ପାକ୍‍ ସୈନ୍ୟଙ୍କ ବିଶ୍ୱାସଘାତକତା : ଯୁଦ୍ଧବିରତି ନିବେଦନ ସତ୍ତ୍ବେ ଗୁଳିମାଡ଼

0

ଜାମ୍ମୁ : ରବିବାର ରାତିରେ ଯୁଦ୍ଧବିରତି ପାଇଁ ଭାରତୀୟ ସେନାକୁ ନିବେଦନ କରିଥିବା ପାକିସ୍ତାନ ସୋମବାର ବିଶ୍ୱାସଘାତକତା କରିଛି। ପାକିସ୍ତାନୀ ସୈନ୍ୟ ଅନ୍ତର୍ଜାତୀୟ ସୀମା ନିକଟରେ ସୋମବାର ପ୍ରବଳ ଗୁଳିମାଡ଼ କରିଛନ୍ତି। ଜାମ୍ମୁ ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଅର୍ନିଆ ସହର ଏବଂ ଏକ ପୁଲିସ ଥାନା ଉପରକୁ ପୂର୍ବାହ୍ଣ ୭ଟାରେ ପାକ୍‍ ପକ୍ଷରୁ ଗୁଳିମାଡ଼ କରାଯାଇଛି। ଏଥିରେ ଜଣେ ମହିଳା ଏବଂ ଜଣେ ଏସ୍‍ପିଓଙ୍କ ସମେତ ୬ ଜଣ ଲୋକ ଆହତ ହୋଇଛନ୍ତି। ଫଳରେ ଭାରତୀୟ ସେନା ପୁନଃ ପ୍ରତିଆକ୍ରମଣ କରିବାକୁ ବାଧ୍ୟ ହୋଇଛି। ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳିବିନିମୟ ଯୋଗୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ନିଜ ଘର ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଜାମ୍ମୁ, ସାମ୍ବା ଏବଂ କଠୁଆସ୍ଥିତ ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି। ଗତ ଏକ ସପ୍ତାହ ହେବ ପାକିସ୍ତାନୀ ସେନା ଅନ୍ତର୍ଜାତୀୟ ସୀମା ରେଖା ନିକଟରେ ବାରମ୍ବାର ଗୁଳିମାଡ଼ କରିଆସୁଛି। ରବିବାର ରାତି ସୁଦ୍ଧା ଏଥିରେ ୨ ଯବାନଙ୍କ ସମେତ ୬ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୮ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହାର ପ୍ରତିବାଦରେ ଭାରତୀୟ ସେନା ରବିବାର ରାତିରେ ପାକିସ୍ତାନ ଉପରେ ଜୋର୍‍ଦାର ଆକ୍ରମଣ କରିଥିଲା। ଯବାନମାନେ ପାକିସ୍ତାନୀ ସୈନ୍ୟଙ୍କୁ ଲକ୍ଷ୍ୟ କରି ଜୋରଦାର ଗୁଳି ବର୍ଷଣ କରିଥିଲେ। ଫଳରେ ପାକିସ୍ତାନ ପକ୍ଷରୁ ଭାରତକୁ ଯୁଦ୍ଧବିରତି ଅନୁରୋଧ କରାଯାଇଥିଲା। ତେବେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ପାକିସ୍ତାନ ପକ୍ଷରୁ ନିବେଦନ କରାଗଲେ ଭାରତ ତୁରନ୍ତ ତାହାକୁ ଗୁରୁତ୍ୱର ସହିତ ଗ୍ରହଣ କରିବ। ରମ୍‍ଜାନ ସମୟରେ ଯୁଦ୍ଧବିରତି ଉଲ୍ଲଙ୍ଘନ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଭାରତୀୟ ସେନା ପୂର୍ଣ୍ଣ ସମ୍ମାନ ଜଣାଉଛି; କିନ୍ତୁ ପାକିସ୍ତାନର ଯୁଦ୍ଧବିରତି ଉଲ୍ଲଙ୍ଘନ ଯୋଗୁ ସେନାକୁ ବାଧ୍ୟ ହୋଇ ପ୍ରତିଆକ୍ରମଣ କରିବାକୁ ପଡିଛି।

Leave A Reply