ପାକିସ୍ତାନକୁ ଘାରିଛି ପିଓକେରେ କାର୍ଯ୍ୟାନୁଷ୍ଠାନ ଡ଼ର, ଇମ୍ରାନ କହିଲେ ଯୁଦ୍ଧ ପାଇଁ ଦାୟୀ ରହିବେ ବିଶ୍ୱ ସମୂଦାୟ
ଇସଲାମାବାଦ/ମୁଜଫରାବାଦ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ବିଶ୍ୱ ଆଗରେ କାନ୍ଦୁଥିବା ପାକିସ୍ତାନକୁ ଏବେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଭାରତର କାର୍ଯ୍ୟାନୁଷ୍ଠାନ ଡ଼ର ଘାରିଛି। ଫଳରେ ପାକିସ୍ତାନ ସ୍ୱାଧୀନତା ଦିବସରେ ପିଓକେ ବିଧାନସଭାକୁ ସମ୍ବୋଧିତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି। ଏହାସହ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପାଇଁ ବିଶ୍ୱ ସମୂଦାୟ ଦାୟୀ ରହିବେ ବୋଲି କହି ସେ ପରୋକ୍ଷରେ ଯୁଦ୍ଧ ଧମକ ଦେଇଛନ୍ତି।
ଭାରତ ପିଓକେରେ ବାଲାକୋଟଠାରୁ ବି ବଡ଼ କାର୍ଯ୍ୟାନୁଷ୍ଠାନ କରିପାରେ ବୋଲି ପାକିସ୍ତାନ ଆଶଙ୍କା କରୁଛି। ଏଭଳି ଆଶଙ୍କାକୁ ନେଇ ଇମ୍ରାନ କହିଛନ୍ତି ଯେ ପିଓକେରେ କିଛି ବି ଘଟିଲେ ପାକିସ୍ତାନ ତାର କଡ଼ା ଜବାବ ଦେବ ଓ ଏଥିପାଇଁ ସେନା ପ୍ରସ୍ତୁତ ରହିଛି। ପାକିସ୍ତାନ ନିଜ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନର ଜବାବ ଅଧିକ ଶକ୍ତିର ସହ ଦେବ। ସେପଟେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା କହିଛନ୍ତି ଯେ କାଶ୍ମୀର ପାଇଁ ପାକିସ୍ତାନ ସେନା କୌଣସି ବି ସ୍ତରକୁ ଯାଇପାରେ। ଇମ୍ରାନ ଭାରତ-ପାକିସ୍ତାନ ଯୁଦ୍ଧ ପାଇଁ ବିଶ୍ୱ ସମୂଦାୟ ଦାୟୀ ରହିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ କାଶ୍ମୀରକୁ ନେଇ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମରିକ ଭୁଲ କରିଛନ୍ତି। ଆରଏସଏସ ବିଚାରଧାରାରେ ମୋଦୀ ଗୋଟି ଚାଳନା କରିଛନ୍ତି। ମୋଦୀ ନିଜ ଶେଷ ଗୋଟି ଚାଳନା କରିଛନ୍ତି। ଏହା ମୋଦୀ ଏବଂ ବିଜେପିକୁ ଭାରୀ ପଡ଼ିବ। ପିଓକେରେ ଏକ ଭାୟାନକ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଯୋଜନା କରିଥିବା ଗୁଇନ୍ଦା ସୂଚନା ମିଳିଛି। ଭାରତର ଇଟାର ଜବାବ ପଥରରେ ଦିଆଯିବ ଓ ଏହା ମୁଁ ନରେନ୍ଦ୍ର ମୋଦୀଙ୍କୁ ଜଣାଇ ଦେବାକୁ ଚାହୁଁଛି। ପାକିସ୍ତାନ ଜନତା, ସେନା ସମସ୍ତେ ପ୍ରସ୍ତୁତ ଅଛନ୍ତି ଓ ବୀରତ୍ୱର ସହ ମୁକାବିଲା କରିବେ।
ଉଲ୍ଲେଖଯୋଗ୍ୟ ଯେ କାଶ୍ମୀର ପ୍ରସଙ୍ଗରେ ବିଶ୍ୱର କୌଣସି ରାଷ୍ଟ୍ର ପାକିସ୍ତାନର ସାଥ ଦେଉନାହାନ୍ତି। ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପୁନର୍ଗଠିତ କରିବା ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା ବୋଲି ସବୁ ରାଷ୍ଟ୍ର ପାକିସ୍ତାନକୁ ରୋକଠୋକ କହୁଛନ୍ତି। ବିଶ୍ୱ ସମୂଦାୟ ଆଗରେ କାଶ୍ମୀର ପ୍ରସଙ୍ଗ ଉଠାଇବାରେ ବିଫଳ ପାକିସ୍ତାନ ଏବେ ଯୁଦ୍ଧ ଧମକ ଦେଉଛି।
Comments are closed.