ବାବୁଜୀ: ସେବା ଓ ତ୍ୟାଗର କିମ୍ବଦନ୍ତୀ ପୁରୁଷ
୧୯୮୨ ମସିହାର ଅଗଷ୍ଟ ୩୦ ତାରିଖ। ମହାନଦୀ ଓ କାଠାଯୋଡ଼ିରେ ମାଡ଼ି ଆସୁଛି ପ୍ରଳୟଙ୍କରୀ ବନ୍ୟା। ନରାଜ ନିକଟରେ ମହାନଦୀରେ ୧୫ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହୋଇ ଉପକୂଳବର୍ତ୍ତୀ ତ୍ରିକୋଣଭୂମି ଅଞ୍ଚଳକୁ ଛାରଖାର କରିଦେବ ବୋଲି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ସତର୍କବାଣୀ। କଟକର ଯୋବ୍ରାଠାରେ ମହାନଦୀର ଓ ବେଲଭ୍ୟୁରେ କାଠଯୋଡ଼ିର ଜଳସ୍ତର ବିପଦ ସଙ୍କେତ ଟପି ଦ୍ରୁତ ବେଗରେ ବଢ଼ିଚାଲିଛି। ୧୯୫୫ ମସିହା ବନ୍ୟାର ରେକର୍ଡକୁ ଭାଙ୍ଗି ସାରିଛି। ଠିକ୍ ସେହି ସମୟରେ କଟକ ଗୋପବନ୍ଧୁ ଭବନର ଉପର ମହଲା ଘରେ ଜଣେ ୮୬ ବର୍ଷର ବୃଦ୍ଧ ସାରା ରାତି ନିରବରେ ପଦଚାରଣ କରି ଚାଲିଛନ୍ତି। ଆଖିକୁ ତାଙ୍କର ନିଦ ଆସୁନି; ତଳିଆ ବନ୍ୟାଞ୍ଚଳର ଲୋକଙ୍କ ଅବସ୍ଥା କାଲି କ’ଣ ହେବ, ତାହା ଚିନ୍ତା କରି ମଝିରେ ମଝିରେ ଆଖି ତାଙ୍କର ଜକେଇ ଆସୁଛି। ଭୁବନେଶ୍ବର ‘ସମାଜ’ ବ୍ୟୁରୋର ମୁଖ୍ୟରୂପେ କାର୍ଯ୍ୟରତ ଏହି ଅକିଞ୍ଚନକୁ ପ୍ରତି ଘଣ୍ଟାକରେ ଟେଲିଫୋନ୍ରେ ନିର୍ଦେଶ ଦେଉଥାନ୍ତି- ‘କେଣ୍ଟ୍ରାଲ ରୁମ୍ରୁ ବୁଝି ଖବରଦିଅ ମହାନଦୀ ଓ କାଠଯୋଡ଼ିର ଜଳସ୍ତର କେତେ ହେଲା।’ ସତକୁ ସତ ସେଇ ଭୟଙ୍କର ବନ୍ୟାରେ ପରଦିନ ସକାଳେ କାଠଯୋଡ଼ିର ଶାଖାନଦୀ ପାର୍ଶ୍ବରେ ଥିବା ସୁଦୃଢ଼ ସୁରକ୍ଷିତ ଦଳେଇ ଘାଇ ବନ୍ଧ ଭାଙ୍ଗି ଏବର ଜଗତସିଂହପୁର ଜିଲାରେ ମହାପ୍ରଳୟ ସୃଷ୍ଟି ହୋଇଥିଲା। ଆସନ୍ନ ବନ୍ୟା ବିପତ୍ତିରୁ ବର୍ତ୍ତିଗଲା ସହସ୍ରବର୍ଷର ଐତିହାସିକ ନଗରୀ କଟକ। ସେଦିନ ସାରାରାତି ଉଜାଗର ରହି ଯେଉଁ ମଣିଷ ସମ୍ଭାବ୍ୟ ବନ୍ୟା ବିପନ୍ନଙ୍କ ପାଇଁ ଆଖିରୁ ଲୁହ ଗଡ଼ାଇଥିଲେ, ତାଙ୍କରି ନାଁ ରାଧାନାଥ ରଥ। ଦୀନ, ଦଳିତ, ଅସହାୟ ନରନାରୀଙ୍କ ନିଃସ୍ବାର୍ଥପର ସେବକ। ସେବା, ତ୍ୟାଗ ଓ କରୁଣାର କିମ୍ବଦନ୍ତୀ ପୁରୁଷ। ସମାଜ ଓ ଶାସନ ବ୍ୟବସ୍ଥାରେ ଅନୀତି, ଅପାରଗତା ଓ ଅନ୍ୟାୟ ବିରୋଧରେ ସାଲିସ୍ ବିହୀନ ସଂଗ୍ରାମ ଚଳାଇବାପାଇଁ ନିଜର କଲମକୁ ଶାଣିତ କରିଥିବା ନିର୍ଭୀକ ସାମ୍ବାଦିକ। ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ଜାଗ୍ରତ ପ୍ରହରୀ। ୧୯୧୯ ମସିହା ଅକ୍ଟୋବର ୪ ତାରିଖ ପବିତ୍ର ବିଜୟାଦଶମୀ ତିଥିରେ ଜନ୍ମଲାଭ କରିଥିଲା ସାପ୍ତାହିକ ‘ସମାଜ’। ତାହାର ଅବ୍ୟବହିତ ପୂର୍ବରୁ ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ସିଂହଭୂମି ଜିଲାରେ ଜଙ୍ଗଲ ବିଭାଗରେ କିରାଣୀ ରୂପେ କାର୍ଯ୍ୟରତ ଯେଉଁ ରତ୍ନଟିକୁ ଚିହ୍ନପାରି ‘ସମାଜ’େର ଯୋଗଦେବାକୁ ନିମନ୍ତ୍ରଣ କରି ଆଣିଥିଲେ, ସେ ଥିଲେ ରାଧାନାଥ। ଚାକିରି ଛାଡ଼ି ସତ୍ୟବାଦୀରେ ପହଞ୍ଚି ‘ସମାଜ’ରେ ଯୋଗଦେବା ପରେ ସେ ଆଉ ପଛକୁ ଫେରିନାହାନ୍ତି।
‘ସମାଜ’ର ପ୍ରସାର ଓ ଅଗ୍ରଗତି ପାଇଁ ତାଙ୍କର ଅବଦାନ ଥିଲା ଅତୁଳନୀୟ। ୧୯୨୮ ଜୁନ୍ ୧୭ ତାରିଖ ନେତ୍ରୋତ୍ସବ ସନ୍ଧ୍ୟାରେ ସତ୍ୟବାଦୀଠାରେ ଉତ୍କଳମଣି ଗୋପବନ୍ଧୁଙ୍କ ଅକାଳ ବିୟୋଗ ସାପ୍ତାହିକ ‘ସମାଜ’କୁ ଦେଇଥିଲା ଦାରୁଣ ଧକ୍କା। ପ୍ରତିଷ୍ଠାତାଙ୍କୁ ହରାଇ ଏକପ୍ରକାର ଦିଗହରା ହୋଇପଡ଼ିଥିବା ‘ସମାଜ’କୁ ଶକ୍ତି ଓ ସାହସ ଯୋଗାଇ ପରବର୍ତ୍ତୀ ସମୟରେ ଦୈନିକ ସମ୍ବାଦପତ୍ରରେ ପରିଣତ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ଯୁବକ ରାଧାନାଥ। ସ୍ବାଧୀନତା ସଂଗ୍ରାମର ଏକ ଐତିହାସିକ ମୁହୂର୍ତ୍ତ ୧୯୩୦ ଅପ୍ରେଲ୬ ତାରିଖ, ଯେଉଁଦିନ ଦାଣ୍ଡି ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ ଲବଣ ସତ୍ୟାଗ୍ରହ, ସେହି ସ୍ମରଣୀୟ ଦିବସରେ ଆତ୍ମପ୍ରକାଶ କରିଥିଲା ଦୈନିକ ‘ସମାଜ’। ଲୋକସେବକ ମଣ୍ଡଳର ନିଷ୍ପତ୍ତି ଅନୁଯାୟୀ ଏହାର ଆଜୀବନ ସଦସ୍ୟ ପଣ୍ଡିତ ଲିଙ୍ଗରାଜ ମିଶ୍ର ‘ସମାଜ’ର ସ୍ଥାୟୀ ସଂପାଦକ ରୂପେ ନିଯୁକ୍ତ ହୋଇଥିବାବେଳେ ରାଧାନାଥ ରଥ ପରିଚାଳକ ରୂପେ ଅବସ୍ଥାପିତ ହୋଇଥିଲେ। କଟକ ଟ୍ରେଡିଂ କମ୍ପାନୀର ମାଲିକ ପଣ୍ଡିତ ଆକୁଳ ମିଶ୍ର ଓ ସାପ୍ତାହିକ ‘ସମାଜ’ର ପରିଚାଳକ ରାଧାନାଥ ରଥ ଏକ ଯୁଗ୍ମ ବନ୍ଧକ ପତ୍ରରେ କଟକ ବ୍ୟାଙ୍କ୍ରୁ ତିନିହଜାର ଟଙ୍କା ଋଣ କରିବା ପରେ ଗୋଟିଏ ପୁରୁଣା ଫ୍ଲାଟ୍ ମେସିନ୍ କିଣାଯାଇଥିଲା। ସେଥିରେ ମୁଦ୍ରିତ ହୋଇ ଦୈନିକ ‘ସମାଜ’ ନବକଳେବର ଲାଭ କଲା। ସ୍ବାଧୀନତା ସଂଗ୍ରାମର ଅଗ୍ନିଯୁଗରେ ଲିଙ୍ଗରାଜ ଓ ରାଧାନାଥ ରଥଙ୍କ ନେତୃତ୍ବରେ ପରିଚାଳିତ ‘ସମାଜ’ ସେହି ସଂଗ୍ରାମର ଏକ ଶାଣିତ ଅସ୍ତ୍ର ଭଳି ନିଜର କର୍ତ୍ତବ୍ୟ ସଂପାଦନ କରିଥିଲା। ରାଜ୍ୟର ପୁରପଲ୍ଲୀରେ ଜାତୀୟ ଚେତନାର ପରିପ୍ରଚାର େକ୍ଷତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା। ମୁକ୍ତିଯୋଦ୍ଧାମାନଙ୍କୁ ସାହସ, ପ୍ରେରଣା ଓ ଉତ୍ସାହ ଯୋଗାଇ ଦେବାରେ ଏହାର ଅବଦାନ ଥିଲା ଅନବଦ୍ୟ। ସେହି ସମୟରେ ଏହା ଉପରେ ଅନେକ ଝଡ଼ଝଞ୍ଜା ବହିଯାଇଛି। କାଗଜର ପ୍ରକାଶନକୁ ବ୍ରିଟିଶ ସରକାର ବନ୍ଦ କରିଛନ୍ତି। ୧୯୪୨ ଅଗଷ୍ଟ ବିପ୍ଳବ ବେଳେ ରାଧାନାଥ ରଥଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଓଡ଼ିଶାରେ ଏଭଳି ଏକ ସମୟ ଥିଲା, ଯେତେବେଳେ ସମ୍ବାଦପତ୍ର କହିଲେ କେବଳ ରାଧାନାଥଙ୍କ ନେତୃତ୍ବାଧୀନ ‘ସମାଜ’କୁ ହିଁ ବୁଝାଉଥିଲା।
ନିରନ୍ତର ଜନସେବାରେ ବ୍ରତୀ ରାଧାନାଥ କେବଳ ବନ୍ୟା, ବାତ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୁର୍ଗତ ଲୋକଙ୍କ ପାଖରେ ଠିଆ ହେଉନଥିଲେ, ସେମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ବ୍ୟାପକ ସ୍ତରରେ ରିଲିଫ୍ ଅଭିଯାନ ଆରମ୍ଭ କରୁଥିଲେ। ବିପନ୍ନଙ୍କ ନିକଟରେ ସରକାରୀ ସାହାଯ୍ୟ ପହଞ୍ଚିବା ପୂର୍ବରୁ ‘ସମାଜ’ ରିଲିଫ୍ ପହଞ୍ଚାଇ ଦେଉଥିଲେ। ଏହାଛଡ଼ା ହିନ୍ଦ୍ କୁଷ୍ଠନିବାରଣୀ ସଂଘ, ଉତ୍କଳ ଗୋମଙ୍ଗଳ ସମିତି, ଭାରତ ସ୍କାଉଟ ଓ ଗାଇଡ୍, ରେଡ଼କ୍ରସ କଳିଙ୍ଗ ନିପନ୍ ବୁଦ୍ଧ ସଂଘ ଭଳି ଶତାଧିକ ଅନୁଷ୍ଠାନ ସହ ଜଡ଼ିତ ଏହି ନିଷ୍ଠାପର ଜନସେବୀ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ରଚନାତ୍ମକ କାର୍ଯ୍ୟକଳାପରେ ନିଜକୁ ନିମଗ୍ନ ରଖିଥିଲେ। ସ୍କାଉଟ୍ ଓ ଗାଇଡ୍ ସଂସ୍ଥାର ଚିଫ୍ କମିସନର ରୂପେ ପରିଣତ ବୟସରେ ମଧ୍ୟ ଖାକି ସାର୍ଟ ଓ ଖାକି ହାଫ୍ପ୍ୟାଣ୍ଟ ପିନ୍ଧି ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବାର ଦୃଶ୍ୟ ସମସ୍ତଙ୍କୁ ବିସ୍ମିତ କରୁଥିଲା। ଜାପାନର ପ୍ରଖ୍ୟାତ ବୌଦ୍ଧଭିକ୍ଷୁ ମହାତ୍ମା ଫୁଜି ଓ ଶାନ୍ତି ସୁଗେଇଙ୍କ ସହ ମିଶି ଧଉଳି ପୀଠରେ ଶାନ୍ତିସ୍ତୂପ ସ୍ଥାପନରେ ସେ ଯେତିକି ଉତ୍ସାହର ସହ ଲାଗି ପଡ଼ିଥିଲେ, ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଓଡ଼ିଶା ମାଟିରେ ସ୍ବାଗତ ଜଣାଇ ଚକ୍ରଗିରି ଶରଣାର୍ଥୀ ଶିବିରକୁ ପାଛୋଟି ନେବାରେ ସେତିକି ତତ୍ପରତା ପ୍ରକାଶ କରିଥିଲେ। ଅହମ୍ମଦିଆ ଇସ୍ଲାମ ସଂପ୍ରଦାୟର ଧର୍ମସଭାରେ ଯୋଗଦେବାକୁ ଖୋର୍ଦ୍ଧାର କେରଙ୍ଗ ଗ୍ରାମକୁ ପ୍ରତିବର୍ଷ ଯାଇ ସହାୟତାର ହାତ ବଢ଼ାଉଥିବା ରାଧାନାଥ ରଥ ଜୈନ ମୁନିଙ୍କ ଜୟନ୍ତୀ ଓ ହିନ୍ଦୁ ଦେବଦେବୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରୁଥିଲେ। ସଂକୀର୍ଣ୍ଣ ଧର୍ମୀୟ ଚେତନା ତାଙ୍କୁ ଆଦୌ ସ୍ପର୍ଶ କରିନଥିଲା ଓ ସେ ଥିଲେ ଧର୍ମନିରପେକ୍ଷ ଆଦର୍ଶରେ ବିଶ୍ବାସୀ ଜଣେ ବାସ୍ତବ କର୍ମଯୋଗୀ।
୧୯୫୨ ମସିହାରେ ଗଣତାନ୍ତ୍ରିକ ପଦ୍ଧତିରେ ଅନୁଷ୍ଠିିତ ପ୍ରଥମ ସାଧାରଣ ନିର୍ବାଚନରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇ ରାଧାନାଥ ବାବୁ କ୍ୟାବିନେଟ୍ ମନ୍ତ୍ରୀ ରୂପେ ଅବସ୍ଥାପିତ ହୋଇଥିଲେ। ସେହି ସମୟରେ ଅର୍ଥ ଓ ଶିକ୍ଷା ଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ନେଇ ସେ ଖୁବ୍ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ୧୯୬୧ ମସିହା ପର୍ଯ୍ୟନ୍ତ ନ’ବର୍ଷ ଧରି ନିରବଚ୍ଛିନ୍ନ ମନ୍ତ୍ରିମଣ୍ଡଳର ସଦସ୍ୟ ଥିବା ରାଧାନାଥ ଉନ୍ନୟନ, ଜଙ୍ଗଲ, କୃଷି, ପଶୁପାଳନ ଆଦି ଅନେକ ବିଭାଗର ଦାୟିତ୍ବ ତୁଲାଇଥିଲେ। ସେହି ସମୟରେ ତାଙ୍କ ଦୁଇଟି ବଡ଼ ଅବଦାନ ଥିଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ଚିଠା ଖସଡ଼ା ପ୍ରସ୍ତୁତ କରି ତାହାକୁ ଆଗେଇନେବା ଏବଂ ନନ୍ଦନକାନନଠାରେ ରାଜ୍ୟର ପ୍ରଥମ ପ୍ରାକୃତିକ ଚିଡ଼ିଆଖାନା ଓ ଉଦ୍ଭିଦ ଉଦ୍ୟାନ ପ୍ରତିଷ୍ଠା। ଅବଶ୍ୟ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାବେଳକୁ ସେହି ସରକାରର ପତନ ଘଟି ସାରିଥିଲା। ମାତ୍ର ନନ୍ଦନକାନନ ପ୍ରକଳ୍ପ ତାଙ୍କରି ମନ୍ତ୍ରିତ୍ବ ସମୟରେ ୧୯୬୦ ଡିସେମ୍ବର ୨୯ ତାରିଖରେ ଉଦ୍ଘାଟିତ ହୋଇଥିଲା।
ପ୍ରତିଟି ମୁହୂର୍ତ୍ତ ଦେଶ ଓ ଦଶର କଲ୍ୟାଣ ପାଇଁ ରାଧାନାଥ ବାବୁ କିପରି ସଦାସମର୍ପିତ ଥିଲେ, ତାହା ତାଙ୍କ ସଂସ୍ପର୍ଶରେ ଆସିଥିବା ଯେ କେହି ଅନୁଭବ କରିପାରୁଥିଲେ। ଏକଦା ଗ୍ରୀଷ୍ମକାଳରେ ପ୍ରଚଣ୍ଡ ତାତି ଭିତରେ ସମ୍ବଲପୁରରୁ ଗାଡ଼ିରେ କଟକ ଫେରୁଥାନ୍ତି। ସେତେବେଳେ ଅନୁଗୁଳ ରେଢ଼ାଖୋଲ ଭିତରେ ଘଞ୍ଚ ଜଙ୍ଗଲ। ସେହି ଜଙ୍ଗଲରେ ନିଆଁଲାଗି ହୁହୁ ହୋଇ ଜଳୁଥିବାର ଦେଖି ସେ ବିଚଳିତ ହୋଇପଡ଼ିଲେ। ସଙ୍ଗେସଙ୍ଗେ ଗାଡ଼ିକୁ ଅଟକାଇ ଆଖପାଖର ଗ୍ରାମବାସୀଙ୍କୁ ଡକାଇ ନିଆଁଲିଭା କାର୍ଯ୍ୟରେ ଲାଗିପଡ଼ିଲେ। ସ୍ଥାନୀୟ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷଙ୍କୁ ଖବର ଦେଇ ଏହି କାର୍ଯ୍ୟରେ ନିୟୋଜିତ କରାଇଲେ। ସେଠାରେ ଘଣ୍ଟାଘଣ୍ଟା ବିଳମ୍ବ ହେବାରୁ ଆମେ ବିରକ୍ତ ହୋଇ ପଡ଼ିଲୁ; କିନ୍ତୁ ତାଙ୍କର ସେଥିପ୍ରତି ତିଳେ ହେଲେ ଭ୍ରୂକ୍ଷେପ ନଥିଲା। ସେଭଳି ତାଙ୍କ ସହିତ ଅନେକଥର ନୟାଗଡ଼ ଓ ଦଶପଲ୍ଲା ଆଡ଼କୁ ଗଲାବେଳେ ବାଟରେ ବିଲକୁ ଦେଖି ଗାଡ଼ି ଅଟକାଇବାକୁ କହନ୍ତି। େକ୍ଷତ ଉପରକୁ ଯାଇ ଚାଷୀମାନଙ୍କୁ ଡାକି ସେମାନଙ୍କ ଅଭାବ ଅସୁବିଧା ବୁଝନ୍ତି। ଧାନର ରୁଆ ବେଉଷଣ ହେଲାଣି କି ନାହିଁ ଓ ସରକାରୀ ସାହାଯ୍ୟ ମିଳୁଛି କି ନାହିଁ, ତାହାର ଟିକିନିଖି ତଥ୍ୟ ସଂଗ୍ରହ କରି ‘ସମାଜ’ ପୃଷ୍ଠାରେ ପରଦିନ ପ୍ରକାଶ କରନ୍ତି। ମୋଟାମୋଟି ଭାବରେ ଓଡ଼ିଶାର ଜନଜୀବନକୁ ଶତାବ୍ଦୀ ପୁରୁଷ ରାଧାନାଥଙ୍କର ଯେଉଁ ଅମୂଲ୍ୟ ଅବଦାନ ରହିଛି, ତାହାର ବାସ୍ତବ ମୂଲ୍ୟାୟନ ଏଯାଏ ହୋଇପାରିନାହିଁ। ଆଜି ସେହି ମହାନ୍ ସାଧକଙ୍କ ପୁଣ୍ୟତିଥିରେ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ପ୍ରଦୋଷ ପଟ୍ଟନାୟକ
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ବର
Comments are closed.