ଭୁବନେଶ୍ଵର: ସାରା ବିଶ୍ୱରେ ପ୍ରତ୍ୟେକ ଦେଶର ବୈଦେଶିକ ନୀତି ନିଜ ଦେଶର ହିତ ବିଶେଷ କରି ଦେଶର ସୀମା ସୁରକ୍ଷା ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ହୁଏ; କିନ୍ତୁ ଆମ ଦେଶର ବିଦେଶ ନୀତି ଅଧୁନା ଏ ଦିଗଟିକୁ ଏଡାଇ ଗଲା ଭଳି ମନେହୁଏ। ପରିଣାମରେ ଆମ ଦେଶ ନାଗରିକକୁ ବନ୍ଧୁଦେଶ ହାତରେ ଗୋଡ଼ରେ ବେଡ଼ି ପକାଇ ବିଦା କଲା। ଏବେ ବଜାର ଅର୍ଥନୀତି ବିଦେଶୀ ନୀତିର ନିୟାମକ ସାଜିଛି।
ସାଧାରଣତଃ ୧) ଶତ୍ରୁର ଶତ୍ରୁ ମିତ୍ର, ୨) ମିତ୍ରର ଶତ୍ରୁ ଶତ୍ରୁ, ୩) ଦୁଇ ଶତ୍ରୁଙ୍କ ମଧ୍ୟରେ କଳି ବଢ଼ାଇବା ଓ ୪) ମିତ୍ରଙ୍କ ମଧ୍ୟରେ କଳହର ସମାଧାନ କରିବା ଭଳି ବ୍ୟାବହାରିକ ତତ୍ତ୍ୱ ଉପରେ ବିଦେଶ ନୀତି ପରିକଳ୍ପିତ ହୁଏ। ଆମ ସ୍ୱାଧୀନତା ଆନ୍ଦୋଳନ ମୂଲ୍ୟବୋଧ ଭିତ୍ତିକ ବିଦେଶ ନୀତି କିନ୍ତୁ ଭିନ୍ନ ଥିଲା।
ମହାତ୍ମା ଗାନ୍ଧୀ ଭାରତ ଆସି ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେବା ପୂର୍ବରୁ ଭାରତର ବିଦେଶ ନୀତି ବ୍ରିଟିଶ ସରକାରର ମର୍ଜି ଓ ସ୍ୱାର୍ଥରେ ଚାଲୁଥିଲା। ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନ ବେଳେ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମର ବାର୍ତ୍ତା ଦେଇଥିଲେ; କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଦେଶ ବିପକ୍ଷରେ କି ସପକ୍ଷରେ କଥା ରଖି ନଥିଲେ। କବି ଲେଖିଥିଲେ- “କାହୁଁ ଆଇଲେ ବିଦେଶରୁ ବେପାରୀ, ସବୁ ସାଇଲେ ହେଲୁ ଆମେ ଭିକାରି।” କବିଙ୍କ ଲେଖାରେ ଇଂଲଣ୍ଡ ଲାଙ୍କାସାୟାର ମିଲ ଲୁଗା ଓ ‘ଚକ ଚକ ଚାଇନା ମାଟିର ବାସନ’ ଭିତରେ ଫରକ ନ କରି ଉଭୟ ବିଦେଶୀ ଦ୍ରବ୍ୟ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଥିଲା। ପ୍ରଥମ ବିଶ୍ୱଯୁଦ୍ଧ ପରେ ପୃଥିବୀ ଦୁଇଟି ମୁଖ୍ୟ ଶିବିରରେ ବାଣ୍ଟି ହୋଇଗଲା। ସେ ଯୁଦ୍ଧରେ ବିଟ୍ରେନ୍ର ବିଦେଶୀ ନୀତି ହିଁ ଭାରତର ବିଦେଶ ନୀତି ହୋଇଥିଲା ଓ ଭାରତର ସେନା ବ୍ରିଟିଶ ସ୍ୱାର୍ଥରକ୍ଷା କରିବାପାଇଁ ବଳି ପଡ଼ିଗଲା। ସେହି ସମୟରେ ରୁଷିଆରେ କମ୍ୟୁନିଷ୍ଟ କ୍ରାନ୍ତି ସେ ଦେଶର ବିଦେଶ ନୀତିକୁ ରୁଷ ଜନଗଣଙ୍କ ମର୍ଜି ମୁତାବକ ପରିଚାଳନା କଲା।
ମାର୍କ୍ସବାଦକୁ ଆଦର୍ଶ ମଣି ଲେନିନଙ୍କ ନେତୃତ୍ୱରେ ରୁଷରେ ସଫଳ ବିପ୍ଳବ ଓ ସରକାର ପରିବର୍ତ୍ତନ ହେଲା। ଚୀନ ଓ ଭାରତ ସମେତ ବିଭିନ୍ନ ଜନବହୁଳ ଦେଶର ଶ୍ରମଜୀବୀ ଜନଗଣ ଓ ବୁଦ୍ଧିଜୀବୀଙ୍କ ଭିତରେ ଲେନିନଙ୍କ ନେତୃତ୍ୱ ଓ ରୁଷ ବିପ୍ଳବ କ୍ରାନ୍ତିକାରୀ ଆଲୋଡନ ଆଣିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କଠାରୁ ଆରମ୍ଭ କରି ସହିଦ ସମ୍ରାଟ ଭଗତ ସିଂହ, ଆଚାର୍ଯ୍ୟ ନରେନ୍ଦ୍ର ଦେବ ଓ ଲୋକନାୟକ ଜୟପ୍ରକାଶ ନାରାୟଣ ପର୍ଯ୍ୟନ୍ତ ବହୁ ଜନନେତା ଓ ସ୍ୱାଧୀନତା ସଂଗ୍ରାମୀ ମାର୍କ୍ସବାଦର ଉପନିବେଶବାଦ ତଥା ସାମ୍ରାଜ୍ୟବାଦ ବିରୋଧୀ ତତ୍ତ୍ୱକୁ ଆଦରି ନେଲେ।
୧୯୨୯ ମସିହାରେ ଲାହୋର ଅଧିବେଶନରେ କଂଗ୍ରେସ ଅଖଣ୍ଡ ଭାରତର ପୂର୍ଣ୍ଣ ସ୍ୱାଧୀନତା ଘୋଷଣା କଲା। ସ୍ୱାଧୀନ ଭାରତ ପାଇଁ କଂଗ୍ରେସର ଏକ ଭିନ୍ନ ବିଦେଶୀ ନୀତି ଆବଶ୍ୟକ ହେଲା। ଲବଣ ସତ୍ୟାଗ୍ରହ କରି ଗାନ୍ଧିଜୀ ଉପନିବେଶବାଦୀ ଘୋଷଣା ବିରୁଦ୍ଧରେ ଦେଶବାସୀଙ୍କୁ ଏକଜୁଟ କଲେ; କିନ୍ତୁ ବିଦେଶୀ ସହାୟତା ଅପେକ୍ଷା ନିଜ ଲୋକ ନିଜ ବଳରେ ସ୍ୱାଧୀନତା ଲାଭ କରିବା ଶ୍ରେୟସ୍କର ମଣିଲେ।
ପ୍ରଥମ ବିଶ୍ୱଯୁଦ୍ଧ ସନ୍ଧିଚୁକ୍ତିରେ ଅପମାନିତ ଜର୍ମାନ ନିଜ ମହାନ ସଂସ୍କୃତି ବିପରୀତ ଏକ ବିଭ୍ରାନ୍ତ ବ୍ୟକ୍ତିତ୍ୱ ହିଟଲରକୁ ଅମାପ କ୍ଷମତା ଦେଇଦେଲା। ୧୯୩୪-୩୫ ମସିହା ବେଳକୁ ସାମ୍ରାଜ୍ୟବାଦର ସର୍ଦାର ବ୍ରିଟିଶ ସରକାର ଓ ଏକଛତ୍ରବାଦର ଅଗ୍ରଣୀ ଜର୍ମାନର ହିଟଲର ସାମନାସାମନି ପ୍ରତିପକ୍ଷ ହୋଇ ଠିଆ ହେଲେ। ବିଶ୍ୱ ବିଶେଷ କରି ୟୁରୋପ ବାଣ୍ଟି ହୋଇଗଲା। ଭାରତର ଜନମତ ଓ ଗଣ ସଂଗଠନ କଂଗ୍ରେସ ଦ୍ୱନ୍ଦ୍ବରେ ପଡ଼ିଗଲା। ଯୋଗକୁ ଜଣେ ତ୍ୟାଗୀ, ଜ୍ଞାନୀ, ସଂଗ୍ରାମୀ ଯୁବକ ଗାନ୍ଧୀ, ସୁଭାଷ ଓ ଜବାହରଲାଲ ନେହେରୁଙ୍କ ଦୃଷ୍ଟିରେ ପଡ଼ିଲେ। ସେ ହେଲେ ରାମମନୋହର ଲୋହିଆ। ସେ ସଦ୍ୟ ଲବଣ ସତ୍ୟାଗ୍ରହ ଉପରେ ବର୍ଲିନ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଲାଭ କରି ଜର୍ମାନୀରୁ ଫେରିଥାନ୍ତି। ତାଙ୍କ ପିତା ହୀରାଲାଲ ଥିଲେ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧୀଙ୍କ ଅନୁଗାମୀ। ସେ ଉତ୍ତର ପ୍ରଦେଶ ବାସିନ୍ଦା ଓ କଲିକତାରେ ଉଚ୍ଚଶିକ୍ଷାରେ ଛାତ୍ର ଜୀବନ କଟିଛି। ଘଟଣାଚକ୍ରରେ ଲୋହିଆ ତୁଙ୍ଗ ତିନି ନେତାଙ୍କର ପରିଚିତ ଓ ପ୍ରିୟ ଥିଲେ। ତେଣୁ କଂଗ୍ରେସରେ ଖାଲି ପଡ଼ିଥିବା ବିଦେଶ ବିଭାଗ ସଚିବ ପଦ ମାତ୍ର ୨୫ବର୍ଷ ବୟସରେ ତାଙ୍କୁ ଦିଆଗଲା। ସେ ଭାରତର ବିଦେଶ ନୀତିକୁ ସାମ୍ରାଜ୍ୟବାଦ ବିରୋଧୀ ଗୁଳାରେ ପକାଇ ଆମ ପରମ୍ପରା ଅନୁସାରେ ‘ବସୁଧୈବ କୁଟୁମ୍ବକମ୍’ ନୀତିକୁ ଆପଣାଇଲେ। ସରକାର-ସରକାର ମଧ୍ୟରେ ଭାବ ବଢ଼ାଇବା ଅପେକ୍ଷା ଜନଗଣଙ୍କ ମଧ୍ୟରେ ପରସ୍ପର ପ୍ରତି ଶ୍ରଦ୍ଧା, ସମ୍ମାନ ଓ ବିଶ୍ୱାସ ବଢ଼ାଇବା ହେଲା ପରାଧୀନ ଭାରତର କଂଗ୍ରେସର ବା ଭାରତର ଜନଗଣଙ୍କ ବିଦେଶ ନୀତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭର ଅବ୍ୟବହିତ ପୂର୍ବରୁ ଗାନ୍ଧିଜୀଙ୍କ ଦୁଇ ପ୍ରିୟ କଂଗ୍ରେସ ନେତା ସୁଭାଷ ଓ ନେହେରୁଙ୍କ ମଧ୍ୟରେ ବ୍ରିଟିଶ ଓ ଜର୍ମାନ ଭିତରେ ବଡ ଶତ୍ରୁ କିଏ ପ୍ରସଙ୍ଗ ନେଇ ବିବାଦ ହେଲା। ସୁଭାଷ ବ୍ରିଟିଶକୁ ଉପନିବେଶବାଦୀ ବଡ ଶତ୍ରୁ ମଣିଲାବେଳେ ନେହେରୁ ଏକଛତ୍ରବାଦୀ ଜର୍ମାନକୁ ବଡ ଶତ୍ରୁ ମଣିଲେ। ଗାନ୍ଧିଜୀ ଏ ସବୁ ବିବାଦରୁ ଅଲଗା ରହି ଭାରତ ସ୍ୱାଧୀନତା ପ୍ରସଙ୍ଗକୁ ମୁଖ୍ୟ କଲେ। ଲୋହିଆଙ୍କ ସମେତ ଅଧିକାଂଶ କଂଗ୍ରେସ ସମାଜବାଦୀ ଗାନ୍ଧୀଙ୍କ ଅନୁଗାମୀ ହେଲେ। କଂଗ୍ରେସକୁ ନ ପଚାରି ବ୍ରିଟିଶ ସରକାର ୨ୟ ବିଶ୍ୱଯୁଦ୍ଧରେ ଭାରତକୁ ଟାଣିଲେ। ଗାନ୍ଧିଜୀ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଥିବା କଂଗ୍ରେସ ସରକାରଙ୍କୁ ଇସ୍ତଫା ଦେବାକୁ କହି ଯୁଦ୍ଧ ବିରୁଦ୍ଧରେ ବ୍ୟକ୍ତିଗତ ସତ୍ୟାଗ୍ରହ ଚଳାଇଲେ। ଓଡ଼ିଶାର ତତ୍କାଳୀନ କଂଗ୍ରେସ ସରକାର ମୁଖ୍ୟ(ପ୍ରଧାନମନ୍ତ୍ରୀ କୁହାଯାଇଥିଲା) ବିଶ୍ୱନାଥ ଦାସ ଅବିଳମ୍ବେ ଇସ୍ତଫା ଦେଲେ। ବିନୋବା ଭାଭେ ପ୍ରଥମ ସତ୍ୟାଗ୍ରହୀ ଭାବେ କାରାବରଣ କଲେ। ପୂର୍ବରୁ ନଜରବନ୍ଦୀ ଥିବା ସୁଭାଷ ବ୍ରିଟିଶ ବିରୁଦ୍ଧରେ ସାମରିକ ସହାୟତା ପାଇଁ ଗୋପନରେ ରୁଷ ପଳାଇଥିଲେ। ତାଙ୍କ ଦୁର୍ଭାଗ୍ୟକୁ ରୁଷ ହିଟଲର ଯୋଗୁଁ ବ୍ରିଟିଶ ମେଣ୍ଟରେ ଯୋଗ ଦେଇଦେଲା। ସୁଭାଷ ଜର୍ମାନୀ ଯାଇ ହିଟଲରଙ୍କ ସହ ଯୋଗାଯୋଗ କଲେ। ସୁଭାଷଙ୍କ ସ୍ୱାଧୀନତା ପାଇଁ ବ୍ୟାକୁଳତା ଭାରତର ଜନଗଣଙ୍କ ତ୍ୟାଗରେ ତାଙ୍କ ମହତ୍ତ୍ବକୁ ଅତୁଳନୀୟ କରିଦେଲା। ଭାରତୀୟଙ୍କ ନାଡି ଟିପିବାରେ ଗାନ୍ଧୀ ଅଦ୍ୱିତୀୟ। କଂଗ୍ରେସର ବହୁ ତୁଙ୍ଗ ନେତାଙ୍କ ଅନିଚ୍ଛା ସେତ୍ତ୍ବ ୧୯୪୭ ଅଗଷ୍ଟ ୯ ତାରିଖରେ ଦେଶବାସୀଙ୍କୁ ‘କର ବା ମର’ ଆହ୍ୱାନ ଦେଇ ଗାନ୍ଧିଜୀ ବ୍ରିଟିଶ ସରକାର ‘ଭାରତ ଛାଡ’ ଡାକରା ଦେଲେ। କିଛି ଦିନ ପରେ ଜର୍ମାନୀରୁ ଜଳ ପଥରେ ଜୀବନକୁ ପ୍ରତି ମୁହୂର୍ତ୍ତରେ ବାଜି ଲଗାଇ ବିପନ୍ନ କରି ସୁଭାଷ ସିଙ୍ଗାପୁରରେ ପହଞ୍ଚିଲେ। ଅଖଣ୍ଡ ଭାରତ ‘ଆଜାଦ ହିନ୍ଦ୍’ ସରକାର ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ଗଠନ କଲେ ଓ ବ୍ରିଟିଶ ସରକାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ। ତାଙ୍କ ସରକାର ବିଦେଶ ଭୂମିରେ ଗଠିତ ହୋଇଥିଲେ ବି ଇଟାଲି, ଜର୍ମାନ ଓ ଜାପାନ ସମେତ ୯ଟି ରାଷ୍ଟ୍ର ତାଙ୍କୁ ସ୍ୱୀକୃତି ଦେଇଥିଲେ।
ସ୍ୱାଧୀନ ଭାରତର ବିଦେଶ ନୀତି ମଧ୍ୟ ସାମ୍ରାଜ୍ୟବାଦ ବିରୋଧୀ ରହିଲା; କିନ୍ତୁ ଉପନିବେଶବାଦ ବିରୋଧୀ ହେବା ସହ ସମଗ୍ର ପୃଥିବୀକୁ ତଥା ମାନବ ସମାଜକୁ ଏକ କୁଟୁମ୍ବ ମଣିବାର ବିବେକାନନ୍ଦ ଓ ଗାନ୍ଧୀଙ୍କ ବିଚାରକୁ ଗୁରୁତ୍ୱ ଦେଲା ନାହିଁ। ଓଲଟି ଗ୍ୟାଟ ରାଜିନାମାରେ ଦସ୍ତଖତ କରି ପରୋକ୍ଷ ଉପନିବେଶବାଦକୁ ଗ୍ରହଣ କଲା। ଗ୍ୟାଟ ରାଜିନାମାର ସର୍ତ୍ତରେ ମଧ୍ୟ ବିକଶିତ ରାଷ୍ଟ୍ରଙ୍କ ପେଟ ପୂରିଲା ନାହିଁ। ସେମାନେ ଡଂକେଲ ପ୍ରସ୍ତାବ ବଳରେ ୧୯୯୧ରେ ରାଜିନାମାକୁ ବିଶ୍ୱ ବାଣିଜ୍ୟ ସଂଗଠନରେ ରୂପାନ୍ତର କରି ପରୋକ୍ଷ ଉପନିବେଶବାଦର ପରିସରକୁ ବଢ଼ାଇଲେ। ଭାରତ ଓ ବ୍ରାଜିଲ ଭଳି ବିକାଶଶୀଳ ରାଷ୍ଟ୍ର ଆଜି ଯେଉଁ ବେକାରୀ ଓ ଦରବୃଦ୍ଧି ଜାଲରେ ପଡ଼ି ଛଟପଟ ହେଉଛନ୍ତି ତାହା ବିକଶିତ ଦେଶର ବିଦେଶନୀତି ବାହାନାରେ ଅନ୍ୟ ଦେଶ ଉପରେ ଚାପର ପରିଣାମ।
କାଶ୍ମୀର ସମସ୍ୟାର ସୃଷ୍ଟିକର୍ତ୍ତା ବାହାରକୁ ଭାରତ ଓ ପାକିସ୍ତାନ ଜଣା ପଡୁଥିଲେ ମଧ୍ୟ ସେମାନେ ନୁହନ୍ତି। ପରୋକ୍ଷ ସାମ୍ରାଜ୍ୟବାଦର ସର୍ଦାର ଆମେରିକା ମୂଳରୁ ଚାହିଁ ଆସିଛି କାଶ୍ମୀର, ନେପାଳ ଭଳି ସ୍ୱାଧୀନ ରାଷ୍ଟ୍ର ହେଉ। ଫଳରେ ଆମେରିକା ସେଠି ପାଦ ପକାଇ ଏକା ସାଙ୍ଗେ ରୁଷ, ଚୀନ, ଭାରତ ଓ ଅନ୍ୟ ଦେଶମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିବ। ନେହେରୁଙ୍କ ସଫଳ ଗୋଷ୍ଠୀ ନିରପେକ୍ଷ ନୀତି ଯୋଗୁଁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିପାରିଲା। ଜାତିସଂଘରେ ସେ ପ୍ରସଙ୍ଗ ନିର୍ଣ୍ଣାୟକ ମୋଡ ନେଲେ ରୁଷ ଭିଟୋ ବଳରେ ଆମେରିକା ଉଦ୍ୟମକୁ ପ୍ରତିହତ କରେ ଓ ନିଜ ସ୍ୱାର୍ଥସହ ଭାରତର ସ୍ୱାର୍ଥ ରକ୍ଷା କରେ।
ଏକଦା ୧୯୬୪ ଫେବୃୟାରୀ ୫ରେ ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗରେ ନିର୍ଣ୍ଣାୟକ ଆଲୋଚନା ହେଲା। ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆଉ କାହାକୁ ଦାୟିତ୍ୱ ନଦେଇ ଜଷ୍ଟିସ ଏମ୍.ସି. ଚଗଲାଙ୍କୁ ଭାରତର ପ୍ରତିନିଧି ଭାବେ ପକ୍ଷ ରଖିବାକୁ କହିଲେ; ଯଦିଚ ସେ ସେତେବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥିଲେ, ବିଦେଶ ବିଭାଗ ଦାୟିତ୍ୱରେ ନଥିଲେ। ଚଗଲାଙ୍କ ସେ ଯୁଗାନ୍ତକାରୀ ତଥ୍ୟ ଭିତ୍ତିକ ଭାଷଣ ସବୁଦିନ ପାଇଁ ବିଶ୍ୱ ଜନମତ ଆଗରେ କାଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ କରିଦେଲା। ସେ କହିଥିଲେ- ‘ପାକିସ୍ତାନ ଆକ୍ରମଣରେ ଆତଙ୍କିତ କାଶ୍ମୀରବାସୀଙ୍କ ପକ୍ଷରୁ କାଶ୍ମୀର ରାଜା ଭାରତ ସହ ମିଶ୍ରଣନାମାରେ ଦସ୍ତଖତ କଲା ମୁହୂର୍ତ୍ତରୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ସାରିଛି।’ କାଶ୍ମୀରର ତତ୍କାଳୀନ ଜନନେତା ଶେଖ ଅବଦୁଲ୍ଲାଙ୍କ ଉକ୍ତିକୁ ଉଦ୍ଧାର କରି ସେ କହିଲେ, ‘ଯେତେବେଳେ ପାକିସ୍ତାନ ଆକ୍ରମଣରେ ଆତଙ୍କିତ ଶ୍ରୀନଗର ଆକାଶରେ ପ୍ରଥମଥର ପାଇଁ ଭାରତ ବିମାନ ଦେଖାଦେଲା ଓ ରାସ୍ତାରେ ଟ୍ୟାଙ୍କ ଗଡ଼଼ିଲା, ଶ୍ରୀନଗରବାସୀଙ୍କ ମନରୁ ଭୟ ଓ ନିରାଶା ଉଭାନ ହୋଇ ଆନନ୍ଦ ଓ ଉତ୍ସାହ ଭରିଗଲା। ସ୍ଥାନୀୟ ଅଧିବାସୀ ମୁସଲମାନ, ହିନ୍ଦୁ, ଶିଖ୍ ସମସ୍ତେ ଅନୁଭବ କଲେ ସେମାନଙ୍କ ଜୀବନ ଓ ମାନ ସମ୍ମାନ ଏଣିକି ସୁରକ୍ଷିତ ରହିବ। ସେ ଦିନ କଥା ଭୁଲିବାର ନୁହେଁ।’
ନେହେରୁଙ୍କ ପରେ ତାଙ୍କ ପ୍ରିୟ ଲାଲବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଭାବେ ଗୋଷ୍ଠୀ ନିରପେକ୍ଷ ବିଦେଶ ନୀତି ଅବ୍ୟାହତ ରଖିଲେ। ସେ ଜାଣିଥିଲେ ଜଣେ ସ୍ୱାବଲମ୍ବୀ ନ ହେଲେ ତା କଥାକୁ କେହି ମୂଲ୍ୟ ଦେବ ନାହିଁ। ଖାତିର କରିବା ତ ଦୂରର କଥା। କୃଷି ଅର୍ଥନୀତିକୁ ବଢ଼ାଇ ବିଶ୍ୱ ଆଗରେ ଭାରତକୁ ମୁଣ୍ଡ ଟେକି ଠିଆ କରିବାକୁ ସେ ‘ଜୟ ଯବାନ ଜୟ କିଷାନ’ ନାରା ଦେଲେ। ତାଙ୍କର ଦୁଇ ସମସାମୟିକ ବିରୋଧୀ ନେତା ସମାଜବାଦୀ ଡ: ରାମମନୋହର ଲୋହିଆ ଓ ଜନସଂଘୀ ଦୀନଦୟାଲ ଉପାଧ୍ୟାୟ, ଯଥାକ୍ରମେ ‘ଚାଷୀକୁ ଉତ୍ପାଦନର ମୂଲ୍ୟ ଦିଅ’ ଓ ‘ସବୁ ଜମିକୁ ପାଣି ସବୁ ହାତକୁ କାମ ଦିଅ’ ନାରା ଦେଲେ। ଏହା ଶାସ୍ତ୍ରୀଙ୍କ ସାଧୁ ଉଦ୍ୟମର ସହାୟକ ହେଲା।
ଆଜି ଶାସ୍ତ୍ରୀଙ୍କ ଭଳି ନମ୍ର ନିରୁତା ଦେଶପ୍ରେମୀ ନେତା ନାହାନ୍ତି କି ଲୋହିଆ ଦୀନଦୟାଲଙ୍କ ଭଳି ଦେଶପ୍ରେମୀ ଦିଲଦାର ବିରୋଧୀ ନାହାନ୍ତି; କିନ୍ତୁ ସେଇ ଆପ୍ତବାଣୀ ଆଜି ଆହୁରି ପ୍ରାସଙ୍ଗିକ ହୋଇଛି ଯେ ଶକ୍ତିହୀନ ହିଁ ଅପମାନିତ ହୁଏ। କଥାରେ ଅଛି ‘ଗରିବ ମାଇପ ସଭିଙ୍କ ଶାଳୀ’। ଦେଶବାସୀ ଦୁର୍ବଳ ଓ ବିଭାଜିତ ହେଲେ ବିଦେଶନୀତି ସବଳ ହୋଇପାରିବ ନାହିଁ। ଲୋକହସା ହେବା ସାର ହେବ। ଦେଶର ଐକ୍ୟ ଓ ଆର୍ଥିକ ସ୍ଥିତି ସୁଦୃଢ ହେଲେ ହିଁ ଭାରତ ଦୁନିଆକୁ ନିଜର ଶ୍ରେଷ୍ଠ ବିଦେଶନୀତିରେ ବାନ୍ଧି ପାରିବ ଯାହାର େଧୟ ହେବ କ୍ଷୁଧାମୁକ୍ତ, ଶୋଷଣମୁକ୍ତ, ଯୁଦ୍ଧମୁକ୍ତ ଜଗତ।
କଟକ
ବିଦେଶ ନୀତିର ବିଚାରଧାରା
Popular Categories



