଶାୟୀଙ୍କ ମଧ୍ୟରେ ସହମତି ଭିତ୍ତିରେ ବିଶ୍ୱଜିତଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଥିଲା। ରାଜନୀତିକୁ କ୍ୟାରିୟର କରିସାରିଥିବା ବିଶ୍ୱଜିତ ନିଜର ଭବିଷ୍ୟତ ରାଜନୈତିକ ଜୀବନ ପାଇଁ ଏଥର ଜିଲା ପରିଷଦରେ ବିଜୟୀ ହେବାକୁ ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି। ତେବେ ଏହି ଆସନରେ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଦୁଇଜଣ ଟାଣୁଆ ଓ ଅନୁଭବି ନେତାଙ୍କୁ ପ୍ରାର୍ଥୀ କରାଯିବା ବିଜେଡି ପାଇଁ ବିଜୟ ସହଜସାଧ୍ୟ ନୁହେଁ ବୋଲି କୁହାଯାଉଅଛି। ବିଜେପି ଏଠାରୁ ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା କିସାନ ସଂଘର ଜିଲା ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ବର୍ଷ ତମାମ୍ ଚାଷୀଙ୍କ ପାଇଁ ଆନ୍ଦୋଳନ ଜାରି ରଖିଥିବା ସୂର୍ଯ୍ୟ ମହାପାତ୍ରଙ୍କ ଲୋକ ସଂପର୍କ ବିଜେଡି ପାଇଁ କାଳ ହୋଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଅଛି। ସେହିପରି କଂଗ୍ରେସ ମଧ୍ୟ ଏଠାରୁ ମଥୁରା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରୋହିତାଶ୍ୱ ବେହେରାଙ୍କୁ ପ୍ରାର୍ଥୀ କରିଛି। ରୋହିତାଶ୍ୱଙ୍କ ନିକଟରେ ମଧ୍ୟ ରାଜନୈତିକ ଅଭିଜ୍ଞତା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଜେଡି ଓ ବିଜେପିର ପ୍ରାର୍ଥୀ ସହରାଞ୍ଚଳରେ ରହୁଥିବାବେଳେ କଂଗ୍ରେସ ପ୍ରାର୍ଥୀ ରୋହତାଶ୍ୱ ନିଜ ଗ୍ରାମରେ ରହୁଛନ୍ତି। ତେଣୁ ତାଙ୍କ ସପକ୍ଷରେ ଗ୍ରାମାଞ୍ଚଳର ଲୋକଙ୍କ ଅନୁକମ୍ପା ଭୋଟ ଯିବାର ସମ୍ଭାବନା ରହିଛି।

ଏହାବ୍ୟତୀତ ୭ ନମ୍ବର ଜୋନରେ କଂଗ୍ରେସର ଏକ ବଡ ଭୋଟ ବ୍ୟାଙ୍କ ମଧ୍ୟ ରହିଛି ଯାହା ଦଳୀୟ ପ୍ରାର୍ଥୀଙ୍କ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବାରେ ସହାୟକ ହେବ ବୋଲି ଦଳର ନେତାମାନେ ଆଶାପ୍ରକାଶ କରୁଛନ୍ତି। ତେଣୁ ୭ ନମ୍ବର ଜୋନରେ ତିନି ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି। ଆଗାମୀ ନିର୍ବାଚନରେ ବିଶ୍ୱଜିତଙ୍କୁ ପ୍ରାର୍ଥୀ କରି ବିଜେଡି ନିଜର ପୂର୍ବ ସମ୍ମାନ ଫେରାଇ ଆଣିବାରେ ସଫଳ ହେବ କି ଅଭିଜ୍ଞ ଚାଷୀ ନେତାଙ୍କୁ ପ୍ରାର୍ଥୀ କରି ବିଜେପି ପୁଣିଥରେ ଏହି ଆସନକୁ ବଜାୟ ରଖିପାରିବ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗିରହିଥିବାବେଳେ ଉଭୟ ଦଳ ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହୋଇପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories