www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତକୁ ସାହାଯ୍ୟ କରିଥିବା ପାକିସ୍ତାନୀ ସୈନିକଙ୍କୁ ‘ପଦ୍ମଶ୍ରୀ’

ନୂଆଦିଲ୍ଲୀ: ପାକିସ୍ତାନୀ ସୈନିକଙ୍କୁ ଭାରତ ସରକାର ପ୍ରଦାନ କରିଛନ୍ତି ‘ପଦ୍ମଶ୍ରୀ’। ଏହି ଚର୍ଚ୍ଚିତ ସୈନିକ ହେଉଛନ୍ତି ଲେଫ୍ଟନାଣ୍ଟ କ​‌େ​‌ର୍ଣ୍ଣଲ କାଜି ସାଜ୍ଜଦ ଅଲୀ ଜାହିର। ତାଙ୍କୁ ଏଇଥିପାଇଁ ପୁରସ୍କୃତ କରାଯାଇଛି ଯେ ସେ ୧୯୭୧ ବାଂଲାଦେଶ ମୁକ୍ତି ପାଇଁ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ନିଜ ବାହିନୀକୁ ଛାଡ଼ି ଭାରତୀୟ ସେନାକୁ ସହଯୋଗ କରିଥିଲେ। ତାଙ୍କ ଯୋଗୁଁ ଭାରତୀୟ ବାହିନୀ ପାକିସ୍ତାନ ସୀମା ଭିତରକୁ ୫୬ ମାଇଲ ମାଡ଼ି ଯାଇଥିଲେ। ସେତେବେଳେ ସାଜ୍ଜଦଙ୍କୁ ହୋଇଥିଲା ମାତ୍ର ୨୦ବର୍ଷ। ୧୯୭୧ ମାର୍ଚ୍ଚର କଥା। ସେ ସମୟରେ ତତ୍କାଳୀନ ପୂର୍ବ-ପାକିସ୍ତାନରେ ପାକିସ୍ତାନୀ ସେନାର ବର୍ବରତା ସୀମାତିକ୍ରମ କରିଥିଲା। ଏହା ସାଜ୍ଜଦଙ୍କୁ ଅସହ୍ୟ ହୋଇଥିଲା। ସିଆଲକୋଟ ସେକ୍ଟରରେ ଜୋର୍‌ଦାର ଲଢ଼େଇ ଚାଲିଥିବାବେଳେ ସେ କୌଶଳକ୍ରମେ ନିଜ ବାହିନୀ ପରିତ୍ୟାଗ କରି ସାକରଗଡ଼ ବାଟ ଦେଇ ଭାରତୀୟ ସୀମା ଭିତରକୁ ପଶିଆସିଥିଲେ। ସେ ନିଜ ଜୋତା ଭିତରେ ମାନଚିତ୍ର ଓ କିଛି ନଥିପତ୍ର ଲୁଚାଇ ରଖିଥିଲେ। ଏତଦ୍‌ ବ୍ୟତୀତ ତାଙ୍କ ପକେଟରେ ମାତ୍ର ୨୦ ଟଙ୍କା ଓ ପାକିସ୍ତାନୀ ସୈନ୍ୟ ପରିଚାଳାନା ସଂକ୍ରାନ୍ତ ତଥ୍ୟ ରହିଥିଲା। ଭାରତୀୟ ସେନା ତାଙ୍କୁ ଗୁଇନ୍ଦା ଭାବି ପ୍ରଥମେ ଅଟକ ରଖିବା ସହ ପଠାନ୍‌କୋଟଠାରେ ପଚରାଉଚରା କରିଥିଲା; କିନ୍ତୁ ପରବର୍ତ୍ତୀ ସମୟରେ ସବୁ ସ୍ପଷ୍ଟ ହୋଇଯାଇଥିଲା। ପରେ ତାଙ୍କୁ ଦିଲ୍ଲୀ ପଠାଇ ଦିଆଯାଇଥିଲା ଏବଂ ସେଠାରେ ତାଙ୍କର ସୁରକ୍ଷିତ ରହଣି ବ୍ୟବସ୍ଥା କରାଯାଇଥିଲା। କିଛି ମାସ ରଖାଯିବା ପରେ ତାଙ୍କୁ ପୂର୍ବ ପାକିସ୍ତାନ ବା ବାଂଲାଦେଶକୁ ପଠାଇ ଦିଆଯାଇଥିଲା। ସେ ଆସାମ ଓ ତ୍ରିପୁରା ସୀମାନ୍ତ ଏକ ଶିବିରରେ ବାଂଲାଦେଶ ମୁକ୍ତିବାହିନୀକୁ ଗରିଲା ଯୁଦ୍ଧ କୌଶଳ ତାଲିମ ଦେଇଥିଲେ। ଯୁଦ୍ଧ ଶେଷ ପରେ ତାଙ୍କୁ ବାଂଲାଦେଶ ସୈନ୍ୟବାହିନୀରେ ଉଚ୍ଚ ପଦରେ ନିଯୁକ୍ତି ମିଳିଥିଲା ଏବଂ ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ। ତାଙ୍କୁ ବାଂଲାଦେଶର ସର୍ବୋଚ୍ଚ ସାମରିକ ସମ୍ମାନ ‘ବୀର ପ୍ରତୀକ’ ଓ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ସ୍ବାଧୀନତା ପଦକ’ ପ୍ରଦାନ କରାଯାଇଛି। ଅପରପକ୍ଷରେ ପାକିସ୍ତାନ ସରକାର ଏହା ଜାଣିବା ପରେ ଏକପାଖିଆ ବିଚାରକରି ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ସୌଭାଗ୍ୟର ବିଷୟ ହେଉଛି, ଗତ ୫୦ ବର୍ଷ ଧରି ଏହି ଦଣ୍ଡାଦେଶ କାର୍ଯ୍ୟକାରୀ ହୋଇପାରି ନାହିଁ। ଇତିମଧ୍ୟରେ ସେ ସେନାରୁ ଅବସର ନେଇ ସାଧାରଣ ଜୀବନ ବିତାଉଛନ୍ତି। ତାଙ୍କୁ ଏବେ ୭୧ବର୍ଷ ବୟସ। ବାଂଲାଦେଶ ସମ୍ପ୍ରତି ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବାବେଳେ ଭାରତକୁ ସହାୟତାର ପୁରସ୍କାର ସ୍ବରୂପ ଦୀର୍ଘ ବର୍ଷ ପରେ ଦୁଇ ଦିନ ପୂର୍ବେ ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ ପ୍ରଦାନ କରିଛନ୍ତି। ଏହି ଅବସରରେ ମହମ୍ମଦ ଅଲୀ ଜିନ୍ନାଙ୍କ ପାକିସ୍ତାନ ଏବେ ଆମମାନଙ୍କ ପାଇଁ ‘କବରିସ୍ତାନ’ ପାଳଟି ଯାଇଥିବା ସେ କହିଛନ୍ତି। ପଦ୍ମଶ୍ରୀ ଗ୍ରହଣ ସମୟରେ ସେ ସେତେବେଳର ରୋମାଞ୍ଚକର ସ୍ମୃତି ବଖାଣିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories