ଗୋ-ସମ୍ପଦ ପାଇଁ ନୂଆ ବିପଦ ‘ବସନ୍ତ ରୋଗ’ଘଟଣା
ସ୍ୱତନ୍ତ୍ର ଟିମ୍ କରିବ ଅନୁଧ୍ୟାନ-କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ
ବଡ଼ସାହି : ଉତ୍ତର ଓଡ଼ିଶାର ଗୋ-ସମ୍ପଦ ପାଇଁ ନୂଆ ବିପଦ ଭାବେ ଦେଖାଦେଇଥିବା ବସନ୍ତ ଭଳି ରୋଗ ଘଟଣା ସମାଜରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବୁଧବାର ବିଭାଗୀୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ବେତନଟୀ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଆସିଥିବା ବେଳେ ଘଟଣା ସମ୍ପର୍କରେ ଏକ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କରିବ ବୋଲି ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ମୟୂରଭଞ୍ଜ ଜିଲା ପ୍ରାଣୀ ଚିକିତ୍ସାଧୀକାରୀ ଡ଼ାକ୍ତର ଶଶାଙ୍କ ପାଣିଗ୍ରାହୀ ବୁଧବାର ବଡ଼ସାହି ଓ ବେତନଟୀ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲୋ ପରିଦର୍ଶନ ସମୟରେ ବେତନଟୀର ପ୍ରାଣୀ ଚିକିତ୍ସାଧୀକାରୀ ଡ଼ାକ୍ତର ଶୁଭଶ୍ରୀ ପାଣିଗ୍ରାହୀ ବେତନଟୀ ପରିବର୍ତ୍ତେ ବୈଶିଙ୍ଗାରେ କାର୍ଯ୍ୟ କରୁଥିବା ଜାଣିବାକୁ ପାଇଥିଲେ। ବାରିପଦା ଉପଖଣ୍ଡ ପ୍ରାଣୀ ଚିକିତ୍ସାଧୀକାରୀ ଡ଼ାକ୍ତର ରମେଶ ଚନ୍ଦ୍ର ବେହେରା ତାଙ୍କ ଅଗୋଚରରେ ଏପରି ଆଦେଶ ଦେଇଥିବାରୁ ବେତନଟୀ ପ୍ରାଣୀ ଚିକତ୍ସାଳୟ ୭ଦିନ ଧରି ଡ଼ାକ୍ତରଶୂନ୍ୟ ରହିଥିଲା। ୨ଜଣ ଚତୁର୍ଥଶ୍ରେଣୀ କର୍ମଚାରୀ ହାତରେ ଚିକିତ୍ସାଳୟ ଦାୟିତ୍ୱ ଥିବା ଦେଖି ଜିଲା ମୁଖ୍ୟ ଚିକିତ୍ସାଧୀକାରୀ ବିରକ୍ତ ହୋଇଥିଲେ। ଏସଡ଼ିଭିଓ ଡ଼ାକ୍ତର ରମେଶ ଚନ୍ଦ୍ର ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସିଡ଼ିଭିଓ ଶ୍ରୀ ପ୍ରାଣୀଗ୍ରାହୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିବା ସହିତ ଡ଼ାକ୍ତର ଶୁଭଶ୍ରୀ ପାଣିଗ୍ରାହୀ ବେତନଟୀରେ କାର୍ଯ୍ୟକରିବାକୁ ନିର୍ଦେଶ ଦେଇଥିଲେ। ଅନ୍ୟ ପକ୍ଷରେ ବଡ଼ସାହି ବ୍ଲକ ପ୍ରାଣୀ ଚିକତ୍ସାଧୀକାରୀ ଅରବିନ୍ଦ ଜେନାଙ୍କ ନେତୃତ୍ୱରେ ଏକ ଭ୍ରାମ୍ୟମାଣ ଡ଼ାକ୍ତରୀ ଦଳ ବଡ଼ସାହି ବ୍ଲକ, ଦୁର୍ଗାପୁର ପଞ୍ଚାୟତର ଦଲକି ଗ୍ରାମରେ ଆଜି ଠାରୁ ଚିକତ୍ସା ଶିବିର ଆରମ୍ଭ କରିଛନ୍ତି। ୧୦ଟି ଆକ୍ରାନ୍ତ ଗୋରୁଙ୍କ ରକ୍ତ ଓ ଚର୍ମ ନମୁନା ସଂଗ୍ରହ କରାଯାଇ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି। ବଡ଼ସାହି ଓ ବେତନଟୀ ବ୍ଲକର ଆକ୍ରାନ୍ତ ଗ୍ରାମ ମାନଙ୍କରେ ୩ଦିନ ଧରି ଏହି ଚିକିତ୍ସା ଚାଲିବାକୁ ଥିବା ବେଳେ ପ୍ରତ୍ୟେକ ଦିନ ରିପୋର୍ଟ ଜିଲା ମୁଖ୍ୟାଳୟକୁ ପଠାଯିବ ବୋଲି ଅପରାହ୍ଣରେ ବଡ଼ସାହି ଓ ବେତନଟୀ ବ୍ଲକ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରାୟ ପୃଥକ ଜରୁରୀ ବୈଠକରେ ସମସ୍ତ ପ୍ରାଣୀ ଧନ ନିରୀକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି। ତତ୍ସହିତ ଦୁଇ ଗୋଟି ବ୍ଲକର ସମସ୍ତ କର୍ମଚାରୀଙ୍କୁ ରୋଗ ସମ୍ପର୍କରେ ତାଲିମ ଦିଆଯାଇଥିଲା। ଚିକିତ୍ସା ପରେ ଏହି ରୋଗ ଆରଗ୍ୟସାଧ୍ୟ ହୋଇଥିବାରୁ ଲୋକଙ୍କୁ ସଚେତନ କରିବା ଜରୁରୀ ବୋଲି କୁହାଯାଇଛି।
Comments are closed.