ସ୍ଥିତି ଅଣାୟତ୍ତ, ଓଡ଼ିଶାରେ ୧୨ ହଜାରରୁ ଅଧିକ ଜଙ୍ଗଲ ନିଆଁ

ଡେସ୍କ: ଓଡ଼ିଶାରେ ଏବେ ୭୪୭ଟି ନୂଆ ଜଙ୍ଗଲ ଅଗ୍ନିକାଣ୍ଡ ଘଟିଥିବା ବେଳେ ଚଳିତ ବର୍ଷ ୧୨ ହଜାରରୁ ଅଧିକ ଅଗ୍ନିକାଣ୍ଡ ଘଟିଛି। ନିଆଁ ନିୟନ୍ତ୍ରଣ କରିବା ପାଇଁ ବନ କର୍ମଚାରୀ, ଅଗ୍ନିଶମ ବିଭାଗ, ସ୍ଥାନୀୟ ସ୍ବେଛାସେବୀ ସଂଗଠନ ଓ ଲୋକମାନେ ଉଦ୍ୟମ କରୁଥିବା ବେଳେ ଦିନକୁ ଦିନ ଏହା ଅଣାୟତ୍ତ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ରାଜ୍ୟରେ ୧ ହଜାର ୪୨୬ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ଏବଂ ୭୪୭ଟି ଅତିରିକ୍ତ ଅଗ୍ନିକାଣ୍ଡ ଠାବ କରାଯାଇଛି।
ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ, ୨୦୨୫ ଆରମ୍ଭରୁ ଓଡ଼ିଶାରେ ୧୦ ହଜାର ୪୫୫ଟି ଜଙ୍ଗଲରେ ନିଆଁ ଲାଗିଛି। ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ସହ ଜଙ୍ଗଲ ନିଆଁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ଓଡ଼ିଶାର ଜଙ୍ଗଲରେ ୨ ହଜାର ୫୮୬ଟି ଅଗ୍ନିକାଣ୍ଡ ସ୍ଥାନ ଠାବ କରାଯାଇଛି।
ଜଙ୍ଗଲ ନିଆଁରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ବରଗଡ଼, ବଲାଙ୍ଗୀର, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ସମ୍ବଲପୁର, ଗଜପତି, ଗଞ୍ଜାମ, ଦେବଗଡ଼, ଅନୁଗୁଳ, କଟକ, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଏଫଏସଆଇ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ଓଡ଼ିଶାରେ ୪ ହଜାର ୫୦୩ଟି ଅଗ୍ନିକାଣ୍ଡ ଘଟିଛି। ତେଲେଙ୍ଗାନା ପରେ ଓଡିଶା ଭାରତର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ରାଜ୍ୟ ପାଲଟିଛି।
ଚଳିତ ବର୍ଷ ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୪ ମଧ୍ୟରେ ଓଡ଼ିଶାରେ ୧ ହଜାର ୧୭୨ଟି ଅଗ୍ନିକାଣ୍ଡ ରେକର୍ଡ କରାଯାଇଛି ଏବଂ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଦକ୍ଷିଣ ଓଡ଼ିଶାରେ ପ୍ରାରମ୍ଭିକ ପତ୍ର ଖସିବା ଓ ଶୁଖିଲା ଅବସ୍ଥା ଯୋଗୁଁ ପରିସ୍ଥିତି ବିଗିଡ଼ିଯିବା ସହ ଅନିୟନ୍ତ୍ରିତ ଅଗ୍ନିକାଣ୍ଡ ଘଟୁଛି। ନିଆଁକୁ ଆୟତ୍ତ କରିବା ପାଇଁ କର୍ତ୍ତୃପକ୍ଷ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଏତେ ସଂଖ୍ୟାରେ ଜଙ୍ଗଲ ଅଗ୍ନିକାଣ୍ଡ ଘଟିଥିବାରୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଛି।
Comments are closed.